ମହାରାଷ୍ଟ୍ର ମଞ୍ଚରେ 'ବିଶ୍ୱାସ-ଅବିଶ୍ୱାସ ଓ ବିଶ୍ୱାସଘାତକତା'ର ମହାନାଟକ

ରାଜନୀତିରେ ବି କଡ଼ ଲେଉଟାଏ ଇତିହାସ

ମହାରାଷ୍ଟ୍ର ମଞ୍ଚରେ 'ବିଶ୍ୱାସ-ଅବିଶ୍ୱାସ ଓ ବିଶ୍ୱାସଘାତକତା'ର ମହାନାଟକ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଘଟିଥିବା ବିଶ୍ୱାସ-ଅବିଶ୍ୱାସ ଓ ବିଶ୍ୱାସଘାତକତା ନାଟକରେ ବିଜେପି ବାଜି ମାରିବା ପରେ ସମଗ୍ର ଦେଶ ହଲଚଲ ହୋଇପଡ଼ିଛି । ଅତୀତରେ କଂଗ୍ରେସ ଯେଉଁ ଭଳି ବିଶ୍ୱାସଘାତକତା କରି ସରକାର ଗଠନ କରୁଥିଲା, ଆଜି ବିଜେପି ସେହି ଘଟଣାର ପୁନରାବୃତ୍ତି କରୁଛି । ଫରକ୍ ଏତିକି ଯେ, ଅତୀତରେ କଂଗ୍ରେସ ଏଭଳି କରି ନିନ୍ଦିତ ହେଉଥିଲା ଏବଂ ବର୍ତ୍ତମାନ ଏଭଳି କରି ବିଜେପି ବାହାଦୁରୀ ମନେ କରୁଛି । ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ଶିବସେନା ଏବେ ଦାନ୍ତ କାମୁଡ଼ି ପଡ଼ିଛି । ପୁତ୍ର ମୋହ ହେଉ ଅବା ଅହଂକାର, ଏସବୁ ଏବେ ଶିବସେନାର ଭାଙ୍ଗି ଯାଇଛି । ଫଳରେ ଆଗାମୀ ଦିନରେ ଦଳ ଯେ ସଙ୍କଟ ଦେଇ ଗତି କରିବ, ସେ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ସେହିପରି ପ୍ରଥମେ ନିଷ୍ପତ୍ତିରେ ବିଳମ୍ୱ ନେଇ ସାରା ଦେଶରେ ଅପଦସ୍ତ ହୋଇଥିବା କଂଗ୍ରେସ ମଧ୍ୟ ଅଳ୍ପ ଦିନ ଭିତରେ ଭୁଶୁଡ଼ି ପଡ଼ିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । ଅନ୍ୟପଟେ ଅଚାନକ୍ ନିଷ୍ପତ୍ତି ବଦଳେଇ ବିଜେପିର ହାତ ଧରିଥିବା ଅଜିତ ପାୱାର ଏବେ ନିଜ ପରିବାର ପାଇଁ ବଡ଼ ଶତ୍ରୁ ପାଲଟି ଯାଇଛନ୍ତି ।

ବିଜେପି ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବା ସହ ଶପଥ ଗ୍ରହଣ ମଧ୍ୟ କରିଛନ୍ତି ।  କିନ୍ତୁ ଏଯାଏ ବିଜେପି ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ନାହିଁ । ବିଜେପିର ସମୁଦାୟ ବିଧାୟକ ସଂଖ୍ୟା ୧୦୫ । ସେହିପରି ଏନସିପିର ସମୁଦାୟ ବିଧାୟକ ସଂଖ୍ୟା ୫୪ । ଆଜି ସକାଳେ ବିଜେପି ଶିବରକୁ ଏନସିପିର ୧୦ ଜଣ ବିଧାୟକ ଯିବା ପରେ ମିଳିତ ସରକାରରେ ସଂଖ୍ୟା ପହଞ୍ଚି ଥିଲା ୧୧୫ । କିନ୍ତୁ ଏନସିପି ନେତା ନୱାବ ମଲ୍ଲିକଙ୍କ କହିବାନୁସାରେ, ୪ ଜଣ ବିଧାୟକ ଏନସିପି ଶିବିରକୁ ଫେରି ଆସିଛନ୍ତି । ମାତ୍ର, ଅନ୍ୟ ଖବରରୁ ଜଣାପଡ଼ିଛି ଯେ ଏନସିପିର ୯ ଜଣ ବିଧାୟକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀକୁ ଯାଇଛନ୍ତି । ସେମାନେ ହେଲେ ଦୌଲତ ଭିକା ଦରୋଦା, ନରହରି ସୀତାରାମ ଜିରୱାଲ, ସୁନିଲ ଚନ୍ଦ୍ରକାନ୍ତ ଭୁଆସରା, ଦିଲ୍ଲୀପରାଓ ଶଙ୍କରରାଓ ବଙ୍କର, ଅନିଲ ଭାଇଦାସ ପାଟିଲ, ନୀତୀନ ଅର୍ଜୁନ ପାୱାର, ସୁନୀଲ ସେଲକେ, ବାବାସାହେବ ମୋହନରାଓ ପାଟିଲ ଏବଂ ସଞ୍ଜୟ ଭୋଁସଦେ ।  ତନ୍ମଧ୍ୟରୁ ଜଣେ ବିଧାୟକ ଏନସିପିକୁ ଏବେ ବି ସମର୍ଥନ କରୁଥିବା କହିଛନ୍ତି । ତେଣୁ , ସବୁ ଗଣିଚକୁ କାଣ୍ଟଛାଟ କଲେ, ଏନସିପିର ସମୁଦାୟ ୧୪ ଜଣ ବିଧାୟକ ବିଜେପି ସହ ହାତ ମିଳାଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ଆସନ ଆବଶ୍ୟକ ହେଉଥିବାବେଳେ ବିଜେପି ଓ ଏନସିପି ବିଧାୟକ ସଂଖ୍ୟା ୧୧୯ । ସରକାର ଗଠନ ପାଇଁ ଆହୁରି ଆବଶ୍ୟକ ୨୬ ଜଣ ବିଧାୟକଙ୍କ ସମର୍ଥନ ।
 ଅଜିତ ପାୱାରଙ୍କ ବିରୋଧରେ ଥିବା ମାମଲା ମଧ୍ୟରୁ ସବୁଠୁ ବଡ଼ ହେଉଛି ଜଳସେଚନ ଦୁର୍ନୀତି । ପ୍ରାୟ ୭୦ ହଜାର କୋଟି ଟଙ୍କା ସେ ଦୁର୍ନୀତି କରିଥିବା ଅଭିଯୋଗ ଅଛି । ୧୯୯୯ରୁ ୨୦୧୪ ମସିହା ମଧ୍ୟରେ କଂଗ୍ରେସ ଓ ଏନସିପି ମିଳିତ ସରକାର ସମୟରେ ଅଜିତ ପାୱାର ଜଳସେଚନ ବିଭାଗର ମନ୍ତ୍ରୀ ଥିଲେ । ତେଣୁ, ତାଙ୍କୁ ଏହି ମାମଲାରେ ଜେଲ ପଠାଇବାକୁ ବିଜେପି ରାହା ଖୋଜୁଥିଲା । କିନ୍ତୁ ଏହା ନ କରି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀର ପ୍ରଲୋଭନ ଦେଖାଇବା ପରେ ସେ ବିଜେପି ହାତ ଧରିବାକୁ ରାଜି ହୋଇଛନ୍ତି । ଶରଦ ପାୱାରଙ୍କ କଥା ଯଦି ଦେଖିବା, ତେବେ ଦେଶବାସୀଙ୍କ ସମ୍ମୁଖରେ ବିଜେପି ବିରୋଧରେ ବିଷ ଓଗାଳିଥିବା ଚେହେରା ପଛରେ ଯେ ଏକ ଭୟାନକ ରାଜନୈତିକ ଚରିତ୍ର ଲୁଚି ରହିଛି, ତାହା ଆଉ କାହାକୁ ଅଛପା ନାହିଁ । କାରଣ ଯିଏ ଯାହା କହିଲେ ବି ଶରଦ ପାୱାରଙ୍କ ଭୂମିକା ଏଥିରେ ନିଶ୍ଚିତ ଭାବେ ରହିଛି ।

୨୦୧୪ ମସିହାରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ସମୟରେ ପ୍ରାଥମିକ ଭାବେ ଏନସିପି ହିଁ ବିଜେପିକୁ ସମର୍ଥନ କରିଥିଲା । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଏନସିପିକୁ ପ୍ରଶଂସା କରିବା, ମୋଦି-ଶରଦ ପାୱାର ଆଲୋଚନା କରିବା ଆଦି ଅନେକ ଘଟଣା ଏନେଇ ପୂର୍ବରୁ ଆଭାସ ଦେଇ ସାରିଥିଲା । ସେହିପରି ଶରଦ ପାୱାର ଅତୀତରେ ଭାରତ ରାଜନୀତିରେ ଅନେକ ଥର ଏଭଳି କାର୍ଡ ଖେଳିଛନ୍ତି । ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳିନ ପରିସ୍ଥିତି ପରେ କଂଗ୍ରେସ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିଲା । ଫଳ ସ୍ୱରୁପ ୟଶୱନ୍ତ ରାଓ ଚୌହ୍ୱାନ ଓ ବ୍ରହ୍ମାନନ୍ଦ ରେଡ୍ଡୀ ଇନ୍ଦିରା ଗାନ୍ଧିଙ୍କ ଠାରୁ ଅଲଗା ହୋଇ ରେଡ୍ଡୀ କଂଗ୍ରେସ ବା କଂଗ୍ରେସ (ୟୁ) ନାମକ ଏକ ଦଳ ଗଠନ କରିଥିଲେ । ଏହି ଦଳରେ ବସନ୍ତଦାଦା ପାଟିଲ ଓ ଶରଦ ପାୱାର ସାମିଲ ହୋଇଥିଲେ ।

୧୯୭୮ରେ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଜନତା ପାର୍ଟି, ଇନ୍ଦିରା କଂଗ୍ରେସ ଏବଂ ରେଡ୍ଡୀ କଂଗ୍ରେସ ବା କଂଗ୍ରେସ (ୟୁ) ମଧ୍ୟରେ ଲଢ଼େଇ ହୋଇଥିଲା । ଏହି ନିର୍ବାଚନରେ ଜନତା ପାର୍ଟିକୁ ୯୯, ଇନ୍ଦିରା କଂଗ୍ରେସ ୬୨ ଆସନ ଏବଂ ରେଡ୍ଡୀ କଂଗ୍ରେସକୁ ୨୯ଟି ଆସନ ମିଳିଥିଲା । ଅନ୍ୟ ଦଳକୁ ବାକି ଆସନ ମିଳିଥିଲା । ତେଣୁ ଏଠାରେ ସଂଖ୍ୟା ଗରିଷ୍ଠତା କୌଣସି ବି ଦଳ ପାଇ ନଥିଲେ । ଜନତା ପାର୍ଟିକୁ କ୍ଷମତାରୁ ଦୂରେଇ ରଖିବାକୁ ସବୁ ପ୍ରକାର ରଣନୀତି ଆପଣା ଯାଇଥିଲା । ଏହି ସମୟରେ ରେଡ୍ଡୀ କଂଗ୍ରେସର ବସନ୍ତଦାଦା ପାଟିଲ ଦିଲ୍ଲୀ ଯାଇ ୟଶୱନ୍ତ ରାଓ ଚୌହ୍ୱାନ, ବ୍ରହ୍ମାନନ୍ଦ ରେଡ୍ଡୀ ଏବଂ ଚନ୍ଦ୍ରଶେଖରଙ୍କ ସହ ସାକ୍ଷାତ କରିଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧିଙ୍କ ସହ ମଧ୍ୟ ସେମାନେ ଆଲୋଚନା