)
ଭଦ୍ରକ: ବରପଦା ନିକଟରେ ଦୁଇ ଲୁଟେରାଙ୍କୁ ଭଦ୍ରକ ପୋଲିସ ଏନକାଉଣ୍ଟର କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଚାରିଜଣଙ୍କୁ ପୋଲିସ ଅଟକ ରଖିଛି ତଦନ୍ତ କରୁଛି। ଅପରାଧୀଙ୍କ ନିକଟରୁ ୨ ଖଣ୍ଡା, ୩ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି।
ଏଟିଏମ୍ ଲୁଟ୍ ମାମଲାରେ ସଂପୃକ୍ତି ସନ୍ଦେହରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ ଅଭିଯୁକ୍ତଙ୍କ ଏନ୍କାଉଣ୍ଟର (Encounter) କରିଛି। ବରପଦା ନିକଟରେ ଏହି ଏନକାଉଣ୍ଟର ହୋଇଛି। ଦୁଇ ଅଭଯୁକ୍ତ ସୋର (Soro) ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ବୋଲି ସୂଚନା ମିଳିଛି। ଉଭୟଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରହ୍ଲାଦ ଓ ସୁଶାନ୍ତଙ୍କୁ କଟକ (Cuttack) ସ୍ଥାନାନ୍ତର କରାଯାଇଛି।
ଏହି ମାମଲାରେ ଭଦ୍ରକ ପୋଲିସ୍ (Bhadrak Police) ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚାଉଚରା କରୁଛି। ସେମାନଙ୍କ ନିକଟରୁ ୨ ଖଣ୍ଡା, ୩ ବନ୍ଧୁକ ଏବଂ ୪ ମାଗାଜିନ୍ ଜବତ ହୋଇଛି। ତେବେ ଏନକାଉଣ୍ଟର ବେଳେ ପୋଲିସକୁ ପାଲଟା ଆକ୍ରମଣ ହୋଇଥିବା ପୋଲିସ କହିଛି। ସମସ୍ତ ପୋଲିସ କର୍ମୀ ସୁରକ୍ଷିତ ଅଛନ୍ତି। ଅଭିଯୁକ୍ତମାନଙ୍କ ଏହି ଗ୍ୟାଙ୍ଗ ପୂର୍ବରୁ ବହୁ ଲୁଟରେ ଜଡିତ ଓ ସେମାନଙ୍କ ବିହାର ଲିଙ୍କ ଥିବା ସୂଚନା ମିଳିଛି।
ସୂଚନାନୁସାରେ, ଗତ ୨୬ ତାରିଖ ରାତିରେ ଭଦ୍ରକ (Bhadrak) ଚରମ୍ପାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହି ଲୁଟ୍ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ଆଉ ଏହି ମାମଲାରେ ଚଢଉ ବେଳେ ଅଭିଯୁକ୍ତମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଶେଷରେ ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲେ।