ବାଟ ଦେଖାଇଲେ ନବୀନ, ବିଦେଶୀ ଟିକା ଭରସାରେ ଓଡ଼ିଶା ସମେତ ୧୦ ରାଜ୍ୟ
Advertisement
Article Detail0/zeeodisha/odisha899720

ବାଟ ଦେଖାଇଲେ ନବୀନ, ବିଦେଶୀ ଟିକା ଭରସାରେ ଓଡ଼ିଶା ସମେତ ୧୦ ରାଜ୍ୟ

ଗତ ୨ ଦିନ ତଳେ ବିଦେଶରୁ କୋରୋନା ଟିକା ଆମଦାନୀ କରିବାକୁ ଓଡିଶା ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି କମିଟି ମଧ୍ୟ ଗଠନ କରାଯାଇଛି। ପ୍ରାଥମିକ ଭାବେ ବୈଷୟିକ କମିଟିକୁ DMET ଓ ପରିଚାଳନା କମିଟିର ନେତୃତ୍ୱ OSMCLକୁ ଦିଆଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମାହିର ନବୀନ ସରକାର କୋରୋନା ଦମନରେ ଅନ୍ୟ ରାଜ୍ୟ ପାଇଁ ପଥ ପ୍ରଦର୍ଶକ ସାଜିଛନ୍ତି। ଦେଶରେ କୋରୋନା ଟିକାର ଅଭାବ ରହିଛି। ଟିକାର ବଣ୍ଟନ ବ୍ୟବସ୍ଥା ଓ ଉପଲବ୍ଧତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ଟିକା ଆମଦାନୀ କରିବାକୁ ଅନେକ ରାଜ୍ୟ ମନ ବଳାଇଛନ୍ତି। ତେବେ ଏହା କେତେଦୂର ସମ୍ଭବ ତାହା DGCI ଉପରେ ନିର୍ଭର କରୁଛି।

ଗତ ୨ ଦିନ ତଳେ ବିଦେଶରୁ କୋରୋନା ଟିକା ଆମଦାନୀ କରିବାକୁ ଓଡିଶା ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି କମିଟି ମଧ୍ୟ ଗଠନ କରାଯାଇଛି। ପ୍ରାଥମିକ ଭାବେ ବୈଷୟିକ କମିଟିକୁ DMET ଓ ପରିଚାଳନା କମିଟିର ନେତୃତ୍ୱ OSMCLକୁ ଦିଆଯାଇଛି। ଏମାନେ କୋରୋନା ଟିକାର ଗ୍ଲୋବାଲ ଟେଣ୍ଟର ପରିଚାଳନା ଓ ଆମଦାନୀ ନେଇ ସୁପରଭାଇଜ୍ କରିବେ।

Also Read: କୋରୋନା ମାମଲାର ବିଚାର କରୁଥିବା ଜଷ୍ଟିସଙ୍କୁ କୋରୋନା

ଓଡିଶା ସରକାର ପରି ଭାରତର ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ବିଦେଶରୁ କୋରୋନା ଟିକା ଆମଦାନୀ (Vaccine import) କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦେଶରେ କୋରୋନା ଟିକା ସଙ୍କଟ ଦେଖାଦେଇଛି। ରାଜ୍ୟ ଗୁଡିକୁ ଯେତିକି ପରିମାଣର ଟିକା ଆବଶ୍ୟକ ସେତିକି ମିଳିପାରୁ ନାହିଁ। ଫଳରେ କିଛି ରାଜ୍ୟର ଅନେକ ସ୍ଥାନରେ ଟିକାକରଣ (Vaccination)  ବନ୍ଦ କରାଯାଇଛି। ଏପରି କି କିଛି ରାଜ୍ୟରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କର ଟିକାକରଣ ଆରମ୍ଭ ହୋଇନାହିଁ।

