ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ଦଣ୍ଡ ପଣା ପିଇ ୩ ମୃତ, ଅର୍ଦ୍ଧାଧିକ ଗ୍ରାମବାସୀ ଆକ୍ରାନ୍ତ
Advertisement

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ଦଣ୍ଡ ପଣା ପିଇ ୩ ମୃତ, ଅର୍ଦ୍ଧାଧିକ ଗ୍ରାମବାସୀ ଆକ୍ରାନ୍ତ

ଗତ ଦୁଇ ଦିନ ହେଲା ବାଖରପଟା ଗାଁରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଗ୍ରାମର ୧୦ରୁ ଊର୍ଦ୍ଧ୍ୱ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏବେ ଏକାଧିକ ଆକ୍ରାନ୍ତ ଧରାକୋଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। 

ଡିଜାଇନ୍ ଫଟୋ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରପଟା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ପରିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାଖରପଟା ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଦଣ୍ଡନାଚର ପଣା ପିଇ ଝାଡ଼ାବାନ୍ତି ବ୍ୟାପିଥିବା ଧରାକୋଟ ମେଡିକାଲ ଇନଚାର୍ଜ କହିଛନ୍ତି।

ଗତ ଦୁଇ ଦିନ ହେଲା ବାଖରପଟା ଗାଁରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଗ୍ରାମର ୧୦ରୁ ଊର୍ଦ୍ଧ୍ୱ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏବେ ଏକାଧିକ ଆକ୍ରାନ୍ତ ଧରାକୋଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଧରାକୋଟ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ଗ୍ରାମରେ ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା କରିଛନ୍ତି। ଝାଡାବାନ୍ତି ବ୍ୟାପୁଥିବାରୁ ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Also Read: ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା; କିଏ ସେହି ଗିରଫ ସନ୍ଦିଗ୍ଧ? ଆଜି ସ୍ପଷ୍ଟ ହେବ ପରିଚୟ

ଝାଡାବାନ୍ତିରେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ମଙ୍ଗଳବାର ହୋଇଥିଲା। ବୁଧବାର ସକାଳେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗାଁ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଣ୍ଡ ନାଚରେ କୌଣସି ଅଘଟଣ ଯୋଗୁଁ ଏପରି ହୋଇଥିବା କହୁଛନ୍ତି। ପ୍ରାଥମିକ ତଦନ୍ତରୁ ଦଣ୍ଡ ନାଚର ପଣା ପିଇ ଏପରି ଝାଡ଼ାବାନ୍ତି ବ୍ୟାପିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଛି। ଲୋକଙ୍କ ଅବସ୍ଥା ସୁଧୁରୁଛି ବୋଲି ଧରାକୋଟ ମେଡିକାଲ ଇନଚାର୍ଜ କହିଛନ୍ତି।

ସପ୍ତାହେ ପୂର୍ବେ କବିସୂର୍ଯ୍ୟନଗର ବ୍ଲକ ଓ ପୌରାଞ୍ଚଳରେ ଝାଡାବାନ୍ତିରେ ଆକ୍ରାନ୍ତ ଦେଖାଦେଇଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିଲେ। ଗୁରୁତରଙ୍କୁ ଆସିକା ଓ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହଠାତ ଝାଡାବାନ୍ତି ବ୍ୟପୀବାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଯାଇଛି। କବିସୂର୍ଯ୍ୟନଗରରେ ପ୍ରଦୂଷିତ ଜଳ ଓ ପଖୋରୀ ପାଣି ପାଇଁ ହଇଜା ବ୍ୟପୀଥିବା ସନ୍ଦେହ କରାଯାଉଛି।