କୋଲ୍ଡ ବ୍ଲଡେଡ ମର୍ଡର: 'ଫୁଲରୁ ମହୁ ଶୋଷିନେଇ' ଖିନଭିନ୍ କରିଦେଇଥିଲା ଅନୁପ
Advertisement
Article Detail0/zeeodisha/odisha1141337

କୋଲ୍ଡ ବ୍ଲଡେଡ ମର୍ଡର: 'ଫୁଲରୁ ମହୁ ଶୋଷିନେଇ' ଖିନଭିନ୍ କରିଦେଇଥିଲା ଅନୁପ

ଫୁଲରୁ ମହୁ ଶୋଷିନେଇ ସାରିଥିବା ଅନୁପ ସାଏ ଆଉ କଳ୍ପନାଙ୍କ ପଘାରେ ବନ୍ଧା ହୋଇ ରହିବାକୁ ଚାହୁଁ ନ ଥିଲେ। ତେଣେ ତାଙ୍କ ଉପରେ କଳ୍ପନାଙ୍କ ଚାପ ବଢ଼ିବାରେ ଲାଗିଥିଲା। ଫଳରେ ଅନୁପ ନେଇଥିଲେ ଏକ ଭୟାନକ ନିଷ୍ପତ୍ତି।

କୋଲ୍ଡ ବ୍ଲଡେଡ ମର୍ଡର: 'ଫୁଲରୁ ମହୁ ଶୋଷିନେଇ' ଖିନଭିନ୍ କରିଦେଇଥିଲା ଅନୁପ

ଭୁବନେଶ୍ୱର: ବହୁଚର୍ଚ୍ଚିତ 'କଳ୍ପନା-ବବଲି' ଡବଲ ମର୍ଡର ଘଟଣାରେ ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ। ତେବେ ଏହି ଦଣ୍ଡାଦେଶ ତାଙ୍କୁ ଓଡ଼ିଶାର କୌଣସି କୋର୍ଟ ଦେଇ ନାହାନ୍ତି। ତାଙ୍କୁ ଏହି ଦଣ୍ଡାଦେଶ ଛତିଶଗଡ଼ ରାୟଗଡ଼ ଜିଲ୍ଲା ସେସନ୍ସ ଜଜ୍ କୋର୍ଟ ଦେଇଛନ୍ତି। ଅନୁପଙ୍କ ବିରୋଧରେ ମଧ୍ୟ ରହିଛି ସାକ୍ଷ୍ୟ ପ୍ରମାଣ ନଷ୍ଟ ଅଭିଯୋଗ। ଏଥିସହିତ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡ ମଧ୍ୟ ଶୁଣାଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ। ତେବେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦିଆଯାଇଛି। ଅବଶ୍ୟ ଅନୁପ ସାଏଙ୍କ ପାଇଁ ଉପରିସ୍ଥ କୋର୍ଟଙ୍କ ଦରଜା ଖୋଲା ଅଛି।କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍।

