ପୁଣି ୧୨ ମୁଣ୍ଡ ନେଲା କୋରୋନା, ତାଲିକାରେ ସାମିଲ ହେଲା ଢେଙ୍କାନାଳ ଓ ମୟୂରଭଞ୍ଜ
Advertisement

ପୁଣି ୧୨ ମୁଣ୍ଡ ନେଲା କୋରୋନା, ତାଲିକାରେ ସାମିଲ ହେଲା ଢେଙ୍କାନାଳ ଓ ମୟୂରଭଞ୍ଜ

ଆଜି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ପୁଣି ୧୨ ମୁଣ୍ଡ ନେଲା କୋରୋନା, ତାଲିକାରେ ସାମିଲ ହେଲା ଢେଙ୍କାନାଳ ଓ ମୟୂରଭଞ୍ଜ

ଭୁବନେଶ୍ୱର: ଆଜି ରାଜ୍ୟରେ କୋରୋନା ୧୨ଟି ମୁଣ୍ଡ ନେଇଛି। ଫଳରେ କୋରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୨୪୭ରେ ପହଞ୍ଚିଛି। ସେପଟେ ମୃତ୍ୟୁ ତାଲିକାରେ ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ନାମ ସାମିଲ ହୋଇଛି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୨୩ରେ ପହଞ୍ଚିଛି। ଏହା ସହ ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା। 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସମ୍ବଲପୁର, ଭଦ୍ରକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଗଜପତିର ଜିଲ୍ଲାର ରହିଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। 

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ପୁରୁଷଙ୍କ ବୟସ ୫୨, ୫୦ ଓ ୬୨ ବର୍ଷୀୟ ବୋଲି ଜଣାପଡ଼ିଛି। ସେହିପରି ମୟୂରଭଞ୍ଜ ଓ ଢେଙ୍କାନାଳରେ ଆଜି ପ୍ରଥମ ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ମୃତକଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ଢେଙ୍କାନାଳରେ ୬୧ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରାପଡ଼ାରେ ୩୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ ୭୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ସେହିପରି ଭଦ୍ରକରେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୭୭ ବର୍ଷୀୟ ଦୁଇଜଣ ଓ ୬୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଗଜପତିରେ ମଧ୍ୟ ଜଣେ ୩୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଜପତିରେ କିଡନୀ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ମିଳିଛି। 

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨୩ରେ ପହଞ୍ଚିଛି। ଖୋର୍ଦ୍ଧାରେ ୩୧ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ୧୦ ଜଣ ଓ ସୁନ୍ଦରଗଡ଼ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼ ଓ ପୁରୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ବାଲେଶ୍ୱରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, ସମ୍ବଲପୁର, ଅନୁଗୋଳ, କଳାହାଣ୍ଡି, ମାଲକାନଗିରି ଓ କେନ୍ଦୁଝରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।