ନୂଆବର୍ଷରେ ବଦଳିବ ସ୍ମାର୍ଟ ସିଟି ଜଳାଶୟ ଚିତ୍ର
Advertisement
Article Detail0/zeeodisha/odisha799121

ନୂଆବର୍ଷରେ ବଦଳିବ ସ୍ମାର୍ଟ ସିଟି ଜଳାଶୟ ଚିତ୍ର

ରାଜଧାନୀର ଡ୍ରେନ ହେବ ସ୍ବଚ୍ଛ ଓ ନିର୍ମଳ ରଖିବା ସହ ଜଳାଶୟର ପୁନରୁଦ୍ଧାର ଏବଂ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ବିଏମସି।

ନୂଆବର୍ଷରେ ବଦଳିବ ସ୍ମାର୍ଟ ସିଟି ଜଳାଶୟ ଚିତ୍ର

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ରାସ୍ତା, ଜଳାଶୟ, ପାର୍କ, ଖୋଲା ସ୍ଥାନ, ଖେଳପଡିଆ, ଐତିହ୍ୟସ୍ଥଳୀର ଉନ୍ନତୀକରଣ ପାଇଁ ସିଟି ଇନଭେଷ୍ଟମେଣ୍ଟ୍ସ ଟୁ ଇନୋଭେଟ୍‌ ଇଣ୍ଟିଗ୍ରେଟ୍‌ ଆଣ୍ଡ ସଷ୍ଟେନ୍-ସିଟିଜ୍ (City Investments to Innovate Integrate & Sustain) କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୮୦ କୋଟି ଟଙ୍କାର ସହାୟତା ଦେବେ କେନ୍ଦ୍ର ସରକାର। ଏହାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ-ବିଏସସିଏଲ (BSCL-Bhubaneswar Smart City Limited) କର୍ତ୍ତୃପକ୍ଷ ଭୁବନେଶ୍ବର ଆକ୍ଟିଭ୍‌ (Bhubaneswar Active) ଯୋଜନା ମାଧ୍ୟମରେ ଖର୍ଚ୍ଚ କରିବେ। 

ଏହି ସବୁ ପ୍ରକଳ୍ପ ପାଇଁ ନାଗପୁରସ୍ଥିତ ନ୍ୟାସନାଲ୍‌ ଏନଭାର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍-ଏନଇଇଆରଆଇ (National Environmental Engineering Research Institute) ବୈଷୟିକ ସହଯୋଗ ଯୋଗାଇବ। ଏଥିପାଇଁ ମଙ୍ଗଳବାର ବିଏସ୍‌ସିଏଲ୍‌-ଏନଇଇଆରଆଇ ମଧ୍ୟରେ ଏକ ବୁଝାମଣା (MoU-Memorandum of Understanding) ପତ୍ର ସ୍ବାକ୍ଷରିତ ହୋଇଯାଇଛି।

ରାଜଧାନୀର ଡ୍ରେନ ହେବ ସ୍ବଚ୍ଛ ଓ ନିର୍ମଳ ରଖିବା ସହ ଜଳାଶୟର ପୁନରୁଦ୍ଧାର ଏବଂ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ବିଏମସି। କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ "ସିଟିଜ୍" ପ୍ରକଳ୍ପରେ ପରିବେଶକୁ ଅଧିକ ଗୁରୁତ୍ବ ଦିଆଯାଇ କଠିନ ବର୍ଜ୍ୟ ପରିଚାଳନା, ଜଳାଶୟର ପୁନରୁଦ୍ଧାର, ବର୍ଷା ଜଳ ପରିଚାଳନା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବାରେ ନାଗପୁରସ୍ଥିତ ଏନଇଇଆରଆଇ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ। 

କେଉଁ ପଦ୍ଧତିରେ ଜଳାଶୟର ପୁନରୁଦ୍ଧାର କରି ହେବ, ରାଜଧାନୀର ମାଷ୍ଟରପ୍ଲାନ୍‌, ଜୋନ୍‌ ମ୍ୟାପିଂ, ସମ୍ବେଦନଶୀଳ ଜୋନ୍‌ ଓ ଇକୋ ସେନସିଟିଭ୍ ଜୋନ୍‌ରେ କିପରି ପରିବେଶକୁ କ୍ଷତି ନପହଞ୍ଚାଇ ଅଧିକ ବିକାଶମୂଳକ କାମ ହୋଇପାରିବ ସେ ନେଇ ପରାମର୍ଶ ଦେବ ଏହି ସଂସ୍ଥା। ଏହା ସହ ଅଧିକ ଜଳବନ୍ଦୀ ସମସ୍ୟା ଥିବା ମୁଖ୍ୟ ଡ୍ରେନ୍‌ ନମ୍ବର ୭-୧୦ ନିକଟବର୍ତ୍ତୀ ଅଞ୍ଚଳର ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ପରାମର୍ଶ ଦେବ। ଯେଉଁଥିପାଇଁ ବେଶ ଆଶାବାଦୀ ଥିବା କହିଛନ୍ତି ବିଏସସିଏଲ ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (BSCL CEO) ପ୍ରେମ ଚନ୍ଦ୍ର ଚୌଧରୀ।

