ଟୁଇନ ସିଟିରେ ମହିଳାଙ୍କୁ ସୁରକ୍ଷା ଦେବେ SPO
Advertisement

ଟୁଇନ ସିଟିରେ ମହିଳାଙ୍କୁ ସୁରକ୍ଷା ଦେବେ SPO

ଟୁଇନ ସିଟିରେ ମହିଳାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ SPO

ସୌଜନ୍ୟ: ସୋସିଆଲ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: ମହିଳାମାନଙ୍କ ସୁରକ୍ଷା ନେଇ କମିଶନରେଟ ପୋଲିସ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା । ଆସନ୍ତା ୨ ତାରିଖରୁ ଟୁଇନ ସିଟିରେ ଆରମ୍ଭ କରାଯିବ ସ୍ପେଶାଲ ପୋଲିସ ଅଫିସର କାର୍ଯ୍ୟକ୍ରମ । ଟୁଇନ ସିଟିରେ ଥିବା ବିଭିନ୍ନ କର୍ପୋରେଟ ହାଉସ, ଶିକ୍ଷାନୁଷ୍ଠାନ, ଆଇ ସେକ୍ଟର ଓ କଲ ସେଣ୍ଟରରେ ନିୟୋଜିତ ହେବେ ସ୍ପେଶାଲ ପୋଲିସ ଅଫିସର । ଏଥିରେ କେବଳ ମହିଳା ମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ତାଲିକା ମଗାଯାଇଛି । ଅପରାଧ ଓ ଅପରାଧୀଙ୍କ ଉପରେ ନଜର ଓ କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କୁ ହଇରାଣ ରୋକିବା ନେଇ କମିଶନରେଟ ପୋଲିସର ଏହା ନୂଆ ଉଦ୍ୟମ । ଟୁଇନ ସିଟିରେ ଥିବା ବିଭିନ୍ନ କର୍ପୋରେଟ ହାଉସ, ଶିକ୍ଷାନୁଷ୍ଠାନ, ଆଇ ସେକ୍ଟର ଓ କଲ ସେଣ୍ଟରରେ ନିୟୋଜିତ ହେବେ ସ୍ପେଶାଲ ପୋଲିସ ଅଫିସର । ୟୁନିଭରସିଟି ଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୫୦ ଛାତ୍ରୀ ଓ କର୍ମଜୀବୀଙ୍କୁ ସ୍ପେସିଆଲ ଟ୍ରେନିଂ ଦିଆଯିବ । ଏହି ସ୍ୱତନ୍ତ୍ର ପୋଲିସ ଅଫିସରମାନେ ତାଙ୍କ ନଜରକୁ ଆସୁଥିବା ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ ଘଟଣାଗୁଡିକୁ ପୋଲିସ ନିକଟରେ ପହଞ୍ଚାଇବେ । ଏ ନେଇ ଏମାନଙ୍କୁ କୌଣସି ଆର୍ଥକ ସହାୟତା ଦିଆଯିବ ନାହିଁ । କିନ୍ତୁ ଏହି ଏସଓପିମାନଙ୍କ ଦ୍ୱାରା ଅଣାଯିବା ଘଟଣା ଉପରେ ତୁରନ୍ତ ଦୃଷ୍ଟି ଦେବ ପୋଲିସ । ଆସନ୍ତା ଜାନୁଆରୀ ୨ ଠାରୁ ରାଜଧାନୀରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଭଳି ଜାନୁଆରୀ ୧୫ରୁ କଟକରେ ମଧ୍ୟ ଏହାକୁ ଆରମ୍ଭ କରାଯିବ । ଏହା ଫଳରେ କିଛି ପରିମାଣରେ ମହିଳାଙ୍କ ପ୍ରତି ଘଟିବା ଅସଦାଚରଣ, ଦୁର୍ବ୍ୟବହାର, ଦୁଷ୍କର୍ମ ପରି ଘଟଣା ହ୍ରାସ ପାଇବ ବୋଲି ଆଶା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ରାଜଧାନୀରେ ମହିଳାଙ୍କ ପ୍ରତି ଅସଦାଚରଣ, ଦୁର୍ବ୍ୟବହାର, ଦୁଷ୍କର୍ମ ପରି ଘଟଣା ବଢିବାରେ ଲାଗିଛି । ଏସବୁକୁ ରୋକିବା ପାଇଁ କମିଶନରେଟ ପୁଲିସ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ । ଇଚ୍ଛା ପ୍ରକାଶ କରିଥିବା ଯୁବତୀ, କର୍ମଜୀବୀ ମହିଳା ଓ ଛାତ୍ରୀମାନଙ୍କର ତାଲିକା କମିଶନରେଟ ପୋଲିସକୁ ଯୋଗାଇଛନ୍ତି କିଛି ଅନୁଷ୍ଠାନ । ଜଣେ ମହିଳା ପୋଲିସ ରାଜଧାନୀରେ ଏହି କାର୍ଯ୍ୟକ୍ରମର ପରିଚଳନା ଦାୟିତ୍ୱ ନେବେ । ତାଙ୍କ ନେତୃତ୍ୱରେ କଲେଜର ସ୍ୱତନ୍ତ୍ର ପୋଲିସ ଅଫିସରମାନେ କାମ କରିବେ । ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୂର୍ବରୁ ମଧ୍ୟ ଅନେକ ଯୋଜନା କରାଯାଇଛି । ସମୟ ଓ ନେତୃତ୍ୱ ବଦଳିବା ସହ ସେହି ସବୁ ଯୋଜନା ଯେଉଁଭଳି ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛି । ଏବେ ସ୍ପେଶାଲ ପୋଲିସ ଅଧିକାରୀ ନିୟୋଜିତ ନେଇ ଅଭିନବ ଉଦ୍ୟମରେ କେତେ ସଫଳତା ମିଳିବ ତାହା ଆଗାମୀ ଦିନରେ ଜଣାପଡିବ ।