ଟିକା ସଙ୍କଟରୁ ମୁକ୍ତି ପାଇବା ପାଇଁ ଏବେ ଓଡିଶା ସମେତ ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ନିଷ୍ପତ୍ତି ନେଇଛନ୍ତି। ହିମାଚଳ, ଗୋଆ, ବିହାର ଓ ପଞ୍ଜାବ ପରି ରାଜ୍ୟରେ କୋରୋନା ଟିକାର ଅଭାବ ନଥିବା ସଂପୃକ୍ତ ରାଜ୍ୟ ସରକାର କହିଛନ୍ତି। ମନ୍ଥର ଗତିରେ ଦେଶରେ କୋରୋନା ଟିକା ଉତ୍ପାଦନ ଓ ଚାହିଦା ଅଧିକ ଥିବାରୁ ଭ୍ୟାକ୍ସିନ ସଙ୍କଟ ଦେଖାଦେଇଛି। ସେପଟେ ଦ୍ୱିତୀୟ ଡୋଜ୍ ପାଇଁ ୭୦ ପ୍ରତିଶତ ଟିକା ଗଚ୍ଛିତ ରଖିବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିସ୍ଥଳେ ଟିକା ନଥିବାରୁ ରାଜ୍ୟ ମାନେ ଶଙ୍କାରେ ପଡ଼ିଛନ୍ତି । 

Also Read: ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୫୪୭ କୋରୋନା ସଂକ୍ରମିତ

 

ଅନ୍ୟପଟେ ବିଶ୍ୱ ବଜାରରୁ କୋରୋନା ଟିକା ଆମଦାନୀକୁ ନେଇ ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଦେଶରେ ଦୁଇଟି ସ୍ୱଦେଶୀ ଟିକା Covaxin, Covishied ଓ ରୁଷର Sputnik-Vକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। କିନ୍ତୁ ଅନେକ ରାଜ୍ୟ Moderna ଓ Johnson & Johnson ଠାରୁ ମଧ୍ୟ ସଞ୍ଜିବନୀ କିଣିବାକୁ ଘୋଷଣା କରିଛନ୍ତି। ଏପରି କ୍ଷେତ୍ରରେ DGCI କଣ ପଦକ୍ଷେପ ନେବ ତାହା ଦେଖିବାକୁ ରହିଲା। ଯଦି DGCI ତରବରିଆ ଭାବେ ଅନ୍ୟ ବିଦେଶୀ ଟିକାକୁ ଅନୁମତି ପ୍ରଦାନ କରେ ତେବେ ଟିକାର ପାର୍ଶ୍ୱପ୍ରତିକ୍ରିୟା ନେଇ ଯେଉଁ ସବୁ ଖବର ଆସୁଛି ତାହା ଲୋକଙ୍କୁ ଆତଙ୍କିତ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିଦେଶୀ ଟିକା ମହଙ୍ଗା ହୋଇଥିବାରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋରୋନା ଟିକା କିଣିଲେ ରାଜ୍ୟ ରାଜକୋଷ ଉପରେ ଅଧିକ ଭାର ପଡିବ। ଏପରିସ୍ଥଳେ ଭାରତରେ ବିଦେଶୀ ଟିକାର ମୂଲ୍ୟ ନିର୍ଦ୍ଧାରଣ ହୋଇନାହିଁ। ଏକ ରିପୋର୍ଟ ମୁତାବକ ବିଦେଶୀ ଟିକା ନିର୍ମାତାମାନେ ଭାରତକୁ ୭୫୦ରୁ ୧୫୦୦ ଟଙ୍କା ମଧ୍ୟରେ ଭ୍ୟାକ୍ସିନର ଗୋଟିଏ ଡୋଜ୍ ଦେବାକୁ ପ୍ରସ୍ତୁତ ଅଛନ୍ତି। ଯାହା ସ୍ୱଦେଶୀ ଟିକା ଦାମ୍ ଠାରୁ ଅଧିକ ରହିବ । ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ମାଗଣାରେ କୋରୋନା ଟିକା ଯୋଗାଇ ଦେଉଛନ୍ତି। 18 ପ୍ଲସଙ୍କ ପାଇଁ ମଧ୍ୟ Covaxin, Covishied ଟିକା ଶସ୍ତାରେ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦେଶରେ ଟିକା ଅଭାବ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଗ୍ଲୋବାଲ ଟେଣ୍ଡରକୁ କେବେ କେନ୍ଦ୍ର ଅନୁମତି ଦେଉଛି ଓ ରାଜ୍ୟ ଗୁଡ଼ିକର ଚାହିଦା ପୂରଣ କରିବାରେ କେତେ ସହାୟକ ହେଉଛି ।