Also Read:ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା

ସେହିପରି ଏକ ନୂତନ ଢାଞ୍ଚାରେ ନିକୋ ପାର୍କର (Nicco Park) ବିକାଶ ମଧ୍ୟ କରାଯିବ। ନିକୋ ପାର୍କ ବା ବିଡିଏ ସିଟି ସେଣ୍ଟର ଭିତରେ ଥିବା ହ୍ରଦର ପୁନରୁଦ୍ଧାର କରାଯିବ। ହ୍ରଦ ପାର୍ଶ୍ୱରେ ସୁଗନ୍ଧିତ ଉଦ୍ୟାନ ରହିବ, ଔଷଧୀୟ ବଗିଚା ମଧ୍ୟ ଶୋଭା ପାଇବ। ପୂରା ଅଞ୍ଚଳ ସୌନ୍ଦର୍ଯ୍ୟକରଣରେ ଝଲସିବ। ୨୦୧୯ରେ ଦେଶର ୬୭ଟି ସହର ଭିତରେ ହୋଇଥିବା ସିଟିଜ୍‌ ଯୋଜନାରେ ଭୁବନେଶ୍ୱର ଜିତିଥିଲା। ପ୍ରତିଯୋଗିତାରେ ସାମିଲ ସହରଗୁଡିକ ନିଜ ସହରରେ ଖୋଲା ସ୍ଥାନର ଏପରି ଉନ୍ନତୀକରଣ ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। 

ସେଥିରୁ ବିଏସସିଏଲ ଦାଖଲ କରିଥିବା ଭୁବନେଶ୍ୱର ଆକ୍ଟିଭ୍‌ ପ୍ରସ୍ତାବ ୧୨ଟି ଚୂଡାନ୍ତ ପ୍ରସ୍ତାବ ଭିତରେ ସ୍ଥାନ ପାଇଥିଲା। ସେହିଭଳି ପୁରୁଣା ଭୁବନେଶ୍ୱରରେ ଥିବା ଏକାଧିକ ଐତିହ୍ୟ ପୋଖରୀର ପୁନରୁଦ୍ଧାର କରାଯିବ। ନିକୋ ପାର୍କ ମ୍ୟାନେଜର ମହେନ୍ଦ୍ର ନନ୍ଦ ଏହାକୁ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ବାନ ପ୍ଲାନର ପିୟୁଷ ରାଉତ। ଏପରି ଅନେକ ପଦକ୍ଷେପ ବୁଝାମଣା ସ୍ବାକ୍ଷରିତ ହେଉଛି ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଯୋଜନା ବାଟ ହୁଡିଛି।
 

ଏହି ପୂରା ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ୮୦ କୋଟି ବାଦ ବିଡିଏ ଓ ବିଏମସିର ୨୦ କୋଟି ଟଙ୍କାକୁ ମିଶାଇ ମୋଟ ୧୦୦ କୋଟି ଖର୍ଚ୍ଚ ପାଇଁ ଯୋଜନା ରହିଛି। ଅପରପକ୍ଷେ ବେଶ ମୋଟା ଅଙ୍କର ଟଙ୍କା ସ୍ମାର୍ଟ ସିଟି କାର୍ଯ୍ୟରେ ବିନିଯୋଗ ହୋଇଥିବା ବେଳେ କେଉଁଠି ପ୍ରକଳ୍ପ ଆରମ୍ଭ ହୋଇନି ତ କେଉଁଠି ଧିମେଇଯାଇଛି। ଏପରିସ୍ଥଳେ ଜଳାଶୟର ପୁନରୁଦ୍ଧାର ବାସ୍ତବ ରୂପ ନେଉଛି କି ନାହିଁ ତାହା ବର୍ଷାଋୁତୁରେ ହିଁ ଜଣାପଡିବ।