Cigarette News: ଦେଶରେ ସିଗାରେଟ ବ୍ୟବହାର ଉପରେ ଲାଗିପାରେ ରୋକ! ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1481813

Cigarette News: ଦେଶରେ ସିଗାରେଟ ବ୍ୟବହାର ଉପରେ ଲାଗିପାରେ ରୋକ! ଜାଣନ୍ତୁ ଏହାର କାରଣ

Cigarettes Ban in India: ୧୮୮୦ ମସିହାରେ ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ହାତ ତିଆରି ସିଗାରେଟ୍। ଆମେରିକାର ଉତ୍ତର କାରୋଲିନା ସହରରେ ଜେମ୍ସ ବଚାନନ୍ ଡ୍ୟୁକ୍ ନାମକ ଜଣେ ବ୍ୟକ୍ତି ବଜାରରେ ହାତ ତିଆରି ସିଗାରେଟ୍ ପହଞ୍ଚାଇଥିଲେ। ଏହି ହାତ ତିଆରି ସିଗାରେଟ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲା। ଏହାର ଠିକ ୧୦୦ ବର୍ଷ ପରେ ଅର୍ଥାତ ୧୯୯୦ ଦଶକ ବେଳକୁ ସାରା ବିଶ୍ୱରେ ସିଗାରେଟ ଟାଣୁଥିବା ଲୋକଙ୍କ ସଂଖ୍ୟା ୯୯ କୋଟିକୁ ବୃଦ୍ଧି ପାଇଥିଲା।

 Cigarette News: ଦେଶରେ ସିଗାରେଟ ବ୍ୟବହାର ଉପରେ ଲାଗିପାରେ ରୋକ! ଜାଣନ୍ତୁ ଏହାର କାରଣ

Single use Cigarette: ତମ୍ବାଖୁ ଉତ୍ପାଦ ସିଗାରେଟକୁ  ନେଇ ଆସିଛି ଏକ ବଡ଼ ଖବର। ଦେଶରେ ଥରେ ମାତ୍ର ବ୍ୟବହାର ହେଉଥିବା ସିଙ୍ଗଲ ୟୁଜ ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି ସଂସଦର ସ୍ଥାୟୀ ସମିତି। ସିଙ୍ଗଲ ୟୁଜ ସିଗାରେଟ୍ ବିକ୍ରି ତମାଖୁ ନିୟନ୍ତ୍ରଣ ଅଭିଯାନକୁ ପ୍ରଭାବିତ କରୁଛି ବୋଲି ସମିତି ଯୁକ୍ତି ଦର୍ଶାଇଛି। ସମିତି ପକ୍ଷରୁ କରାଯାଇଥିବା ସୁପାରିଶରେ ମଧ୍ୟ କୁହାଯାଇଛି ଯେ ବିମାନ ବନ୍ଦର ପରିସରରେ ରହୁଥିବା ଧୂମପାନ ଜୋନ୍ ମଧ୍ୟ ଦେଶରେ ବନ୍ଦ କରାଯାଉ। ସଂସଦର ସ୍ଥାୟୀ ସମିତି ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଦେଶରେ ସିଙ୍ଗଲ ୟୁଜ ସିଗାରେଟ୍ ବିକ୍ରୟ ତଥା ଏହାର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ। ତିନି ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ଏହାର ବିକ୍ରୟ ବିରୋଧରେ ଆଇନ ପ୍ରଣୟନ କରାଯାଇଥିଲା।

କାହିଁକି ସିଙ୍ଗଲ ୟୁଜ ସିଗାରେଟ୍ ବିକ୍ରି ଉପରେ ଲାଗିବ ପ୍ରତିବନ୍ଧକ? 
ସଂସଦର ସ୍ଥାୟୀ ସମିତି ଏହାର ରିପୋର୍ଟ ଜରିଆରେ ଦର୍ଶାଇଛି ଯେ ଦେଶରେ ଦ୍ରବ୍ୟ ଏବଂ ସେବା କର ଲାଗୁ ହେବା ପରେ ମଧ୍ୟ ତମାଖୁ ଉତ୍ପାଦ ଉପରେ ଟିକସ ବୃଦ୍ଧି ହୋଇନାହିଁ। ସଂସଦୀୟ ସମିତି IARC ରିପୋର୍ଟ ବାବଦକୁ ସୂଚିତ କରିଛି। ଏହି ରିପୋର୍ଟ ଅନୁଯାୟୀ ମଦ୍ୟପାନ ଏବଂ ତମାଖୁ ସେବନ କର୍କଟ ରୋଗର ଆଶଙ୍କାଙ୍କୁ ବଢାଇ ଦେଇଥାଏ।

