Odisha News Live Updates: ଗୁରୁବାର ଖୋଲାଯିବ ଭିତର ରତ୍ନ ଭଣ୍ଡାର,ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2337791

Odisha News Live Updates: ଗୁରୁବାର ଖୋଲାଯିବ ଭିତର ରତ୍ନ ଭଣ୍ଡାର,ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ଗୁରୁବାର ଖୋଲାଯିବ ଭିତର ରତ୍ନ ଭଣ୍ଡାର,ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
16 July 2024
22:39 PM

Odisha News Live updates: ଦହଣା ସ୍କୁଲ ପରିସରରେ ଭାଲୁ,ପାଠପଢା ବନ୍ଦ,ଗଛ ଉପରୁ ଉଦ୍ଧାର କଲା ବନ ବିଭାଗ
୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସ୍କୁଲ ପରିସର ଏକ ଗଛ ଉପରୁ ଏକ ଜଙ୍ଗଲୀ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରିବାରେ ସଫଳ ହୋଇଛି ବନବିଭାଗ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ସୁରକ୍ଷିତ ସ୍ଥାନରେ ଭାଲୁ କୁ ଛଡା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦହଣା ପ୍ରାଥମିକ ସ୍କୁଲ ପରିସରରେ ଆଜି ସକାଳୁ ଏକ ଭାଲୁ ପଶି ବୁଲାବୁଲି କରୁଥିଲା । ବିଦ୍ୟାଳୟ ଖୋଲିବା ପରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଲୁଟି ନିର୍ମାଣଧୀନ ଏକ ଘର ସମ୍ମୁଖରେ ଶୋଇଥିବାର ଦେଖିଥିଲେ । ଏହାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଇ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଜ ଘରକୁ ଫେରାଇ ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚିଥିଲେ ।

22:38 PM

Odisha News Live Updates: ମମତାଙ୍କୁ ହାଇକୋର୍ଟରୁ ଝଟକା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ କୌଣସି ଅପମାନଜନକ କିମ୍ବା ମିଥ୍ୟା ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କଲିକତା ହାଇକୋର୍ଟ ମଙ୍ଗଳବାର ରାୟ ଶୁଣାଇଛନ୍ତି। ଜୁନ୍ ୨୮ତାରିଖରେ ବୋଷ କଲିକତା ହାଇକୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳାମାନେ ରାଜଭବନ ଯିବାକୁ ଭୟ କରୁଛନ୍ତି ବୋଲି ତାଙ୍କ ନିକଟରେ ଅଭିଯୋଗ କରିଥିଲେ। ମେ’ ୨ ତାରିଖରେ ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ସିଭି ଆନନ୍ଦ ବୋଷଙ୍କୁ ରାଜ୍ୟପାଳଙ୍କ ବାସଭବନରେ ଅସଦାଚରଣ କରିଥିବା ଅଭିଯୋଗ ଆଣିବା ପରେ କୋଲକାତା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ମହିଳାମାନେ ତାଙ୍କୁ କହିଥିଲେ ଯେ “ନିକଟରେ ରାଜଭବନରେ ଘଟିଥିବା ଘଟଣା ଯୋଗୁଁ ସେମାନେ ରାଜଭବନ ଯିବାକୁ ଡରୁଛନ୍ତି।

19:42 PM

Odisha News Live Updates: କେନ୍ଦ୍ର ବଜେଟ୍ ୨୦୨୪ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହାଲୱା ସମାରୋହ ଅନୁଷ୍ଠିତ
ୟୁନିୟନ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ନର୍ଥ ବ୍ଲକ୍‌ରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା। ନର୍ଥ ବ୍ଲକ‌୍‌ରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା। ଏକ ପରମ୍ପରା ଅନୁଯାୟୀ, ବଜେଟ୍ ପ୍ରସ୍ତୁତିର “ଲକ୍-ଇନ୍” ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ହାଲୱା ସମାରୋହ ଆୟୋଜିତ ହୋଇଥାଏ।

19:41 PM

Odisha News Live updates: ବିଗିଡ଼ିଗଲା କେ.କବିତାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି
ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର (ଜୁଲାଇ ୧୬) ହଠାତ୍ ଖରାପ ହୋଇଯାଇଛି। ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ଆସି ତିହାର ପ୍ରଶାସନ କବିତାଙ୍କୁ ଦିଲ୍ଲୀର ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ନିର୍ଦ୍ଦିଷ୍ଟଭାବେ ତାଙ୍କୁ କାହିଁକି ଡାକ୍ତରଖାନା ନିଆଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

