ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା
Advertisement
Article Detail0/zeeodisha/odisha2269202

ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା

ଯେତେବେଳେ ବାପା ତାଙ୍କ ପୁଅର ଏପରି କାମ ବିଷୟରେ ଜାଣିଲେ ସେତେବେଳେ ପ୍ରଥମେ ପୁଅକୁ ତାଗିଦ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଉକ୍ତ ଟଙ୍କା ସହ ପୁଅକୁ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଥାନାରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ଉକ୍ତ ଟଙ୍କାକୁ ଫେରସ୍ତ କରିଥିଲେ ।

ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖାର୍ଗୋନ ଅଞ୍ଚଳରେ ଏଟିଏମରୁ ଟଙ୍କା ଉଠାଇବାର ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଜଣେ ନାବାଳକ ରାସ୍ତାରୁ ଏକ ଏଟିଏମ ପାଇଥିଲେ ଆଉ ତାହାକୁ ବ୍ୟବହାର କରି ଟଙ୍କା ଉଠାଇବାରେ ସଫଳ ମଧ୍ୟ ହୋଇଥିଲେ । ସବୁଠୁ କୌତୁହଳର ବିଷୟ ଏହା ଯେ, ମାତ୍ର ୨ଥର ଚେଷ୍ଟାରେ ସଠିକ୍ ପିନ୍ ଏଣ୍ଟ୍ରି କରିଥିଲେ ନାବାଳକ ଜଣକ । ଆଉ ସଠିକ୍ ପିନ୍ ମାରିବା ପରେ ୨୫ ହଜାର ଟଙ୍କା ଉଠାଇ ଘରକୁ ଫେରିଥିଲେ । ଯେତେବେଳେ ବାପା ତାଙ୍କ ପୁଅର ଏପରି କାମ ବିଷୟରେ ଜାଣିଲେ ସେତେବେଳେ ପ୍ରଥମେ ପୁଅକୁ ତାଗିଦ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଉକ୍ତ ଟଙ୍କା ସହ ପୁଅକୁ ଧରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଥାନାରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ଉକ୍ତ ଟଙ୍କାକୁ ଫେରସ୍ତ କରିଥିଲେ ।

ସୂଚନା ମୁତାବକ, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ବାରୱା ପୋଲିସ ଷ୍ଟେସନ ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏଟିଏମରେ ଟଙ୍କା ଉଠାଇବା ପରେ ଭୁଲ ବଶତଃ ସେହି ସ୍ଥାନରେ ଏଟିଏମ କାର୍ଡ ହଜାଇ ଦେଇଥିଲେ । କିଛି ସମୟ ପରେ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଉଠାଇବାର ମେସେଜ୍ ମୋବାଇଲକୁ ଆସିବା ପରେ ବ୍ୟକ୍ତିଜଣକ ବ୍ୟସ୍ତ ହୋଇପଡିଥିଲେ । ଆକାଉଣ୍ଟରୁ ଟଙ୍କା କଟିବା ପରେ ତୁରନ୍ତ ବ୍ୟକ୍ତିଜଣକ ସମାନ ଏଟିଏମରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଏଟିଏମ କାର୍ଡ ମିଳି ନଥିଲା। ଏହା ପରେ ଅଭିଯୋଗକାରୀ ପୋଲିସ ଷ୍ଟେସନରେ ପହଞ୍ଚି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ଥାନା ଦାୟିତ୍ୱରେ ଥିବା ଅଧିକାରୀ ନିର୍ମଳ ଶ୍ରୀରାମ ନିଜ ଟିମକୁ ଏଟିଏମ୍ ଯାଞ୍ଚ କରିବାକୁ ପଠାଇଥିଲେ । ସିସିଟିଭି ଫୁଟେଜ୍ ପାଇବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିଥିବା ସମୟରେ ୪୨ ବର୍ଷିୟ ହେମରାଜ ପ୍ରଜାପତି ତାଙ୍କ ୧୬ ବର୍ଷର ପୁଅ ହର୍ଷ ଏବଂ ତାଙ୍କ ବନ୍ଧୁ ବାଦଲଙ୍କ ସହ ଥାନାରେ ପହଞ୍ଚିଥିଲେ ।

ହେମରାଜ କହିଛନ୍ତି, ମୁଁ ମୋ ଏଟିଏମକୁ ମୋ ପୁଅ ହର୍ଷଙ୍କୁ ଦେଇ ଟଙ୍କା ଉଠାଇବାକୁ ପଠାଇଥିଲି । ଜୟ ଷ୍ଟାମ୍ବ ଛକଠାରେ ଥିବା ଏଟିଏମକୁ ଯାଇଥିଲେ ଟଙ୍କା ଉଠାଇବାକୁ । ସେଠାରେ ସେ ଏକ ଏଟିଏମ୍ କାର୍ଡ ପଡିଥିବାର ଦେଖିଲେ । ଏହାକୁ ବ୍ୟବହାର କରି ସେ ୨୫ ହଜାର ୫୦୦ ଟଙ୍କା ପ୍ରତ୍ୟାହାର କରିବାରେ ସଫଳ ହୋଇଥିଲେ । ଯେତେବେଳେ ପୁଅ ହର୍ଷ ଘରକୁ ଫେରିଲେ ସେ ପୁରା ଘଟଣା ସମ୍ପର୍କରେ ମତେ ଜଣାଇଥିଲେ । ଏହା ପରେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଅଭିଯୋଗକାରୀ ଯୋଗେଶ ଯାଦବଙ୍କୁ ଡାକି ତାଙ୍କ ଆକାଉଣ୍ଟରୁ କଟିଥିବା ୨୫,୫୦୦ ଟଙ୍କା ଫେରସ୍ତ କରିଥିଲେ। ଏହି ଘଟଣାରେ ପିତା ହେମରାଜ କେବଳ ନିଜ ସଚ୍ଚୋଟତାର ଉଦାହରଣ ଦେଇନାହାଁନ୍ତି ବରଂ ପିଲାମାନଙ୍କୁ ଭଲ ଉପଦେଶ ମଧ୍ୟ ଦେଇଛନ୍ତି । ଏହି କାରଣ ପାଇଁ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ନିର୍ମଳ ଶ୍ରୀବାସ ଏବଂ ଉପସ୍ଥିତ କର୍ମଚାରୀମାନେ ହେମରାଜଙ୍କୁ ନଗଦ ଅର୍ଥ ଦେଇ ସମ୍ମାନିତ କରିଥିଲେ।