କ'ଣ ଥିଲା ପୂରା ଘଟଣା ?
ଗତ ୨୦୧୬ ମସିହାର ଘଟଣା। ଛତିଶଗଡ଼ ରାଜ୍ୟ ପୋଲିସ ନିଜ ସୀମା ଭିତରୁ ଦୁଇଟି ମୃତଦେହ ଉଦ୍ଧାର କରିଥିଲା। ତାହା ଥିଲା ଜଣେ ମହିଳା ଓ ଜଣେ ନାବାଳିକା ଶିଶୁକନ୍ୟାର। ପରିଚୟବିହୀନ ମୃତଦେହ ଉଦ୍ଧାର କରିବା ପରେ ତା'ର ଚିହ୍ନଟ ପାଇଁ ଲାଗି ପଡ଼ିଥିଲା ପୋଲିସ। ମାତ୍ର ତାହା ଛତିଶଗଡ଼ର କାହାରି ବୋଲି ଚିହ୍ନଟ ହୋଇପାରିନଥିଲା। ଫଳରେ ପଡ଼ୋଶୀ ଓଡ଼ିଶା ଏବଂ ଝାଡ଼ଖଣ୍ଡର ନିଖୋଜମାନଙ୍କ ସନ୍ଧାନ ନେବା ଆରମ୍ଭ କରିଥିଲା ଛତିଶଗଡ଼ ପୋଲିସ। ଆଉ ତଲାସ କରୁ କରୁ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ନିଖୋଜ ଥିବା ଏକ ଥାନା ରିପୋର୍ଟରୁ ଜାଣିବାକୁ ପାଇଥିଲା ଛତିଶଗଡ଼ ପୋଲିସ। ଏହାପରେ ତାଙ୍କ ପରିବାର ଓ ପଡ଼ୋଶୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ମୃତଦେହ ଉଦ୍ଧାର ହୋଇଥିବା ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି ସମ୍ପର୍କରେ ମିଳିଥିଲା ସୁରାକ୍।

କିଏ ଏହି କଳ୍ପନା ଦାସ ଓ ବବଲି ?
ପୂର୍ବତନ ବିଧାୟକ ଅନୁପ ସାଏ ନିଜ ପତ୍ନୀଙ୍କ ବ୍ୟତୀତ ଏପରି କିଛି ମହିଳାଙ୍କ ସହ ସମ୍ପର୍କ ରଖିଥିଲେ, ଯେଉଁମାନଙ୍କ ମଧ୍ୟରୁ କଳ୍ପନା ଦାସଙ୍କ ସହ ତାଙ୍କ ସମ୍ପର୍କ ହୋଇ ଯାଇଥିଲା ନିବିଡ଼। ଏତେ ନିବିଡ଼ ଯେ, ଅନୁପ ସାଏଙ୍କ ପରିବାର ଅଗୋଚରରେ ସେମାନେ ବେଶ୍ କିଛିଦିନ ଲିଭ୍ ଇନରେ ମଧ୍ୟ ରହିଥିଲେ। ଏ ମଧୁର ସମ୍ପର୍କରୁ ଜନ୍ମ ନେଇଥିଲା ବବଲି। ତେବେ ତାକୁ ଯେତେବେଳେ ୭ ବର୍ଷ ହୋଇଥିଲା, କଳ୍ପନା ଅନୁପ ସାଏଙ୍କଠାରେ ପତ୍ନୀର ମର୍ଯାଦା ଦାବି କରି ବସିଲେ। ଏଥିପାଇଁ ତାଙ୍କ ଉପରେ ଚାପ ପକାଇବାରେ ଲାଗିଲେ। ମାତ୍ର ଫୁଲରୁ ମହୁ ଶୋଷିନେଇ ସାରିଥିବା ଅନୁପ ସାଏ ଆଉ କଳ୍ପନାଙ୍କ ପଘାରେ ବନ୍ଧା ହୋଇ ରହିବାକୁ ଚାହୁଁ ନ ଥିଲେ। ତେଣେ ତାଙ୍କ ଉପରେ କଳ୍ପନାଙ୍କ ଚାପ ବଢ଼ିବାରେ ଲାଗିଥିଲା।

କାହିଁକି କଳ୍ପନା ଓ ବବଲିଙ୍କୁ ହତ୍ୟା ?
ବାରମ୍ବାର କଳ୍ପନା ତାଙ୍କୁ ପତ୍ନୀ ଭାବରେ ସ୍ୱୀକାର କରିବାକୁ କହୁଥିବାରୁ ଅନୁପ ସାଏ ଏକ କଠୋର ସିଦ୍ଧାନ୍ତ ନେଇଥିଲେ। ଆଉ ଏଇଠୁ ଜନ୍ମ ନେଇଥିଲା କଳ୍ପନା-ବବଲି ଡବଲ ମର୍ଡରର ପ୍ଲଟ୍। ରଚନା ହୋଇଥିଲା ଏକ କୋଲ୍ଡ ବ୍ଲଡେଡ୍ ମର୍ଡରର ବ୍ଲୁ ପ୍ରିଣ୍ଟ। ଆଜିକୁ ପ୍ରାୟ ୬ ବର୍ଷ ତଳେ ୨୦୧୬ ମସିହାରେ କଳ୍ପନା ଓ ଝିଅ ବବଲିଙ୍କୁ ବିବାହ ପ୍ରଲୋଭନ ଦେଇ ଛତିଶଗଡର ଚକ୍ରଧରନଗର ଅଞ୍ଚଳକୁ ନେଇ ଯାଇଥିଲେ ଅନୁପ ସାଏ। ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ କିଛି ଏକ ବାହାନାରେ ଗାଡ଼ି ଅଟକାଇ କଳ୍ପନା ଓ ଝିଅ ବବଲିକୁ ଓହ୍ଲାଇ ଦେଇଥିଲେ। ଏହାପରେ ତାଙ୍କ ଉପରେ ନିର୍ମମ ଭାବରେ ଚଢ଼ାଇ ଦେଇଥିଲେ ଗାଡ଼ି। କାଳେ ମୃତଦେହ ଚିହ୍ନା ପଡ଼ିଯିବ, ସେଥିପାଇଁ ଆଗପଛ କରି ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହକୁ ଛତିଶଗଡ଼ର ହମିରପୁର ଜଙ୍ଗଲରେ ପକାଇଦେଇ ଚାଲି ଯାଇଥିଲେ। ୭ ମେ ୨୦୧୬ରେ ଚକ୍ରଧରପୁର ଥାନାରେ ରୁଜୁ ହୋଇଥିଲା ଏକ ହତ୍ୟା ମାମଲା।

ଶବ ଖୁଣୀ ଚିହ୍ନାଏ:
ହେଲେ ଅନୁପ ସାଏ ବୋଧହୁଏ ଭୁଲି ଯାଇଥିଲେ, ସେହି ଶବ ହିଁ ଦିନେ ତାଙ୍କ ପରିଚୟ ଆଇନ ଆଗରେ ଖୋଲିଦେବ ବୋଲି। ମା'ଝିଅଙ୍କ ମୃତ୍ୟୁର ପାଞ୍ଚମାସ ପରେ ପୋଲିସକୁ ମିଳିଥିଲା ସେମାନଙ୍କ ପରିଚୟ। ଏହାପରେ ଯେତେବେଳେ ଏହି ଡବଲ ମର୍ଡର ପଛରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମ୍ପୃକ୍ତି କଥା ଜଣାପଡ଼ିଲା, ସେତେବେଳେ ସବିଶେଷ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାରେ ଲାଗିଥିଲା ପୋଲିସ। ଆଉ ସେତକ ଯୋଗାଡ଼ କରିବା ପରେ ଘଟଣା ଘଟିବାର ପ୍ରାୟ ୩ ବର୍ଷ ପରେ ଅର୍ଥାତ୍ ୧୩ ଫେବୃଆରୀ ୨୦୨୦ ରେ ଅନୁପ ସାଏଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଥିଲା ଛତିଶଗଡ଼ ପୋଲିସ। ଅନୁପ ସାଏ ଗିରଫ ହେବାପରେ ପ୍ରାୟ ୨ ବର୍ଷ ଧରି ଚାଲିଥିଲା ମାମଲା। ଆଉ ଆଜି ଉଭୟ ପକ୍ଷର ସମସ୍ତ ସାକ୍ଷ୍ୟପ୍ରମାଣ ପାଇସାରିବା ପରେ ରାୟଗଡ଼ ଜିଲ୍ଲା ସେସନ୍ସ ଜଜ୍ କୋର୍ଟ ଶୁଣାଇଛନ୍ତି ଦଣ୍ଡାଦେଶ।