ତମାଖୁ ଉତ୍ପାଦ ଉପରେ ନିଆଯାଉଛି କେତେ ଟିକସ?
ଜିଏସଟି ଲାଗୁ ହେବା ପରେ ବିଡି ଉପରେ ୨୨ ପ୍ରତିଶତ, ସିଗାରେଟ ଉପରେ ୫୩  ପ୍ରତିଶତ ଏବଂ ଧୂମ ବିହୀନ ତମାଖୁ ଉପରେ ୬୪ ପ୍ରତିଶତ ଟିକସ ଆଦାୟ କରାଯାଉଛି। ଏବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଭାରତ ସରକାରଙ୍କୁ ତମାଖୁ ଉତ୍ପାଦ ଉପରେ ୭୫ ପ୍ରତିଶତ ଟିକସ ଲାଗୁ କରିବାକୁ କହିଛି।

ବର୍ଷକୁ ସିଗାରେଟ ନେଉଛି ୩.୫ ଲକ୍ଷ ଜୀବନ 
ଏକ ରିପୋର୍ଟ ଅନୁଯାୟୀ ସିଗାରେଟ ଟାଣିବା ପ୍ରଭାବରେ ଭାରତରେ ପ୍ରତିବର୍ଷ ୩.୫ ଲକ୍ଷ ଲୋକ ମୃତ୍ୟୁ ହେଉଛି। ଆମେରିକାରେ ଏହି ସଂଖ୍ୟା ପ୍ରାୟ ୪.୮ ଲକ୍ଷ ରହିଛି। ସିଗାରେଟ ଦ୍ୱାରା ହେଉଥିବା ମୃତ୍ୟୁର ମୁଖ୍ୟ କାରଣ ହେଉଛି ନିକୋଟିନ୍ ଭଳି ଉପାଦନର ମାତ୍ରା ଅଧିକ ହୋଇଯିବା। ଏହାକୁ ରୋକିବା ପାଇଁ ସରକାର ଅନେକ ଥର ପ୍ରୟାସ କରିଥିଲେ ସଫଳତା ହୋଇ ପାରିନାହାଁନ୍ତି। ଗତ ୨୦୧୮ ବର୍ଷରେ ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ଏକ ସର୍ଭେ କରିଥିଲା। ଏହି ସର୍ଭେ ଅନୁଯାୟୀ ଧୂମପାନ କରୁଥିବା ଲୋକଙ୍କ ମଧ୍ୟରୁ ୪୬ ପ୍ରତିଶତ ଅଶିକ୍ଷିତ ହୋଇଥିବା ବେଳେ ପ୍ରାୟ ୧୬ ପ୍ରତିଶତ ଲୋକ କଲେଜ ଯାଉଥିବା ଛାତ୍ର ଅଛନ୍ତି।

୫୬ ପ୍ରକାର ରୋଗ ସୃଷ୍ଟି କରିଥାଏ ସିଗାରେଟ
ଚଳିତ ବର୍ଷ ଆରମ୍ଭରେ ଲାନସେଟ୍ ଜର୍ଣ୍ଣାଲ୍ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଦର୍ଶାଇଥିଲା ଯେ ସିଗାରେଟ୍ ଟାଣିବା ଦ୍ୱାରା ୫୬ ପ୍ରକାରର ରୋଗ ହୋଇଥାଏ। ଯାହା ମଧ୍ୟରୁ ମୁଖ୍ୟ ହେଉଛି କର୍କଟ, ମସ୍ତିଷ୍କ ଆଘାତ ଏବଂ ନପୁଂସକତା। ଲାନସେଟ୍ ଏହାର ରିପୋର୍ଟ ଜରିଆରେ ଦର୍ଶାଇଛି  ଯେ ବିଶ୍ୱରେ ୪୦% ଧୂମପାନକାରୀ ଚୀନ ଭଳି ଦେଶରେ ଅଛନ୍ତି।

