Global Odia Language Conference: ରାଜଧାନୀରେ ଆୟୋଜିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
Advertisement

Global Odia Language Conference: ରାଜଧାନୀରେ ଆୟୋଜିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

Odia Language Conference: ଆସନ୍ତା ବର୍ଷ ଫେବୃଆରୀ ମାସରେ ୩ ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। 

ଫଟୋ ସୌଜନ୍ୟ:X@IPR_Odisha

World Odia Language Conference: ଆସନ୍ତା ବର୍ଷ ଫେବୃଆରୀ ମାସରେ ୩ ଦିନ ବ୍ୟାପି ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଡିସେମ୍ବର ୧୯ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଐତିହ୍ୟ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ନିଆଯାଇଥିହା ନିଷ୍ପତ୍ତି ଅନୁସାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ରାଜ୍ୟ, ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ। 

ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଏବଂ ଭାଷା ବିଶେଷଜ୍ଞଙ୍କୁ ସମ୍ମିଳନୀର ବିଷୟଭିଭିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ବ୍ୟାପକ ଭାବେ ସାମିଲ କରାଯିବ। ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତି ଲାଗି ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏହି ସମ୍ମିଳନୀ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରେ ଏବଂ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହା ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଏବଂ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ।

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଐତିହ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ରାଜ୍ୟ  ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର୍.କାର୍ତ୍ତିକେୟନ ଏ ସମ୍ପର୍କରେ ଗଣମାଧ୍ୟମକୁ ବିଶଦ୍ ତଥ୍ୟ ପ୍ରଦାନ କରିଥିଲେ।