16:14 PM

Odisha News Live Updates: ରାହୁଲଙ୍କୁ ଅମର୍ତ୍ତ୍ୟ ସେନଙ୍କ ପ୍ରଶଂସା
ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପ୍ରଫେସର ଅମର୍ତ୍ତ୍ୟ ସେନ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମୟ ସହିତ ପରିପକ୍ୱ ହୋଇ ସାରିଛନ୍ତି। କିନ୍ତୁ ତାଙ୍କର ଗୋଟିଏ ପରୀକ୍ଷା ବାକି ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାରରେ ବିରୋଧୀ ଦଳର ନେତୃତ୍ୱ କିପରି ନେବେ ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ତାଙ୍କର ପ୍ରକୃତ ପରୀକ୍ଷା ହେବ। ୯୦ ବର୍ଷ ବୟସ୍କ ସେନ୍ କହିଛନ୍ତି ଯେ ରାହୁଲଙ୍କ ଭାରତ ଯୋଡୋ ଯାତ୍ର’ ତାଙ୍କୁ କେବଳ ଜାତୀୟ ନେତା ଭାବରେ ପ୍ରତିଷ୍ଠିତ କରିନାହିଁ ବରଂ ଦେଶର ରାଜନୈତିକ ଦୃଶ୍ୟକୁ ମଧ୍ୟ ସମୃଦ୍ଧ କରିଛି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜର ଛାତ୍ର ଥିବା ସମୟରେ ରାହୁଲ ନିଜ ଜୀବନରେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ଅନିଶ୍ଚିତ ଥିଲେ। ସେତେବେଳେ ରାଜନୀତି ତାଙ୍କୁ ଆକର୍ଷିତ କରି ନ ଥିଲା।

15:59 PM

Odisha News Live updates: ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ଭିକି କୌଶଲ ଓ ତୃପ୍ତି ଡିମ୍ରି
ଅଭିନେତା ଭିକି କୌଶଲ ଏବେ ତାଙ୍କର ସିନେମା ‘ବ୍ୟାଡ୍‌ ନ୍ୟୁଜ୍‌’ର ପ୍ରମୋସନରେ ବେଶ୍‌ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ତାଙ୍କୁ ଦିଲ୍ଲୀର ମେଟ୍ରୋ ଟ୍ରେନ୍‌ରେ ଦେଖିବାକୁ ମିଳିଛି।ଭିକିଙ୍କ ସହ ତାଙ୍କ ସହ-ତାରକା ପଞ୍ଜାବୀ ଗାୟକ-ଅଭିନେତା ଆମି ଭିର୍କ ଏବଂ ‘ଆନିମଲ୍‌’ ଫେମ୍‌ ତୃପ୍ତି ଡିମ୍ରି ବି ନଜର ଆସିଛନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

15:58 PM

Odisha News Live Updates: ୫ ଯବାନ ଗୁରୁତର
ସୋମବାର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି।

14:16 PM

Odisha News Live Updates: ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଅଛି। ଯେଉଁଥିରେ ନଡ୍ଡା ଯୋଗ ଦେବେ ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଆଜି ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଏହା ଜେପି ନଡ୍ଡାଙ୍କ ପ୍ରଥମ ଓଡିଶା ଗ୍ରସ୍ତ। 

13:18 PM

Odisha News Live Updates: ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସନ୍ଦେହ ଜନକ ଭୂତାଣୁ ଯୋଗୁଁ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।ଏନେଇ  ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ମାମଲା ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଚାନ୍ଦିପୁରା ଭୂତାଣୁ ର ଲକ୍ଷଣ ସାମାନ୍ୟ ହେଲେ ବି ଏଥିରେ ମାରାତ୍ମକ ଜ୍ବର ସୃଷ୍ଟି ହେଉଛି। ଯାହା ଫ୍ଲୁ ଭଳି ଲକ୍ଷଣ ଏବଂ ତୀବ୍ର ଏନସେଫାଲାଇଟିସ୍ (ମସ୍ତିଷ୍କର ପ୍ରଦାହ) ସହିତ ହୋଇଥାଏ। ଏହା ମଶା ଏବଂ ମାଛି ଇତ୍ୟାଦି ଦ୍ବାରା ବିସ୍ତାର ହେଉଛି।

 

12:59 PM

Odisha News LIVE Updates: ଦ୍ୱିତୀୟ ପର୍ଯ୍ଯାୟ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଆସନ୍ତା ୧୮ତାରିଖ ଶନିବାର ୯.୫୧-୧୨.୧୫ ଶୁଭମୁହୂର୍ତ୍ତରେ ଖୋଲାଯିବ ରତ୍ନଭଣ୍ଡାର। ଭିରତ ରତ୍ନଭଣ୍ଡାରରୁ ରତ୍ନାଳଙ୍କାର ଖଟ ସେଜ ଘରକୁ ସ୍ଥାନାନ୍ତରିତ କରାଯିବ। 

 

12:50 PM

Odisha News LIVE Updates: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା।ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନାଙ୍କ ଏତଲା।୭ ଓ ୮ ତାରିଖରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା।ଏ ସମ୍ପର୍କିତ ଫଟୋ ,ଭିଡିଓ ଓ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ପ୍ରମାଣ ଆଧାରରେ ଦିଆଯାଇଛି।ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ।

 

12:40 PM

Odisha News Live Updates: ଆସନ୍ତା ଗୁରୁବାର ଖୋଲିବ ରତ୍ନ ଭଣ୍ତାର। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି  କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ।
ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍‌ କରାଯିବ। ତାଲାକୁ ଜଉମୁଦ ସିଲ୍‌ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ । ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ରତ୍ନ ଭଣ୍ତାର। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ। ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ। 

 

12:37 PM

Odisha News Live Updates:  ଗୁରୁବାର ଶ୍ରୀମନ୍ଦିର ପ୍ରବେଶ କଟକଣା । ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ। ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା। ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ। 

 

12:35 PM

 Odisha News Live Updates:  ଚତୁର୍ଦ୍ଧାମୂର୍ତ୍ତି ଆଜି ଜନ୍ମବେଦି ଛାଡ଼ି ବାହୁଡ଼ା ଯାତ୍ରାରେ ରତ୍ନବେଦି ଅଭିମୁଖେ ବାହାରିବେ। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏନେଇ ପୂର୍ବ ନୀତି ନିର୍ଘଣ୍ଟ ନେଇ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ରଥଟଣା ହେବ। ଶ୍ରଦ୍ଧାଳୁଙ୍କ ଗହଳିକୁ ଦୁଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ନେଇ ଚଳଚଞ୍ଚଳ ମାଉସୀମାଠୁ ଶ୍ରୀବଳଦେବଜୀଉଙ୍କ ପୀଠ। 

 

12:17 PM

Odisha News Live Updates: ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୯ଟା ୫୧ ସମୟରେ ପୁଣିଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ।

11:14 AM

Odisha News Live Updates: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଛି ବୈଠକ। ବୈଠକରେ ରତ୍ନଭଣ୍ଡାର ଖୋଲିବା, ରତ୍ନାଳଙ୍କାର ଗଣତି ମଣତି କରିବା ସହ ମରାମତି ଉପରେ ଚାଲିଛି ବିସ୍ତୃତ ଆଲୋଚନା। ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ଯ ପ୍ରମୁଖ ଉପସ୍ଥିତ।

11:00 AM

"Odisha News Live Updates: କେନ୍ଦ୍ରରେ କ୍ଷମତାସୀନ ଏନ୍‍ଡିଏ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହରାଇଛି। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏନ୍‍ଡିଏର ସଦସ୍ୟଙ୍କ ସଂଖ୍ୟା ୧୦୧ ହୋଇଛି। ୨୪୫ ସଦସ୍ୟ ବିଶିଷ୍ଠ ରାଜ୍ୟସଭାରେ ଏବେ ୨୨୫ ଜଣ ସଦସ୍ୟ କାର୍ଯ୍ୟରତ ରହିଛନ୍ତି। ସଂଖ୍ୟା ଗରିଷ୍ଠତା ଲାଗି ୧୧୩ ସଦସ୍ୟଙ୍କ ଆବଶ୍ୟକତା ରହିଛି। ଅନ୍ୟ ୭ ମନୋନୀତ ଏବଂ ୧ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ପରେ ରାଜ୍ୟସଭାରେ ଏନ୍‍ଡିଏର ସଦସ୍ୟ ସଂଖ୍ୟା ୧୦୯ ହେଉଥିଲେ ମଧ୍ୟ ଏବେ ୪ ଜଣଙ୍କ ଅଭାବ ରହିବ। ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ସରକାରଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ବଜେଟ ପରିଚାଳନା ଲାଗି କୌଣସି ନୀତିଗତ ଅସୁବିଧା ହେବ ନାହିଁ। ଯେଉଁ  ୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଚି ସେମାନେ  ହେଲେ, ରାକେଶ ସିହ୍ନା, ସୋନାଲ ମାନ ସିଂହ, ରାମ ସକଲ ଏବଂ ମହେଶ ଜେଠମାଲାନୀ।

 