ଭାରତରେ ୬.୬ କୋଟି ଲୋକ ସିଗାରେଟ ଟାଣିଥାନ୍ତି
ଫାଉଣ୍ଡେସନ ଫର ସ୍ମୋକ ଫ୍ରି ୱାର୍ଲ୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଭାରତରେ ପ୍ରାୟ ୬.୬ କୋଟି ଲୋକ ସିଗାରେଟ ଟାଣିଥାନ୍ତି। ଅନ୍ୟପଟେ ୨୬ କୋଟିରୁ ଅଧିକ ଲୋକ ଅନ୍ୟ ତମାଖୁ ଦ୍ରବ୍ୟ ବ୍ୟବହାର କରିଥାନ୍ତି। ଦେଶରେ ପ୍ରାୟ ୨୧ ପ୍ରତିଶତ ଲୋକ ତମାଖୁ ସେବନ କାରଣରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ସିଗାରେଟ୍ ସମ୍ବନ୍ଧୀୟ ନିୟମ କ'ଣ?

  • ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ପିଇବା ଉପରେ ନିଷେଧଦେଶ ଜାରି କରାଯାଇଛି। ଏହି ନିୟମ ଭାଙ୍ଗିଲେ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରା ଯାଇପାରେ। ହୋଟେଲ, ରେସ୍ତୁରାଁ, ସିନେମା ହଲ୍, ସପିଂମଲ୍ ମାଲିକଙ୍କୁ ୬୦ ସେମି x ୩୦ ସେମି ବୋର୍ଡ ଲଗାଇବାକୁ ପଡିବ। ଯେଉଁଥିରେ ମାଲିକଙ୍କୁ No Smoking ବୋଲି ଲେଖିବାକୁ ହେବ।
  • ତମାଖୁ ଦ୍ରବ୍ୟର ବିଜ୍ଞାପନ ନିଷେଧାଦେଶ ରହିଛି। ତମାଖୁ ଉତ୍ପାଦ ବିକ୍ରୟ କରୁଥିବା ଦୋକାନୀଙ୍କୁ  ୬୦ ସେମି x ୪୫ ସେମି ବୋର୍ଡ ଲଗାଇ କର୍କଟ ରୋଗ ବାବଦରେ ସଚେତନ କରାଇବାକୁ ହେବ। ଏହି ନିୟମ ପାଳନ ନ କଲେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯାଇପାରେ।
  • ଶିକ୍ଷାନୁଷ୍ଠାନ ଯଥା କଲେଜ ଏବଂ ବିଶ୍ୱବିଦ୍ୟାଳୟ ପରିସରରୁ ୧୦୦ ମିଟର ମଧ୍ୟରେ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ନିଷେଧାଦେଶ ରହିଛି। ଏହି ନିୟମ ଉଲ୍ଲଂଘନ କଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ।
  • ତମାଖୁ ଉତ୍ପାଦ ବିକ୍ରୟ କରୁଥିବା କୌଣସି ଦୋକାନୀ ୧୮ ବର୍ଷରୁ କମ୍ ନାବାଳକଙ୍କୁ ସିଗାରେଟ୍ ବିକ୍ରି କରିପାରିବ ନାହିଁ। ବିକ୍ରୟ ପାଇଁ ଉଭୟ ଜରିମାନା ଏବଂ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି।

୧୮୮୦ ମସିହାରେ ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ହାତ ତିଆରି ସିଗାରେଟ୍ 
୧୮୮୦ ମସିହାରେ ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ହାତ ତିଆରି ସିଗାରେଟ୍। ଆମେରିକାର ଉତ୍ତର କାରୋଲିନା ସହରରେ ଜେମ୍ସ ବଚାନନ୍ ଡ୍ୟୁକ୍ ନାମକ ଜଣେ ବ୍ୟକ୍ତି ବଜାରରେ ହାତ ତିଆରି ସିଗାରେଟ୍ ପହଞ୍ଚାଇଥିଲେ। ଏହି ହାତ ତିଆରି ସିଗାରେଟ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲା। ଏହାର ଠିକ ୧୦୦ ବର୍ଷ ପରେ ଅର୍ଥାତ ୧୯୯୦ ଦଶକ ବେଳକୁ ସାରା ବିଶ୍ୱରେ ସିଗାରେଟ ଟାଣୁଥିବା ଲୋକଙ୍କ ସଂଖ୍ୟା ୯୯ କୋଟିକୁ ବୃଦ୍ଧି ପାଇଥିଲା।