ରାଜ୍ୟରେ ତୃତୀୟ ଲହର ସଙ୍କେତ; ଦୈନିକ ସଂକ୍ରମଣର ସାଢେ ୧୩ ପ୍ରତିଶତ ନାବାଳକ, ବିସ୍ଫୋରଣ କରିପାରେ ପାର୍ବଣ
Advertisement

ରାଜ୍ୟରେ ତୃତୀୟ ଲହର ସଙ୍କେତ; ଦୈନିକ ସଂକ୍ରମଣର ସାଢେ ୧୩ ପ୍ରତିଶତ ନାବାଳକ, ବିସ୍ଫୋରଣ କରିପାରେ ପାର୍ବଣ

ରାଜ୍ୟରେ ଶନିବାର ୭୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ରୁ କମ୍‌ ବୟସର ୧୦୫ ଜଣ କୋରୋନା ପଜିଟିଭ ଅଛନ୍ତି। 

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣର ସାମ୍ଭାବ୍ୟ ତୃତୀୟ ଲହରର ସଙ୍କେତ ଦେଖିବାକୁ ମିଳିଛି। ନିୟମିତ ଭାବରେ ମୋଟ ଦୈନିକ ସଂକ୍ରମଣର ୮ରୁ ୧୩ ପ୍ରତିଶତ ନାବାଳକ ଚିହ୍ନଟ ହେଉଛନ୍ତି। ଆଗକୁ ପାର୍ବଣ ଋତୁ ଥିବାରୁ ଏହା ଆହୁରି ବୃଦ୍ଧି ପାଇ ପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପଟେ ଦେଶରେ ଦିନକରେ ୪୬୭୫୯ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ମଧ୍ୟ ତୃତୀୟ ଲହର ଆରମ୍ଭର ଏକ ସଙ୍କେତ ବୋଲି କୁହାଯାଉଛି।

ରାଜ୍ୟରେ ଶନିବାର ୭୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ରୁ କମ୍‌ ବୟସର ୧୦୫ ଜଣ କୋରୋନା ପଜିଟିଭ ଅଛନ୍ତି। ସେହିପରି ରାଜ୍ୟରେ କୋରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। କଟକରୁ ୨୫, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଲେଖାଏଁ ଆକ୍ରାନ୍ତ ମୃତ ବରଣ କରିଛନ୍ତି। ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ ପଜିଟିଭ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪, ମୃତ୍ୟୁସଂଖ୍ୟା ୭୭୬୫କୁ ବୃଦ୍ଧି ପାଇଛି। ଏବେ ବି ୭୯୯୬ ଚିକିତ୍ସାଧୀନ ଅଛନ୍ତି। 

Also Read: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୩୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

 

ସେପଟେ ସ୍ୱାସ୍ଥ୍ୟ ନିର୍ଦେଶକ, ବିଜୟ ମହାପାତ୍ର କହିଛନ୍ତି ଯେ, ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ, ଏବେ ବି ହେଉଛନ୍ତି। ବର୍ତ୍ତମାନ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ହେଉଛି ଏବଂ ନବେ ପ୍ରତିଶତ ହୋମ ଆଇସୋଲେସନରେ ଭଲ ବି ହେଉଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ। ସେଥିପାଇଁ ପାଇଁ ଆମେ ସମସ୍ତ ପ୍ରକାର ବ୍ୟବସ୍ତା କରିଛୁ। ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବେଡ଼, ସେଣ୍ଟର ଅଫ ଏକଶିଲେନ୍ସ ତିଆରି ଚାଲିଛି। ଆମେ ଆତଙ୍କିତ ନ ହେବା ଏବଂ ଆଗକୁ କିଭଳି ଶିଶୁ  ସଂକ୍ରମିତ ନ ହୁଅନ୍ତୁ, ସେଥିପାଇଁ ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା।

ବିଜୟ ମହାପାତ୍ର ପୁଣି କହିଛନ୍ତି, 'କେରଳରେ ସଂକ୍ରମଣ ବୃଦ୍ଧି ବହୁତ ଦିନ ହେଲା ବଢ଼ିକି ରହିଛି। ଜାତୀୟ ସ୍ତରରେ ଯେତିକି ବଢୁଛି ସେଥିରେ କେରଳରେ ଅଧିକ ରହୁଛି। ଆମେ ତାକୁ ତୃତୀୟ ଲହର ମଧ୍ୟ କହିପାରିବା। ଆମ ରାଜ୍ୟରେ ଯେଭଳି ନ ବଢ଼ୁ, ଗୁରୁତର ରୋଗୀ ନ ହୁଅନ୍ତୁ, ସେଥିପାଇଁ ଆମେ ସର୍ଭିଲାନ୍ସ ଜାରି ରଖିଛୁ, ମନିଟରିଂ କରୁଛୁ। ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହେଲା। ଆମେ ସେଠାରୁ କିଛି ଶିଖିବା। କେନ୍ଦ୍ରୀୟ ସରକାରଙ୍କ ଗାଇଡଲାଇନ ରହିଛି, ଆମେ କେମିତି ନିୟନ୍ତ୍ରଣ କରିବା। ସବୁ ତଥ୍ୟକୁ ଅନୁଧ୍ୟାନ କରି ଏସଆରସି ପକ୍ଷରୁ ସରକାରଙ୍କ ଗାଇଡ଼ଲାଇନ ଆସିବ।'

Also Read: ଦେଶରେ ବଢ଼ିଲା ତୃତୀୟ ଲହର ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୬ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ  
 
ସେପଟେ କୋରୋନା ଟିକା କରଣ କେନ୍ଦ୍ର କରି ଲୋକଙ୍କୁ ନକଲି ଟିକା ଦିଆ ଯାଉଛି। ଏହା ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲାପାଳଙ୍କୁ ଚିଠି ଲେଖିଛି। ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏଭଳି ଘଟଣା ସମ୍ନାକୁ ଆସିବା ପରେ ସବୁ ରାଜ୍ୟକୁ ଚିଠି ଲେଖି ସତର୍କ କରିକରାଯାଇଛି। ଏଭଳି ଘଟଣା କେଉଁଠି ଦେଖା ଗଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଗତ ୨୫ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିଲା।

ଶୁକ୍ରବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ରହିଥିବା ଦୁଇ ଜଣ କୋରୋନା ଆକ୍ରାନ୍ତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣେ ୫ ମାସର ଓ ଅନ୍ୟ ଜଣେ ୧୨ ଦିନର ଶିଶୁକନ୍ୟା ବୋଲି ସୂଚନା ମିଳିଛି। ଏହି ଦୁଇ ଶିଶୁ କନ୍ୟା ମୟୁରଭଞ୍ଜ ଓ କଟକ ଜିଲ୍ଲାରୁ ରେଫର ହୋଇ କଟକ ଆସିଥିଲେ। କଟକରେ ପହଞ୍ଚିବା ସମୟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ରହିଥିବା ମେଡିକାଲ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ପ୍ରକୃତରେ କୋଭିଡ ଜନିତ ମୃତ୍ୟୁ ନାଁ ଆଉ କୌଣସି କାରଣ ରହିଛି ସେ ବାବଦରେ ଅନୁଧ୍ୟାନ କରାଯାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।