ଆଜି ବସୁମତୀ ସ୍ନାନ
Advertisement

ଆଜି ବସୁମତୀ ସ୍ନାନ

ସରିଲା ରଜ । ଆରବର୍ଷକୁ ଅପେକ୍ଷା...

ଆଜି ବସୁମତୀ ସ୍ନାନ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ସରିଛି ରଜ । ପୁଣି ଅପକ୍ଷା ଆର ବର୍ଷକୁ । କାରଣ ଏଥର ରଜ କୋରୋନା ଭିତରେ ସତେ ଯେମିତି ଫିକା ପଡ଼ିଯାଇଛି । ଅନେକ ଆଶା, ଉଦ୍ଦୀପନାକୁ କୋରୋନା କଟକଣା ସୀମିତ କରି ଦେଇଛି ।  ଆସନ୍ତା ବର୍ଷ ପୁଣି ରଜ ଆସିବ । ହସ ଫୁଟିବ, ପିଠା ଓ ମିଠାର ଆସର ଜମିବ । ନା ଥିବ କଟକଣା ନା ଥିବ ଭୟଙ୍କର ମହାମାରୀ । ଏମିତି କିଛି ଆଶା ନେଇ ଏଥର ରଜକୁ ବିଦାୟ ଦେଇଛନ୍ତି ଓଡ଼ିଶାବାସୀ ।

ତେବେ ଆଜି ହେଉଛି ବସୁମତୀ ସ୍ନାନ ଓ ମହାଲକ୍ଷ୍ମୀ ପୂଜା। ରଜର ଅନ୍ତିମ ଦିନ । ଓଡ଼ିଆ ଘରେ ଆଜିର ଦିନ ବେଶ୍ ଗୁରୁତ୍ୱ ରଖୁଛି ।  ସକାଳୁ ସକାଳୁ ନୂଆ ପିଢା, ନୂଆ ବସ୍ତ୍ର, ହଳଦୀ, ଚନ୍ଦନ ଲଗାଇ ଶିଳପୁଆ, ଲଙ୍ଗଳ ଲୁହା ଆଦିକୁ ପୂଜା କରାଯାଇଛି । ମାଟି ସହିତ ଜଡ଼ିତ ସବୁ ଉପକରଣକୁ ଏଥିରେ ସ୍ଥାନ ପାଇଛି । ବର୍ଷର ଏହି ସନ୍ଧି କାଳରେ ମାଟି ମାଆକୁ ସମ୍ମାନ ଦେବା ପାଇଁ ରଜ ପାଳନ କରାଯାଇଛି । ଋତୁମତୀ ନାରୀ ଭଳି ବସୁଧା ମଧ୍ୟ ୪ର୍ଥ ସ୍ନାନ କରିଛନ୍ତି । ଶୁଦ୍ଧ ଓ ପବିତ୍ର ଧରଣୀକୁ ପୂଜା କରାଯାଇଛି । ଏହାରି ଭିତରେ ମୌସୁମୀ ବର୍ଷା ମଧ୍ୟ ଧରଣୀ ରାଣୀକୁ ସବୁଜିମା କରିଦେଇଛି । ପ୍ରକୃତି ରାଣୀର ଶୋଭା ବଢି ଯାଇଛି ।

ସଟ୍ ଡାଉନ ଭିତରେ ରଜର ଗୋଟିଏ ଦିନ ପଡ଼ିଥିଲା । ରଜ ପାନ ବିକିବା ଓ କିଣିବା ଉପରେ ଲାଗିଥିଲା ରୋକ୍ । ଏହା ଅନେକଙ୍କୁ ବ୍ୟଥିତ କରିଥିଲା । କାରଣ ରଜରେ ପାନର ରହିଛି ସ୍ୱତନ୍ତ୍ର ଚାହିଦା । ତେବେ ଦ୍ୱିତୀୟ ଦିନ ଠାରୁ ଆଜି, ସମସ୍ତେ ପାନ କିଣିଛନ୍ତି । କେହି କେହି ଘରେ ମସଲା ଦେଇ ପାନ ଭାଙ୍ଗିଛନ୍ତି । ରଜରେ ପାନର ଆଶାକୁ ମଉଳିବାକୁ ଦେଇ ନାହାଁନ୍ତି । ସେପଟେ ପାନ ଦୋକାନୀ ମଧ୍ୟ ତିନି ଦିନ ପାନ ବିକ୍ରି କରି କିଛି ପଇସା ରୋଜଗାର କରିଛନ୍ତି ।