Amazon କର୍ମଚାରୀ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1841075

Amazon କର୍ମଚାରୀ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ କାରଣ

Amazon: ଇ କମର୍ସ ପ୍ଲାଟଫର୍ମ ଆମାଜନରୁ ଚାକିରୀ ଛାଡୁଛନ୍ତି କର୍ମଚାରୀ । ସାମ୍ନାକୁ ଆସିଲା ଏହା ପଛର ପ୍ରକୃତ କାରଣ ।

Amazon କର୍ମଚାରୀ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ କାରଣ

Amazon: କୋଭିଡ୍ ୧୯ ସମୟରେ ଅନେକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ (Work from home) ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ମଧ୍ୟ ଏହି କଥାକୁ ସ୍ୱାଗତ କରିବା ସହିତ କିଛି ବର୍ଷ ହେବ ଘରେ ରହି କାମ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଅଫିସର ନିୟମ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆମାଜନ କମ୍ପାନୀ ମଧ୍ୟ କୋଭିଡ୍ ୧୯ (Covid 19) ସମୟରେ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାର ସୁବିଧା ଦେଇଥିଲା । ବର୍ତ୍ତମାନ ଅଫିସ ୱାର୍କ ଫର୍ମ ହୋମକୁ ବନ୍ଦ କରିବା ସହିତ କର୍ମଚାରୀଙ୍କୁ ଅଫିସରେ ରହି କାମ କରିବାକୁ ସୂଚନା ଦେଇଛି । କିନ୍ତୁ ଦୀର୍ଘ ବର୍ଷ ହେବ ଘରେ ରହି କାମ କରୁଥିବା କର୍ମଚାରୀ ଆଉ ଅଫିସ ଫେରିବାକୁ ଅମଙ୍ଗ ହେଉଛନ୍ତି । ଫଳରେ ଅନେକ କର୍ମଚାରୀ ଚାକିରୀ ଛାଡିବାକୁ ନିଷ୍ପତ୍ତି ନେବା ସହ ଇସ୍ତଫା ପତ୍ର (Resignation letter) ଦେଉଥିବା ସୂଚନା ମିଳିଛି ।

ଚଳିତ ବର୍ଷ ଫେବୃଆରୀ ମାସରେ ଆମାଜନ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ସପ୍ତାହରେ ଅତି କମରେ ୩ରୁ ୪ ଦିନ ଅଫିସରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଅଫିସରେ କାମ କଲେ ବ୍ୟବସାୟ ବୃଦ୍ଧି (Business growth) ହେବ ଆଶାରେ କମ୍ପାନୀ ମେ ମାସରେ ୱାର୍କ ଫର୍ମ ହୋମ ନିୟମ ବନ୍ଦ କରିବା ସହ କର୍ମଚାରୀଙ୍କୁ ଅଫିସରେ କାମ କରିବା ପାଇଁ କହିଥିଲା । ତେବେ ହଠାତ୍ ଏପରି ପରିବର୍ତ୍ତନକୁ ଆମାଜନ କମ୍ପାନୀର କର୍ମଚାରୀମାନେ ଗ୍ରହଣ କରିପାରିନଥିଲେ । ମେ ମାସରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ ଆମାଜନ କର୍ମଚାରୀ ଅଫିସରେ ରହି କାମ କରିବା ନିଷ୍ପତ୍ତିକୁ ବିରୋଧ କରିଥିଲେ । କିନ୍ତୁ ଏବେ କର୍ମଚାରୀମାନଙ୍କୁ କମ୍ପାନୀର  ଅଫିସରେ ରହି କାମ କରିବାକୁ ନିର୍ଦ୍ଦେଶ ପରେ ବାଧ୍ୟ ହୋଇ କର୍ମଚାରୀମାନେ ଚାକିରୀ ଛାଡିବାକୁ ନିଷ୍ପତ୍ତି ନେଉଛନ୍ତି । କିଛି କର୍ମଚାରୀ ନିଜର ଇସ୍ତଫା ପତ୍ର ନିଜ ମ୍ୟାନେଜର ଓ ମାନବ ସମ୍ୱଳ ବିଭାଗ (Department of Human Resources)କୁ ପଠାଉଛନ୍ତି ।

ସିଏନବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିକଟରେ କର୍ମଚାରୀମାନଙ୍କୁ ଅଫିସ ପକ୍ଷରୁ ଏକ ମେଲ୍ ପଠାଯାଇଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଯେଉଁମାନେ ସପ୍ତାହରେ ଅତି କମରେ ୩ଦିନ ଅଫିସ ଆସୁନାହାନ୍ତି ସେମାନେ ସହକର୍ମୀଙ୍କ ସହ ସଠିକ ଭାବରେ ଯୋଗାଯୋଗ କରିପାରୁନାହାନ୍ତି । ତେଣୁ ଟିମ୍ ସହିତ ମିଳିମିଶି କାମ କରିବାକୁ କମ୍ପାନୀ କର୍ମଚାରୀଙ୍କୁ ପରାମର୍ଶ ଦେଇଛି । ଆମାଜନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କମ୍ପାନୀର କିଛି ଅଫିସ ଭିନ୍ନ ଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଯାଉଛି ତେଣୁ ହ୍ୱାର୍କ ଫର୍ମ ହୋମ କରୁଥିବା କର୍ମଚାରୀଙ୍କ ଉପରେ ଏହା ପ୍ରଭାବ ପକାଇବ ।

ସୂଚନାଯୋଗ୍ୟ, କେବଳ ଆମାଜନ ନୁହେଁ ଆମାଜନ ସହିତ ଅନେକ ଘରୋଇ କମ୍ପାନୀ ଗୁଡ଼ିକ ବର୍ତ୍ତମାନ ୱାର୍କ ଫର୍ମ ହୋମ ସୁବିଧା ବନ୍ଦ କରିଛନ୍ତି । ଯାହା ଫଳରେ କର୍ମଚାରୀମାନେ ଅଫିସ୍ ଫେରିବାକୁ ବାଧ୍ୟ ହେଉଛନ୍ତି । ଯେଉଁମାନେ ଅଫିସ ଆସୁନାହାନ୍ତି ସେମାନେ ନିଜର ଚାକିରୀ ପରିବର୍ତ୍ତନ କରିବାକୁ ସ୍ଥିର କରୁଛନ୍ତି । ଏପରି ମଧ୍ୟ ପରିସ୍ଥିତି ହୋଇଛି ଯେ, ଅନେକ କର୍ମଚାରୀ ଓ୍ବାର୍କ ଫର୍ମ ହୋମ ବନ୍ଦ ଖବର ଜାଣିବା ପରେ ଅନ୍ୟ ସ୍ଥାନରେ ଚାକିରୀ କରିବା ପାଇଁ ଆବେଦନ କରିବା ସହ ସାକ୍ଷାତକାର ପରୀକ୍ଷା ଦେଉଛନ୍ତି । କିଛି କର୍ମଚାରୀ ସେହି କମ୍ପାନୀ ଗୁଡିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯେଉଁ କମ୍ପାନୀ ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଘରୁ କାମ କରିବାର ସୁବିଧା ସୁଯୋଗ କର୍ମଚାରୀଙ୍କୁ ଦେଉଛନ୍ତି ।

Also Read- ପିଲାଦିନେ ବହି କିଣିବାକୁ ନଥିଲା ଟଙ୍କା, ଆଜି ଏହି ବୈଜ୍ଞାନିକ ଦମ୍ପତ୍ତି ଚନ୍ଦ୍ରଯାନ-୩ ମାଧ୍ୟମରେ ଦେଶକୁ ଦେଲେ ପରିଚୟ