Cricket World Cup 2023 Ticket: ସହରରେ ହେବାକୁ ଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ଅହମ୍ମଦାବାଦ ପୋଲିସ।
Trending Photos
Gujarat Police Arrested 4 Duplicate Ticket Seller: ଚଳିତ ବର୍ଷ ଭାରତରେ ଆୟୋଜିତ ହୋଇଥିବା କ୍ରିକେଟ୍ ବିଶ୍ୱକପ୍ର ଉତ୍ସାହ ସମଗ୍ର ଦେଶରେ ରହିଛି। ଏହି ସମୟରେ ଗୁଜୁରାଟ ଅହମ୍ମଦାବାଦ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଭାରତ-ପାକିସ୍ତାନ କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ ପାଇଁ ନକଲି ଟିକେଟ୍ ଛାପିବା ଏବଂ ବିକ୍ରୟ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଅହମ୍ମଦାବାଦ ପୋଲିସ। ଏହି ନକଲି ଟିକେଟ୍ ୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ଚତୁର୍ଥ ଜଣଙ୍କ ବୟସ ୨୧ ବର୍ଷ ବୋଲି କୁହାଯାଉଛି। ସହରର ଅପରାଧ ନିରାକରଣ ଶାଖା ୪ ଜଣ ନକଲି ଟିକେଟ୍ ବିକ୍ରେତାଙ୍କୁ ଗିରଫ କରିଥିବା ଅହମ୍ମଦାବାଦ ପୋଲିସ କହିଛି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ଭାରତ-ପାକିସ୍ତାନ ମ୍ୟାଚ୍
ଅହମ୍ମଦାବାଦ ସହରର ମୋଟେରା ଅଞ୍ଚଳରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଆସନ୍ତା ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ୨୦୨୩ ଅନୁଷ୍ଠିତ ହେବ। ଅହମ୍ମଦାବାଦ ସିଟି କ୍ରାଇମ ବ୍ରାଞ୍ଚ ଡେପୁଟି କମିଶନର ଚୈତନ୍ୟ ମଣ୍ଡଲିକ କହିଛନ୍ତି ଯେ ପୋଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ପ୍ରଥମେ ଏହି ମ୍ୟାଚ୍ ର ମୂଳ ଟିକେଟ କିଣୁଥିଲେ। ପରେ ଅନ୍ୟ ଅଭିଯୁକ୍ତଙ୍କ ଦୋକାନରେ ଫଟୋସ୍ପ୍ ସଫ୍ଟୱେୟାର ବ୍ୟବହାର କରି ସେହି ମୂଳ ଟିକେଟ୍ ର ସ୍କାନ କପି କୁ ଇଡ଼ିଟିଂ କରି ପ୍ରାୟ ୨୦୦ ନକଲି ଟିକେଟ୍ ଛାପିଥିଲେ।
ପୋଲିସ ସେହି ସମସ୍ତ ୨୦୦ ଟିକେଟ ଜବତ କରିଛି। ଯେଉଁଥିରେ ସେହି ସମସ୍ତ ୫୦ ଟିକେଟ ସାମିଲ ରହିଛି ଯାହାକୁ ଅଭିଯୁକ୍ତ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରି ବିକ୍ରି କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ୧୮ ବର୍ଷୀୟ ଜୟମେନ ପ୍ରଜାପତି, ଧ୍ରୁମିଲ ଠାକୁର, ରାଜଭୀର ଠାକୁର ଏବଂ କୁଶ ମୀନା। ସେମାନେ ଅହମ୍ମଦାବାଦ ଏବଂ ଗାନ୍ଧିନଗରର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ଚାହିଦା ବହୁତ ରହିଛି। ଏହି ଟିକେଟ ଅଧିକ ମୂଲ୍ୟରେ କ୍ରିକେଟ୍ ପ୍ରଶଂସକଙ୍କୁ ବିକ୍ରି କରାଯାଇପାରିବ ବୋଲି ଜାଣିବା ପରେ ଷ୍ଟାଡିୟମ ନିକଟରେ ରହୁଥିବା ଜୟମେନ ପ୍ରଜାପତି ଜାଣିଥିଲା। ଏହା ପରେ ସେ ନିଜର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜଭୀର ଏବଂ ଧ୍ରୁମିଲକୁ ସାମିଲ କରିଥିଲେ। ଏହା ପରେ ସେମାନେ ବୋଦକଦେବ ଅଞ୍ଚଳର ପ୍ରିଣ୍ଟିଂର ଦୋକାନୀ କୁଶ ମୀନାଙ୍କ ସହ ଯୋଗାଯୋଗ କରିଥିଲେ। ଯେତେବେଳେ ମୀନା କହିଥିଲେ ଯେ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୂଳ ଟିକେଟ୍ ଆବଶ୍ୟକ, ସେତେବେଳେ ଧ୍ରୁମିଲ ଏକ ଟିକେଟ୍ କିଣି ତାଙ୍କୁ ଦେଇ ଦେଇଥିଲା। ମୂଳ ଟିକେଟ୍ ମିଲିବା ପରେ ଫଟୋଶପ୍ ବ୍ୟବହାର କରି ଏହାକୁ କମ୍ପ୍ୟୁଟର ଯୋଗେ ସ୍କାନ୍ କରାଯାଇଥିଲା। ଯାହା ପରେ ଏହାର ନକଲି ଡିଜିଟାଲ୍ କପି ତିଆରି କରାଯାଇଥିଲା। ଏହା ପରେ ଅଭିଯୁକ୍ତ ଏକ କଲର ପ୍ରିଣ୍ଟର୍ କିଣି ପ୍ରାୟ ୨୦୦ ନକଲ ଟିକେଟ୍ ଛାପିଥିଲା। ଯାହା ମୂଳ ଟିକେଟ ଭଳି ଦେଖାଯାଉଥିଲା।
ସୋସିଆଲ ମିଡିଆ ମାଧ୍ୟମରେ ବିକ୍ରି ହୋଇଥିଲା ଟିକେଟ
ସୋସିଆଲ ମିଡିଆ ମାଧ୍ୟମରେ ନିଜର ଲୋକ ସମ୍ପର୍କ ବ୍ୟବହାର କରି ପ୍ରଜାପତି ଏବଂ ରାଜଭୀର ପ୍ରଥମେ କିଛି ଟିକେଟ ବିକ୍ରି କରିଥିଲେ। ଯେତେବେଳେ ଚାହିଦା ବଢିବାରେ ଲାଗିଲା, ସେତେବେଳେ ସେମାନେ ଆଉ କିଛି ଟିକେଟ୍ ଛାପିଥିଲେ। ଏହି ଟିକେଟ୍ ସେମାନେ ୨ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମୂଲ୍ୟରେ କ୍ରିକେଟ୍ ପ୍ରଶଂସକଙ୍କୁ ବିକ୍ରି କରିଥିଲେ।
ଡିସିପି ଚୈତନ୍ୟ ମଣ୍ଡଲିକ ଆହୁରି କହିଛନ୍ତି ଯେ, ଏହି ବେଆଇନ କାର୍ଯ୍ୟକଳାପ ବିଷୟରେ ଜାଣିବା ପରେ ପୋଲିସ ଟିମ୍ ମଙ୍ଗଳବାର (ଅକ୍ଟୋବର ୧୦) କୁଶ ମୀନାଙ୍କ ଦୋକାନରେ ଚଢାଉ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ ବିକ୍ରି ହୋଇଥିବା ସମସ୍ତ ୫୦ ଟିକେଟ୍ ମଧ୍ୟ ଜବତ କରିଛି। ଟିକେଟ୍ 3 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଅପରାଧିକ ଷଡଯନ୍ତ୍ର, ପ୍ରତାରଣା, ବିଶ୍ୱାସ ଉଲ୍ଲଂଘନ ଏବଂ ଜାଲିଆତି ଅଭିଯୋଗରେ ପୋଲିସ ଏହି ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।