ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷ ଥର ପାଇଁ ଜାନୁଆରୀ ୧୦ରେ ୪ ହଜାର ୮୨୯ ପଜିଟିଭ୍ ବାହାରିଥିଲେ।
Trending Photos
ଭୁବନେଶ୍ୱର: ଗତ ୧୦ ଦିନ ହେଲା ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଲଗାତାର ଖସିବାରେ ଲାଗିଛି। କିନ୍ତୁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ପ୍ରାୟ ୫୦ ଦିନ ପରେ ୫ ହଜାରରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ତୃତୀୟ ଲହରର ସବୁଠୁ ଅଧିକ ମୃତ୍ୟୁ ଶନିବାର ରେକର୍ଡ କରାଯାଇଛି।
ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷ ଥର ପାଇଁ ଜାନୁଆରୀ ୧୦ରେ ୪ ହଜାର ୮୨୯ ପଜିଟିଭ୍ ବାହାରିଥିଲେ। ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୨୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୩ ମାମଲାର ରହିଛି। ୬୭୧ ଜଣ ଆକ୍ରାନ୍ତ୍ରଙ୍କ ବୟସ ୧୮ ବର୍ଷରୁ କମ୍ ରହିଛି। ଖୋର୍ଦ୍ଧାରେ ସର୍ବାଧିକ ୧୨୫୩, କଟକରେ ୪୪୩ ଓ ନୟାଗଡ଼ରେ ୨୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Also Read: ରାଜ୍ୟରେ ଆଉ ଦୁଇ ଦିନ ଜାଡ଼, ଥରିବ ଆଭ୍ୟନ୍ତରୀଣ
ସେପଟେ ରାଜ୍ୟରେ ଦିନକରେ ସର୍ବାଧିକ (ତୃତୀୟ ଲହରରେ) କୋରୋନା ଜନିତ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। କଟକ, ଅନୁଗୁଳ, ବରଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ରାୟଗଡ଼ାରୁ ଜଣ ଜଣଙ୍କର ଜୀବନ ଯାଇଛି। ଏହା ପରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୫୭୫କୁ ବୃଦ୍ଧି ପାଇଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮କୁ ବୃଦ୍ଧି ପାଇଛି। ୫୮ ହଜାର ୫୩୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା ତିନିକୁ ପହଞ୍ଚିଛି। ସକ୍ରୀୟ ମାମଲାରେ ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ ରେଡ୍ ଜୋନରେ ଅଛନ୍ତି। ସେହିପରି ୧୦ଟା ଜିଲ୍ଲା ୟେଲୋ ଜୋନରେ ଅଛନ୍ତି।
Also Read: 'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମ
ରାଜ୍ୟର କୋରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ବି ରାଜ୍ୟରେ ଓମିକ୍ରନ ଓ ଡେଲ୍ଟା ଭ୍ୟାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ସାମ୍ପଲ ସର୍ଭେରୁ ୨୫ରୁ ୩୦% ଡେଲ୍ଟା ଥିବା ଜଣାପଡ଼ିଛି। ଡେଲ୍ଟା ଭ୍ୟାରିଆଣ୍ଟ ଅଧିକ ଗୁରୁତର କରୁଥିବାରୁ ଏଯାଏଁ ବିପଦ ଟଳିନି। ନୂଆ ଭ୍ୟାରିଆଣ୍ଟ ନିଓକୋଭ କେବଳ ପକ୍ଷୀଙ୍କ ଠାରେ ଦେଖିବାକୁ ମିଳୁଛି। ପକ୍ଷୀରୁ ମଣିଷକୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିବା WHO କହିଛି। ସବୁ ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ କଟକଣା ନିଷ୍ପତ୍ତି ନେବେ।
ଅନ୍ୟପଟେ ଦେଶରେ ଦିନକରେ ୨ ଲକ୍ଷ ୩୫ ହଜାର ୫୩୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣଙ୍କ ମୃତ୍ୟୁ ହୋଇଛି। କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୩ ହଜାର ୧୯୮କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭିଟି ହାର ୧୩.୩୯ ପ୍ରତିଶତ ଅଛି। ୨୦ ଲକ୍ଷ ୪ ହଜାର ୩୩୩ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।