କରିଥିଲେ । ସମସ୍ତେ ଏକାଠି ହୋଇ ଜନତା ପାର୍ଟି ବିରୋଧରେ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ହୋଇଥିଲା । ତେବେ ଇନ୍ଦିରାଙ୍କ ସମର୍ଥନ ପରେ ବସନ୍ତଦାଦା ପାଟିଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଶରଦ ପାୱାର ଉଦ୍ୟୋଗ ମନ୍ତ୍ରୀ ଥିଲେ । କିନ୍ତୁ ପଦବୀର ଲାଳସା ଶରଦ ପାୱାରଙ୍କ ମନରୁ ଯାଇ ନଥିଲା । ତେଣୁ, ସେହି ବର୍ଷ ଜୁଲାଇ ମାସରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ୪୦ ଜଣ ବିଧାୟକଙ୍କୁ ନେଇ ଶରଦ ପାୱାର ସରକାରରୁ ଓହରି ଯାଇଥିଲେ ।  ତାଙ୍କ ସହ ଥିଲେ ସୁଶୀଲ କୁମାର ସିନ୍ଦେ, ସୁନ୍ଦର ରାଓ ସୋଲାଙ୍କି ଓ ଦତ୍ତା ମେଘେଙ୍କ ପରି ନେତାମାନେ ଶରଦ ପାୱାରଙ୍କ ଉପରେ ଭରସା କରି ଇସ୍ତଫା ଦେଇଥିଲେ ଏବଂ ଦଳ ଛାଡ଼ିଥିଲେ । ଏହା ପରେ ଶରଦ ପାୱାର ଜନତା ପାର୍ଟିର ସମର୍ଥନରେ ସରକାର ଗଠନ କରିଥିଲେ ଏବଂ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । କଂଗ୍ରେସ (ୟୁ)କୁ ବାଏ ବାଏ କରି ନୂଆ ଦଳ ଗଢ଼ିଥିଲେ, ଯାହାର ନାଁ ରହିଥିଲା କଂଗ୍ରେସ (ଏସ୍) । ସେହିପରି ୧୯୯୯ରେ ସେହି ପାୱାର ସୋନିଆ ଗାନ୍ଧିଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଅବଶ୍ୟ ପରେ ଦୁଇ ଦଳ ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । କିନ୍ତୁ ୧୯୭୮ର ପୁନରାବୃତ୍ତି ୨୦୧୯ ମସିହାରେ କଲେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ।

ତେଣୁ, ଇତିହାସର ଯେ ପୁନରାବୃତ୍ତି ଘଟେ, ଏଥିରେ ସନ୍ଦେହ ନାହିଁ । ରାଜନୀତିର ପଶାପାଲିରେ କିଛି ବି ହୋଇପାରେ । ଏବେ ମହାରାଷ୍ଟ୍ର ରାଜନୀତିରେ ଦୁଇଟି ଘଟଣା ଘଟିପାରେ । ବିଜେପି କଳେବଳେ କୌଶଳେ ବାକି ୨୬ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବ ନଚେତ୍ ଫଡନାଭିସ ସରକାର ଭାଙ୍ଗିବ । ତେଣୁ, ସମୟର ଚକ୍ରବ୍ୟୂହ କାହାକୁ ଅଭିମନ୍ୟୁ ସଜାଉଛି, ତାହା ଦେଖିବାକୁ ବାକି ରହିଲା ।