ରାଜ୍ୟରେ ତୃତୀୟ ଲହର ଆଶଙ୍କା: କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ DMET ନିର୍ଦ୍ଦେଶକ?
Advertisement

ରାଜ୍ୟରେ ତୃତୀୟ ଲହର ଆଶଙ୍କା: କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ DMET ନିର୍ଦ୍ଦେଶକ?

ସାମ୍ଭାବ୍ୟ କୋରୋନାର ତୃତୀୟ ଲହରକୁ ନେଇ  DMET ସିବିକେ ମହାନ୍ତି କହିଛନ୍ତି ଯେ, ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି। ତୃତୀୟ ଲହର ମୁକାବିଲା ପାଇଁ ଓଡ଼ିଶା ପୂରା ପ୍ରସ୍ତୁତ ଅଛି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଆଗକୁ କୋରୋନାର ତୃତୀୟ ଆସୁଛି। ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। 

ସାମ୍ଭାବ୍ୟ କୋରୋନାର ତୃତୀୟ ଲହରକୁ ନେଇ  DMET ସିବିକେ ମହାନ୍ତି କହିଛନ୍ତି ଯେ, ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି। ତୃତୀୟ ଲହର ମୁକାବିଲା ପାଇଁ ଓଡ଼ିଶା ପୂରା ପ୍ରସ୍ତୁତ ଅଛି। ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର। ତା ଅର୍ଥ ଓଡ଼ିଶାକୁ ଆସିବନି ବୋଲି କୁହାଯାଇପାରିବନି । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ଟିକାକରଣକୁ ଜୋରଦାର କରାଯାଇଛି। ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି।

Also Read: ବ୍ରହ୍ମପୁରବାସୀଙ୍କ କଟା ଘା'ରେ ଚୂନ! BMCର ୧୦୦% ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ

ଆଜି ରାଜ୍ୟରେ କୋରୋନା (Coronavirus) ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ DMET କହିଲେ, 'କୌଣସି ଜିନିଷ ନିର୍ଦ୍ଧିଷ୍ଟ ନୁହେଁ। ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ। ସଂକ୍ରମଣ ଏମିତି କମ ବେଶି ହୋଇଥାଏ। ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି। ଡେଲ୍ଟା ଭ୍ୟାରିଆଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି। ସାଧାରଣତଃ ଶିଶୁମାନେ ପ୍ରାୟତଃ କମ ସଂକ୍ରମିତ ହୋଇଥାନ୍ତି। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ (Naba Das) କହିଛନ୍ତି, 'ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଭଳି ଶିଶୁମାନଙ୍କର ସଠିକ ଚିକିତ୍ସା ହୋଇପାରିବ ସେ ନେଇ ଆଗୁଆ ପ୍ରସ୍ତୁତି  ଚାଲିଛି। କୋଭିଡ ହସ୍ପିଟାଲ, ମେଡ଼ିକାଲ କଲେଜ ଓ  CCUରେ ୨୩୯୦ ବେଡ଼ ପ୍ରସ୍ତୁତ ରଖାଯାଇଛି। ଏହାସହ ଆଇସିୟୁ ଓ ଏନଏସୟୁ ୬୧୦ ବେଡ଼ ପ୍ରସ୍ତୁତ କରାଯାଇଛି। ଶିଶୁମାନଙ୍କର ପରିବାର ଲୋକ ସେଠାରେ  କିପରି ରହିପାରିବେ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ସ୍ଥାନରେ ଅକ୍ସୀଜେନ ଓ ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି। 

Also Read: ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ହଟିବନି କି କଟକଣା !

ଏହାସହ ବିଶେଷଜ୍ଞ ଟିମ ମଧ୍ୟ ଯାଂଚ କରିବେ। ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଡାକ୍ତର ଓ ନର୍ସ ଓ ହସ୍ପିଟାଲ କର୍ମଚାରୀମାନଙ୍କୁ ଟ୍ରେନିଂ ଦିଆଯାଉଛି। ଶିଶୁଙ୍କ ପୂର୍ବ ଚିକିତ୍ସା ସହିତ ଏବେ ନୂଆ ଚିକିତ୍ସା ପାଇଁ ସରକାର  ପ୍ରସ୍ତୁତ ଅଛନ୍ତି। ଜୁନ ୨୩ ପରଠାରୁ ଦୈନିକ ୩ ଲକ୍ଷ ଟିକାକରଣ କରାଯିବ। କେନ୍ଦ୍ର ସରକାର ସମସ୍ତ ଟିକା ବହନ କରିବାକୁ ରାଜି ହେବା ପରେ ରାଜ୍ୟ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ମୃତ୍ୟୁ ସଂଖ୍ୟାର ସ୍ଵତନ୍ତ୍ର ଅଡିଟ କରିବା ପାଇଁ ଆବେଦନ କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ମାମଲା ଦାୟର ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ରାପିଡ ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବା ପାଇଁ ମଧ୍ୟ PILରେ ଆବେଦନ ହୋଇଛି।