10:27 AM

Odisha News Live Updates: ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ମାଡ଼ ମରା ଅଭିଯୋଗ ଆଣିଥିବା ଆହତ ଏଏସ୍‍ଓଙ୍କ ଦଣ୍ଡ ଭୋଗିବାକୁ ପଡ଼ିଛି। ଦୀର୍ଘ ବର୍ଷ ହେଲା ସେ ଯେଉଁ ପଦବୀରେ ରହି ରାଜଭବନରେ ସେବା ଯୋଗାଉଥିଲେ ତାଙ୍କୁ ସେଠାରୁ ବଦଳି କରାଯାଇ ଗୃହ ବିଭାଗକୁ ଅଣାଯାଇଛି। ୭ ତାରିଖ ଦିନ ସଚିବାଳୟ ଏଏସ୍‍ଓ ପାହ୍ୟାର ଏହି କର୍ମଚାରୀଙ୍କୁ ଲଳିତ କୁମାର ମାଡ଼ ମାରି ମୁହଁ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟପାଳ ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କ ପତ୍ନୀଙ୍କୁ ଡାକି କହିଥିଲେ। 

08:50 AM

Odisha News Live Updates:  ଗତ କିଛିଦିନ ହେଲା ଓଡ଼ିଆ ଯୁବ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କୁ ‘ଷ୍ଟାର୍ଟ ଅପ୍‍ ଓଡ଼ିଶାରେ  ଅବହେଳା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇ ଯାଇଛି।  ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶନାମା/ସର୍କୁଲାର/ଗାଇଡଲାଇନ୍/ବିଜ୍ଞପ୍ତିକୁ ବିଚାରକୁ ନ ନେଇ ସରକାର ଷ୍ଟାର୍ଟଅପ୍ ଓଡ଼ିଶାକୁ ଆର୍ଥିକ କ୍ଷମତା ଅନୁସରଣ କରି ଏହାର ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

08:11 AM

Odisha News Live Updates: ଆଇପିଏସ୍‍ ଅଧିକାରୀଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତି ଦେବାରେ ନବୀନ ସରକାରଙ୍କ ସହ ପ୍ରତିଯୋଗୀତା କରିଛନ୍ତି ବର୍ତ୍ତମାନର ମୋହନ ମାଝି ସରକାର। ଏହାଦ୍ୱାରା ଏବେ ୫ ବରିଷ୍ଠ ଆଇପିଏସ୍‍ ବିନା କୌଣସି ନିର୍ଦ୍ଧାରିତ ଦାୟିତ୍ୱରେ ଗୃହ ବିଭାଗରେ ଓଏସ୍‍ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହି ତାଲିକାରେ ସଦ୍ୟ ଭାବେ ସାମିଲ୍‍ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଅଧିକାରୀ ଡିଏସ୍‍ କୁଟ୍ଟେ ଏବଂ ଦିଲ୍ଲୀରେ ଅବସ୍ଥାପିତ ଥିବା ଓଡ଼ିଶା ଆବାସିକ କମିଶନର ରବି କାନ୍ତ। ପୂର୍ବରୁ ମୋହନ ମାଝି ସରକାର ଆଶୀଷ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାନ ପଦକ୍ଷେପ ନେଇଥିଲେ। ସେହିପରି ନବୀନ ସରକାର ମଧ୍ୟ ରିତୁ ଅରୋରା ଏବଂ ଏସ୍‍ଏମ୍‍ ନରଓ୍ୱାଣେଙ୍କୁ ଗୃହ ବିଭାଗର ଓଏସ୍‍ଡି ଦାୟିତ୍ୱ ଦେଇଥିଲେ।

07:54 AM

Odisha News Live Updates:  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିୟମ ନୋଟିସ ହେବାର ଚାରି ମାସ ପରେ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଅନୁଯାୟୀ, କେବଳ ଆଠ ଜଣ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି। ସିଏଏ ବିରୋଧୀ ପ୍ରଦର୍ଶନକାରୀମାନେ କିପରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ତାହା ସରମା ସ୍ପଷ୍ଟ କରି କହିଛନ୍ତି,ଏବଂ ସଂଶୋଧିତ ଆଇନ ଅନୁଯାୟୀ ୫୦ ଲକ୍ଷ ପର୍ଯ୍ୟନ୍ତ ବେଆଇନ ପ୍ରବାସୀ ଭାରତୀୟ ନାଗରିକତ୍ୱ ପାଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି।

 

07:29 AM

Odisha Daily News Live: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ତଳର ୭.୬ କିମି ଯାଏଁ ବ୍ୟାପିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା କ୍ରମଶଃ ଦକ୍ଷିଣ ପଶ୍ଚିମ ଦିଗକୁ  ଗତି କରିବା  ପ୍ରଭାବରେ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ଗତ ୧୨ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ୍, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ,  କେନ୍ଦୁଝର , ଝାରସୁଗୁଡା, ଢେଙ୍କାନାଳ, ଅନୁଗୁଳ , ବରଗଡ, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା , ଗଜପତି ଓ କଳାହାଣ୍ତି  ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

07:26 AM

Horoscope Today 16 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୬ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କ୍ ଉପରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