ଏସଟିଏଫ ହାତରେ ଲାଗିଲା ହାପ୍ ପ୍ୟାଣ୍ଟ
Advertisement
Article Detail0/zeeodisha/odisha614430

ଏସଟିଏଫ ହାତରେ ଲାଗିଲା ହାପ୍ ପ୍ୟାଣ୍ଟ

ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ବାଲେଶ୍ବର ଜିଲ୍ଲାରେ

ଏସଟିଏଫ ହାତରେ ଲାଗିଲା ହାପ୍ ପ୍ୟାଣ୍ଟ

ସରୋଜ ବେହେରା,ଭୁବନେଶ୍ବର : ବ୍ରାଉନସୁଗାର ଚେର ଖୋଜୁ ଖୋଜୁ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ହାପ ପ୍ୟାଣ୍ଟ । ଆପଣ ଠିକ ପଢିଛନ୍ତି । ହାପପ୍ୟାଣ୍ଟ କେଉଁ ଅଙ୍ଗ ବସ୍ତ୍ରର ସାଇଜ ନୁହଁ । ଏ ହେଉଛି ବ୍ରାଉନସୁଗାର ବେପାରୀ  ରାଜାର ସହଯୋଗୀ । ହାପ ପ୍ୟାଣ୍ଟ ବାବୁ ଓରଫ ବସନ୍ତ ବେହେରା । ବସନ୍ତ ହେଉଛି ବ୍ରାଉନ ସୁଗାର ବେପାରୀ ଶେଖ ରାଜାର ସହଯୋଗୀ । ବସନ୍ତଙ୍କ ସହ ତାଙ୍କ ଆଉ ଜଣେ ସହଯୋଗୀ  ନୀଳାଦ୍ରୀ ଦାସଙ୍କୁ ମଧ୍ୟ ଗିରଫ କରିଛି ଏସଟିଏଫ ।

ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ବାଲେଶ୍ବର ଜିଲ୍ଲାରେ । ସେମାନଙ୍କ ନିକଟରୁ ୧୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୩୦ ହଜାର ଟଙ୍କା ବୋଲି କୁହାଯାଉଛି । ଦୁଇ ଅଭିଯୁକ୍ତ ଶେଖ ରାଜାଙ୍କଠାରୁ ବ୍ରାଉନସୁଗାର  ବାଲେଶ୍ବରରୁ ଆଣି ଖୋର୍ଦ୍ଧାରେ ପହଞ୍ଚାଉଥିଲେ । ରାଜାକୁ ଜେରା କଲା ବେଳେ ଉଭୟଙ୍କ ବାବଦରେ ସୁରାକ ମିଳିଥିଲା । ଏମାନେ ମଧ୍ୟ ଶେଖ ରାଜାର ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରରେ ସହଯୋଗ କରୁଥିବା ଜଣାପଡିଛି । କିଛି ଦିନ ତଳେ ବାଲେଶ୍ବରରେ ଚଢାଉ କରି ଶେଖ ରାଜାଙ୍କ ମାଁଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ । ଏହା ପୂର୍ବରୂ ଶେଖ ରାଜାକୁ ଗିରଫ କରି ତାହାର ସମ୍ପତ୍ତିର ଯାଞ୍ଚ କରାଯାଇଥିଲା । ସେତେ ବେଳେ ରାଜା ନାଁରେ ପ୍ରାୟ ଏକ କୋଟି ୩୫ ଲକ୍ଷ ଟଙ୍କା ଥିବା ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ । 

ଏତେ ଗିରଫଦାରୀ ସତ୍ବେ ବ୍ରାଉନସୁଗାର ବେପାର ବନ୍ଦ ହେଉନଥିବା ଚିନ୍ତାର କାରଣ ପାଲଟିଛି । ପଡୋଶୀ ରାଜ୍ୟ ବିଶେଷ କରି ପଂଶ୍ଚିମବଙ୍ଗରୁ ଏବେ ବି ବ୍ରାଉନସୁଗାର ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ବଡ ବଡିଆ ବେପାରୀଙ୍କୁ ଧରି ସେମାନଙ୍କୁ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହି ବେପାର ରୋକିବାର ନାଁ ଧରିବନି ବୋଲି ଆଶଙ୍କା କରାଯାଉଛି । ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଏହି ଧଳା ଜହରର ବ୍ୟବହାର ଏତେ ମାତ୍ରାରେ ବଢିଯାଇଛି  ଯେ ଏହା ପାଇଁ ବେପାରୀ ମାନେ କାହାକୁ ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି ।