ଅଭିନେତ୍ରୀ ୪୨୦; ବିବାହର ପ୍ରତିଶୃତି ଦେଇ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା
Advertisement
Article Detail0/zeeodisha/odisha616674

ଅଭିନେତ୍ରୀ ୪୨୦; ବିବାହର ପ୍ରତିଶୃତି ଦେଇ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା

ଅଭିନେତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ୨୦୧୭ରେ କାଷ୍ଟିଂ କାଉଚ ମାମଲାରେ ଜେଲ ଯାଇଥିବା ଜଣେ ଅଭିନେତା

ଅଭିନେତ୍ରୀ ୪୨୦; ବିବାହର ପ୍ରତିଶୃତି ଦେଇ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର, ସରୋଜ ବେହେରା: ବିବାହ କରିବା ନାଁରେ ଠକିବା ନେଇ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ବିରୋଧରେ ଅଭିଯୋଗ ତାଲିକା ବଢିବାରେ ଲାଗିଛି । ମୁମ୍ବାଇରେ ରହୁଥିବା ତେଲୁଗୁ ଯୁବକ ପଦ୍ନାରାଜୁଙ୍କ ପରେ ଆହୁରି ଏଭଳି କେତେ ଲୋକଙ୍କୁ ଅଭିନେତ୍ରୀ ଜଣକ ଠକିଥିବା ନେଇ ସାଧାରଣରେ ଚର୍ଚ୍ଚା  ଜୋର ଧରିଛି । କଟକରେ ରହୁଥିବା ଜଣେ ବ୍ୟବସାୟୀ, ଭୁବନେଶ୍ୱର ରେ ରହୁଥିବା କିଛି ଲୋକକୁ ମଧ୍ୟ ସେ ଠକିଥିବା ଜଣାପଡିଛି । ହେଲେ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନି । ଅଭିଯୋଗ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ପଦାକୁ ଆସୁଛି ଅଭିନେତ୍ରୀଙ୍କୁ ଠକେଇ ଗୁମର । ଜଣେ ଜଣେ କରି  ବର୍ତ୍ତମାନ  ଯାଏ ୫ ଜଣଙ୍କଠାରୁ ସେ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା । ପ୍ରଥମେ ମୁମ୍ବାଇରେ ରହୁଥିବା ଜଣେ ତେଲୁଗୁ ଯୁବକଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଲ୍ୟାପଟପ , ଅନ୍ୟାନ୍ୟ ସମଗ୍ରୀ  ଓ ଟଙ୍କା ଠକି ନେଇଥିବା ଜଣାପଡିଥିଲା । ଏହା ପରେ ଜଣେ ଜଣେ କରି ଅନେକ ଲୋକ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । କିଏ କୋର୍ଟରେ ମାମଲା ରୁଜୁ କରି ଟଙ୍କା ପାଇଁ ଆଶା କରି ବସିଛନ୍ତି ତ ଆଉ କିଏ ଆଶା ହରାଇ ସାରିଛନ୍ତି । ଠକେଇରେ ଅଭିନେତ୍ରୀଙ୍କୁ ସାହାର୍ଯ୍ୟ କରୁଛନ୍ତି ୨୦୧୭ରେ କାଷ୍ଟିଂ କାଉଚ ମାମଲାରେ ଜେଲ ଯାଇଥିବା ଆଉ ଜଣେ ଅଭିନେତା । ଉଭୟେ ମିଶି ଫେସବୁକ ଭଳି ସୋସିଆଲ ସାଇଟରେ ଶିକାର ଖୋଜିଥାନ୍ତି । ଶିକାର  ପାଇବା ପରେ ଫିଲ୍ମରେ କାମ କରାଇ ଦେବା କହି ତାଙ୍କ ସହ ନିକଟତର ହୋଇଥାନ୍ତି । କେବଳ ସୋସିଆଲ ସାଇଟ ନୁହଁ ମେଟ୍ରିମୋନିଆଲରେ ମଧ୍ୟ ଯୁବକଙ୍କୁ ପ୍ରସ୍ତାବ ଦେଇ ସେମାନଙ୍କଠାରୁ ମଧ୍ୟ ଟଙ୍କା ନେବାରେ ଉଭୟେ ସିଦ୍ଧହସ୍ତ ।  ୨୦୧୦ରୁ ଆରମ୍ଭ ହୋଇଥିବା ଦୁଇ ଯୋଡି ବର୍ତ୍ତମାନ ଯାଏ ଅନେକ ଲୋକଙ୍କୁ ଠକାମୀର ଶିକାର କରିସାରିଛନ୍ତି । ହେଲେ ଲୋକଲଜ୍ୟା ଭୟରେ ଅନେକ ଲୋକ ଥାନାରେ ଅଭିଯୋଗ କରିନାହାନ୍ତି । ହେଲେ ଗଣମାଧ୍ୟମରେ ଗୋଟାଏ ପରେ ଗୋଟାଏ କଥା ପଦାକୁ ଆସିବା ପରେ ପୀଡିତଙ୍କ ତାଲିକା ମଧ୍ୟ ବଢିଚାଲିଛି ।

ଫିଲ୍ମରେ କାମ ଦେବା କହି ଅନେକ ଯୁବତୀଙ୍କୁ ଠକିଥିବା ନେଇ ଅଭିଯୋଗ ପରେ ୨୦୧୫ରେ ଯୁବତୀଙ୍କ ସହଯୋଗୀ ଜେଲ ଯାଇଥିଲେ । ଏ ମଧ୍ୟରେ ଯୁବତୀ ଜଣକ ୨୦୧୭ରେ ଝାରସୁଗୁଡାର ଜଣେ ଯୁବକଙ୍କ ସହ ଯୋଗାଯୋଗ କରି ତାଙ୍କଠାରୁ ଦୁଇ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିଲେ । ବିବାହ ପାଇଁ ଚାପ ପକାଇବାକୁ ଅଭିନେତ୍ରୀ ଜଣକ ଦିନ ଗଡାଇ ଚାଲିଥିଲେ ବୋଲି ଅଭିଯୋଗ କରିଛନ୍ତି ରାଉରକେଲାର ଜଣେ ଯୁବକ । ଏଭଳି ଭାବେ ଅନ୍ୟ ଜଣେ ଯୁବକଙ୍କୁ ଅଭିନେତା କରାଇବା ପୂର୍ବରୁ ଫଟୋ ସୁଟ କରାଇବା ନାଁରେ ଟଙ୍କା ନେଇଥିବା ଜଣା ପଡିଛି । ଏଭଳି ଭାବେ ଜଣେ ଜଣେ କରି ଏକାଧିକ ଲୋକଙ୍କୁ ସେ ଠକି ଚାଲିଛନ୍ତି । ଏ ନେଇ କମିଶନରେଟ ପୋଲିସ ଅଧିନରେ ଥିବା କୌଣସି ଥାନାରେ ମାମଲା ରୁଜୁ ହୋଇନାହିଁ । ଅଭିଯୋଗକାରୀ ଅଭିଯୋଗ କଲେ ମାମଲାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ଯେ ପ୍ରଥମେ ନିଜେ ପୀଡିତା ହୋଇ ଗଣମାଧ୍ୟମକୁ ଆସିଥିବା ଅଭିନେତ୍ରୀ ନିଜେ ଲୁଚିବାକୁ ଚେଷ୍ଟା କରୁଛନ୍ତି । ଏ ସଂକ୍ରାନ୍ତରେ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରିବା ସତ୍ୱେ  ସମ୍ଭବପର ହୋଇପାରିନଥିଲା ।