ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ
Advertisement
Article Detail0/zeeodisha/odisha704336

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ

ଗଞ୍ଜାମରେ ସୀମା ଲଂଘୁଛି କୋରୋନା

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୫୧ ନୂଆ ପଜିଟିଭ

ଭୁବନେଶ୍ୱର: ଗଞ୍ଜାମରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟାରେ ସବୁ ରେକର୍ଡ ଭାଙ୍ଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୧୦୨ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହା ସହିତ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୫୧ଟି ମାମଲା ସାମ୍ନାକୁ ଆସିଛି। ଏହି ମାମଲା ମଧ୍ୟରୁ ୨୦୮ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୪୩ଟି ମାମଲା ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୭,୩୧୬ରେ ପହଞ୍ଚିଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫,୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୦୯୪ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୨୪୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। ତେବେ କୋରୋନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଞ୍ଚିଛି। 

ସେପଟେ ୧୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ସେହିପରି ଅନୁଗୋଳ, ସୋନପୁର ଓ ଯାଜପୁରରୁ ଜଣେ ଲେଖାଏଁ, ବାଲେଶ୍ୱର ଓ ସମ୍ବଲପୁରରୁ ଦୁଇ ଜଣ, ବରଗଡ଼ ଓ ପୁରୀରୁ ୧୨ ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଲେଖାଏଁ, କଟକରୁ ୩୨ ଜଣ, ଗଜପତିରୁ ୬ ଜଣ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୨୬ ଜଣ, ମାଲକାନଗିରିରୁ ୧୦ ଜଣ, ନୟାଗଡ଼ରୁ ୧୪ ଜଣ, ସୁନ୍ଦରଗଡ଼ରୁ ୭ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହା ବ୍ୟତୀତ ଜଣେ ଏନଡିଆରଏଫ ଯବାନ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ସୂଚନା ହୋଇଛନ୍ତି।