)
ଭୁବନେଶ୍ବର: ରାଜ୍ୟର ପୁରାତନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ବିଶ୍ୱବିଦ୍ୟାଳୟ ବିକାଶ ପାଇଁ ଆସୁଥିବା ପାଣ୍ଠି ଭୋଗ ବିଳାସ ଜୀବନଯାପନ କରିବାରେ ବିନିଯୋଗ ହେଉଛି। କିନ୍ତୁ ବିଦ୍ୟାର୍ଥୀଙ୍କ ମୌଳିକ ଆବଶ୍ୟକତା ପୂରଣ ହେଉନଥିବା ଅଭିଯୋଗ କରି ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ କୂଳପତିଙ୍କ ଅଫିସ ସମ୍ମୁଖରେ ଶତଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) କୁ ଆସୁଥିବା ବିଭିନ୍ନ ଆର୍ଥିକ ପାଣ୍ଠି (development fund) କୁ ବିକାଶ କ୍ଷେତ୍ରରେ ବିନିଯୋଗ କରାଯାଉନାହିଁ। ସେଥିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ରୁମ, ଚେୟାର, ୱାଇଫାଇ, ଉନ୍ନତ ପାନୀୟ ବ୍ୟବସ୍ଥା, ଫ୍ୟାନ ଆଦି ନାହିଁ। କିନ୍ତୁ କର୍ତ୍ତୃପକ୍ଷଙ୍କର ଚାମ୍ବର ଥାଉ ଥାଉ ଆଉ ଗୋଟିଏ ଲେଖାଏଁ ଚାମ୍ବର ବନେଇ ସେଣ୍ଟ୍ରାଲ ଏସି, ଲକ୍ଷାଧିକ ଟଙ୍କାର ବଡି ମସାଜ ଆରାମଦାୟକ ଚୌକି ଆଦି ବିଳାସମୟ ବ୍ୟବସ୍ଥା କରାଯାଉଛି ବୋଲି ଛାତ୍ରଛାତ୍ରୀ (Vanivihar Students) ଅଭିଯୋଗ ଆଣିଛନ୍ତି।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଭୋଗ ବିଳାଶକୁ ବିରୋଧ କରିବା ସହ ଛାତ୍ରଛାତ୍ରୀ ନିଜ ସମସ୍ୟା ନେଇ କୂଳପତି (Utkal University VC) ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା (Strike) ଦେଇଥିଲେ। ଏପରି କି ସେମାନେ ବିଶ୍ବବିଦ୍ୟାଳୟରେ ନାରାବାଜୀ ଦେଇ ଆନ୍ଦୋଳନ କରିଛନ୍ତି। ତେବେ ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଧାରଣା ଉଗ୍ର ରୂପ ନେବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଜେଇଛନ୍ତି।