Cyclone Shelter Home in Gujarat: ବିପର୍ଯ୍ୟୟ ବାତ୍ୟାର ପ୍ରକୋପକୁ ନଜରରେ ରଖି ରାଜ୍ୟରେ ପ୍ରାୟ ୯୪,୪୨୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ଗୁଜରାଟ ସରକାର। ବାତ୍ୟାର ମୁକାବିଲା କରିବାକୁ ଯାଇ ରାଜ୍ୟରେ ୭୬ ଅତ୍ୟାଧୁନିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛନ୍ତି ଗୁଜୁରାଟ ସରକାର।
Trending Photos
Gujrat Govt preparation for Cyclone Biparjoy: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ "ବିପର୍ଯ୍ୟୟ" ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗ ମୁହାଁ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଜୁନ ୧୫ ତାରିଖ ଗୁରୁବାର ବାତ୍ୟା "ବିପର୍ଯ୍ୟୟ" ଗୁଜୁରାଟ ଠାରେ ସ୍ଥଳ ଭାଗ ଛୁଇଁବ। ପାଣିପାଗ ବିଭାଗ ଚେତାବନୀ ପରେ ଏବେ ଗୁଜୁରାଟ ସରକାର ଏହି ବାତ୍ୟାର ମୁକାବିଲା ଜନିତ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବା କ୍ଷେତ୍ରରେ ଗୁଜୁରାଟ ସର୍ବଦା ଆଗରେ ରହିଆସିଛି। ରାଜ୍ୟରେ ପ୍ରାୟ ୧୬୦୦ କିଲୋମିଟର ଉପକୂଳ ରହିଥିବାରୁ ଏହି ଅଞ୍ଚଳ ବାରମ୍ବାର ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏପରି ସାମୁଦ୍ରିକ ଝଡ଼ର ମୁକାବିଲା କରିବାକୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ୭୬ ଅତ୍ୟାଧୁନିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛନ୍ତି ଗୁଜୁରାଟ ସରକାର। ଗୁରୁବାର ବାତ୍ୟା ବିପର୍ଯ୍ୟୟ ଗୁଜୁରାଟରେ ସ୍ଥଳ ଭାଗ ଛୁଇଁବ। ଏହି ବାତ୍ୟାର ମୁକାବିଲା କରିବାକୁ ଯାଇ ଗୁଜୁରାଟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛନ୍ତି। ଏହି କ୍ରମରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରାଜ୍ୟରେ ନିର୍ମିତ ହୋଇଥିବା ୭୬ ଅତ୍ୟାଧୁନିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।
ଗୁଜୁରାଟ ସରକାରଙ୍କ ପକ୍ଷରୁ ନିର୍ମିତ ହୋଇଥିବା ୭୬ ଅତ୍ୟାଧୁନିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରୁ ଜୁନାଗଡ ଜିଲ୍ଲାରେ ୨୫, ଗିର୍ ସୋମନାଥ ଜିଲ୍ଲାରେ ୨୯, ପୋରବନ୍ଦର ଜିଲ୍ଲାରେ ୪, ଦେବଭୂମି ଦ୍ୱାରକା ଜିଲ୍ଲାରେ ୪, କଚ୍ଛ ଜିଲ୍ଲାରେ ୪, ଅମରେଲି ଜିଲ୍ଲାରେ ୨, ଜାମନଗର ଜିଲ୍ଲାରେ ୧, ନବସାରୀ ଜିଲ୍ଲାରେ ୧, ଭରୁଚ ଜିଲ୍ଲାରେ ୫ ଏବଂ ଅହମ୍ମଦାବାଦ ଜିଲ୍ଲାରେ ଗୋଟିଏ ଅବସ୍ଥିତ ରହିଛି।
କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ୮ ଜିଲ୍ଲାରେ ନିର୍ମିତ ହୋଇଛି ୧୫୨୧ ଆଶ୍ରୟ ଗୃହ
୭୬ ଅତ୍ୟାଧୁନିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ବ୍ୟତୀତ ରାଜ୍ୟରେ ୧୫୨୧ ଆଶ୍ରୟ ଗୃହ ନିର୍ମାଣ କରିଛନ୍ତି ଗୁଜୁରାଟ ସରକାର। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ୮ ଜିଲ୍ଲାରେ ତତ୍କାଳ ପ୍ରଭାବରେ ୧୫୨୧ ଆଶ୍ରୟ ଗୃହ ସ୍ଥାପନ କରାଯାଇଛି। ଏହି ଆଶ୍ରୟ ଗୃହ ମଧ୍ୟରେ ଜୁନାଗଡ ଜିଲ୍ଲାରେ ୧୯୬, କୁଚ୍ଛ ଜିଲ୍ଲାରେ ୧୭୩, ଜାମନଗର ଜିଲ୍ଲାରେ ୫୬, ଦେବଭୂମି ଦ୍ୱାରକା ଜିଲ୍ଲାରେ ୧୮୨, ଗିର୍ ସୋମନାଥ ଜିଲ୍ଲାରେ ୧୮୨, ମୋର୍ବି ଜିଲ୍ଲାରେ ୩୧ ଏବଂ ରାଜକୋଟ ଜିଲ୍ଲାରେ ୨୩୬ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଡାକ୍ତରୀ ଦଳ ଦ୍ୱାରା ଏହି ଆଶ୍ରୟ ଗୃହକୁ ନିୟମିତ ବ୍ୟବଧାନରେ ପରିଦର୍ଶନ କରାଯାଉଛି। ଏହି ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛି ଡାକ୍ତରୀଦଳ।
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୯୪,୪୨୭ ଲୋକ
ଗୁଜୁରାଟ ସରକାର ରାଜ୍ୟରେ ହେବାକୁ ରହିଥିବା ସାମ୍ଭାବ୍ୟ ବାତ୍ୟା ଜନିତ ଜନହାନୀକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟର ୮ ଜିଲ୍ଲାର ପ୍ରାୟ ୯୪ ହଜାର ୪୨୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
କଚ୍ଛ ଜିଲ୍ଲାରେ ୪୬,୮୨୩, ଜୁନାଗଡ ଜିଲ୍ଲାରେ ୪୮୬୪, ଜାମନଗର ଜିଲ୍ଲାରେ ୯୯୪୨, ପୋରବନ୍ଦର ଜିଲ୍ଲାରେ ୪୩୭୯, ଦେବଭୂମି ଦ୍ୱାରକା ଜିଲ୍ଲାରେ ୧୬୦୫, ଗିର୍ ସୋମନାଥ ଏବଂ ମୋରବୀ ଜିଲ୍ଲାରେ ୯୨୪୩ ରାଜକୋଟ ଜିଲ୍ଲାରେ ୬୮୨୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ମଧ୍ୟରେ ୮୯୩୦ ଜଣ ପିଲା, ୪୬୯୭ ବୃଦ୍ଧ ଏବଂ ୧୧୩୧ ଜଣ ଗର୍ଭବତୀ ମହିଳା ଅଛନ୍ତି।