ଡିଜିଟାଲ ଦୁନିଆରେ ନୂଆରୂପ ଓ ନୂଆରଙ୍ଗରେ ଜୀ ଓଡ଼ିଶା ନ୍ୟୁଜ୍ ଆପଣଙ୍କୁ ତାଜା ଖବର ଦେବା ସହିତ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଇବ।
Trending Photos
ନୂଆଦିଲ୍ଲୀ: ସମୟ ସହିତ ତାଳ ଦେଇ ଚାଲୁଛି ଆପଣଙ୍କ ପ୍ରିୟ ZEE Odisha। ଆପଣ ଦେଖୁଥିବା ସାଧାରଣ ଟିଭି ଏବେ ଡିଜିଟାଲ ରୂପରେ ଆପଣଙ୍କ ମୋବାଇଲ, ଟାବଲେଟ୍ ଓ ଲାପଟପରେ ଉପଲବ୍ଧ ହେବ। ଆପଣଙ୍କ ହାତ ପାହାନ୍ତାରେ ZEE Odisha News.com। ଏଠାରେ ଆପଣଙ୍କୁ ମିଳିବ ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତିକ ଘଟଣାବଳୀର ଟିକିନିକ୍ ଖବର। ତା'ସହିତ ଡିଜିଟାଲ ଟିଭି ମାଧ୍ୟମରେ ଜୀ ଓଡ଼ିଶା ନ୍ୟୁଜକୁ ଆପଣ YouTube, Facebook, Twitter ଓ Insta ପ୍ଲାଟଫର୍ମ ମାଧ୍ୟମରେ ଦେଖିପାରିବେ। ତେବେ ZEE Odisha ତାର ନୂଆ ନାମ ZEE Odisha News ଭାବେ ଓଡି଼ଶାର ଘରେ ଘରେ ପରିଚିତ ହେବ। କେବଳ ନ୍ୟୁଜ୍ ନୁହଁ ZEE Odisha Newsରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଭରପୁର ମନୋରଞ୍ଜନ ମଧ୍ୟ ମିଳିବ।
ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ZEE MEDIA ଦକ୍ଷିଣ ଭାରତର ୪ଟି ଚ୍ୟାନେଲର ଶୁଭାରମ୍ଭ ପରେ ZEE Odisha କୁ ଡିଜିଟାଲ ଟିଭିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଢାଞ୍ଚାରେ ଖବର ପ୍ରସାରଣ ହେବ କିନ୍ତୁ ଏହା ଏବେ ଟିଭି ନୁହେଁ ZEE Odisha Newsର ୱେବସାଇଟ୍ ଓ OTT ପ୍ଲାଟଫର୍ମରେ ଉପଲବ୍ଧ ହେବ।
ZEE Odisha Newsରେ ସପ୍ତାହକୁ ସାତ ଦିନ ନିୟମିତ ଖବର ବ୍ୟତୀତ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ ହେବ। ଏଥିରେ ଆଧ୍ୟାତ୍ମିକ, ସ୍ୱାସ୍ଥ୍ୟ, ଯୋଗ, ମନୋରଞ୍ଜନ, କ୍ୟାରିୟର, ଅପରାଧ, ଖାଦ୍ୟ, ବୋଲ୍ ପବ୍ଲିକ ବୋଲ୍ ନାମରେ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ଶନିବାର ଓ ରବିବାରରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମ ପ୍ରସାରଣ କରାଯିବ। ମହିଳା ଓ ପ୍ରବାସୀ ଓଡି଼ଆଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ କମ୍ପାନୀ ଯୋଜନା କରିଛି। ତେବେ ନୂଆ ରୂପ ଓ ନୂଆ ପ୍ରଣାଳୀରେ ZEE Odisha Newsର ଖବର ପରିବେଷଣକୁ ପୂର୍ବ ପରି ଓଡି଼ଆ ଦର୍ଶକ ଆଦର କରିବେ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ୨୦୧୪ ଜାନୁଆରୀରେ Zee Kalinga ନାମରେ ZMCL ପକ୍ଷରୁ ପ୍ରଥମ ଓଡିଆ ନ୍ୟୁଜ ଓ ମନୋରଞ୍ଜନ ଭିତ୍ତିକ ଟିଭି ଚ୍ୟାନେଲ ଲଞ୍ଚ କରାଯାଇଥିଲା। ଲଞ୍ଚର ୨ ବର୍ଷ ପରେ ଏହାକୁ Zee Kalinga News ନାମରେ 24x7 ଓଡି଼ଆ ନ୍ୟୁଜ୍ ଚ୍ୟାନେଲ ଭାବେ ରି-ବ୍ରାଣ୍ଡିଂ କରାଗଲା। ଓଡ଼ିଶାର ଏକ ଚ୍ୟାନେଲ ସହ ନାମର ସମାନତା ଥିବାରୁ ୨୦୧୮ ଡିସେମ୍ବରରେ Zee Kalinga Newsର ନାମକରଣ କରାଯାଇ ZEE Odisha କରାଯାଇଥିଲା । ଏବେ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ZEE Odishaକୁ ZEE Odisha News କରାଯାଇଛି।