ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ
Advertisement
Article Detail0/zeeodisha/odisha2338853

ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଥାନାରେ ଏତଲା ଦେବା ପରେ କାହିଁକି ତାଙ୍କୁ ଗିରଫ କରାଯାଉନି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ଵର: ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା ଓ ନାରାବାଜି ଦେଇଛନ୍ତି। ଯୁବ ଓ ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଆଜି ରାଜଭବନ ସମ୍ମୁଖରେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ନାରାବାଜି କରିଛନ୍ତି। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଥାନାରେ ଏତଲା ଦେବା ପରେ କାହିଁକି ତାଙ୍କୁ ଗିରଫ କରାଯାଉନି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏତଲା ପରେ ବି ପୁଲିସ ଚୁପ୍‍ କାହିଁକି ରହିଛି ପ୍ରଶ୍ନ କରିବା ସହ ଗିରଫ କରିବାକୁ ଦାବି କରିଛି ଦଳ। ଏଥିସହିତ ଏହି ଘଟଣା ପାଇଁ ରାଜ୍ୟପାଳ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି। 

ସୂଚନାଯୋଗ୍ୟ ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ବୈକୁଣ୍ଠ ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଲଳିତ କୁମାରଙ୍କୁ ତୁରନ୍ତ ଗିରଫ ଦାବି କରି କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି। 

ଅନ୍ୟପଟେ ବୈକୁଣ୍ଠ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବୈକୁଣ୍ଠ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତ ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲ୍ଡ ସେକ୍ସନରେ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି। ପୁରୀ ରାଜଭବନରେ ଗତ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗତ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ(ପୁରୀ ରାଜଭବନର ଇନଚାର୍ଜ ଭାବେ) ଗତ ୫ତାରିଖରୁ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ ଭଲରେ ସମ୍ପାଦନ ହୋଇଥିଲା। କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଆଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ନିଜକୁ ଅସହାୟ ମଣି ସେ ଉକ୍ତ ରୁମରୁ ଦୌଡ଼ି ପଳାଇ ଆସି ଆନେକ୍ସ ବିଲିଡିଂରେ ଲୁଚି ରହିବାକୁ ଚେଷ୍ଟା କରିଥିଲେ। ମାତ୍ର ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ଟେକି ନେଇଯାଇଥିଲେ ଆଉ ସେଠାରେ ତାଙ୍କ ମୁହଁକୁ ଚାପୁଡ଼ା ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରିଥିଲେ ଏବଂ ଲଳିତ ତାଙ୍କୁ ହତ୍ୟା ପାଇଁ ଧମକ ଦେବା ସହ କେହିବି ତାଙ୍କୁ ବଞ୍ଚାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ନେଇ ବୈକୁଣ୍ଠନାଥ ଅଭିଯୋଗରେ ଦର୍ଶାଇଛନ୍ତି।