ମହିଳା ପରେ ଶିଶୁଙ୍କ ପାଇଁ ଅସୁରକ୍ଷିତ ଓଡିଶା
Advertisement

ମହିଳା ପରେ ଶିଶୁଙ୍କ ପାଇଁ ଅସୁରକ୍ଷିତ ଓଡିଶା

ସେ ପରୀ ହେଉ କି ଯାଯପୁର ବରିର ପିହୁ ଅବା ନୟାଗଡ ରଣପୁର ପଞ୍ଚାୟତର ହରପ୍ରିୟା। କାହାକୁ ମଧ୍ୟ ପୋଲିସ ଖୋଜି ବାହାର କରିବାରେ ସଫଳ ହୋଇନାହିଁ।

 

ପ୍ରତିକାତ୍ମକ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ମହିଳାଙ୍କ ପରେ ଶିଶୁକନ୍ୟାଙ୍କ ପାଇଁ ଅସୁରକ୍ଷିତ ହେଲାଣି ଓଡିଶା। ଦିନକୁ ଦିନ ଶିଶୁ ନିଖୋଜ ସଂଖ୍ୟା ବଢିବାରେ ଲାଗିଛି। ଜଣେ ପରେ ଜଣେ ଶିଶୁ ନିଖୋଜ ହୋଇଯାଉଛନ୍ତି। ସେ ପରୀ ହେଉ କି ଯାଯପୁର ବରିର ପିହୁ ଅବା ନୟାଗଡ ରଣପୁର ପଞ୍ଚାୟତର ହରପ୍ରିୟା। କାହାକୁ ମଧ୍ୟ ପୋଲିସ ଖୋଜି ବାହାର କରିବାରେ ସଫଳ ହୋଇନାହିଁ।

ଲଗାତାର ବଢି ଚାଲିଛି ଶିଶୁ ନିଖୋଜ (child missing) ସଂଖ୍ୟା। ରାଜ୍ୟରେ ପ୍ରତ୍ୟେକ ବର୍ଷ ଶିଶୁ ନିଖୋଜ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଉଥିବା ବେଳେ ମାତ୍ର ୨୭ ପ୍ରତିଶତଙ୍କୁ ପୋଲିସ ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଖୋଜି ପାଉଛନ୍ତି। ଅପହୃତ ଶିଶୁଙ୍କୁ ଖୋଜିବାରେ ୨୦୧୫ରୁ ମୁସ୍କାନ, ସ୍ମାଇଲ, ପରୀ ଭଳି ଅନେକ ଯୋଜନା ଚାଲିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ଥିଲେ ମଧ୍ୟ ଫଳ ଶୂନ। NCRB ରିପୋର୍ଟ ଅନୁସାରେ ୨୦୧୬ରେ ରାଜ୍ୟର ନିଖୋଜ ଶିଶୁ ସଂଖ୍ୟା ୧୯୦୧ ଥିଲା। କିନ୍ତୁ ୨୦୧୯ରେ ତାହା ୨.୮୯ ଗୁଣ ବଢି ୫୫୦୩ରେ ପହଞ୍ଚିଛି।

Also Read: ପରୀ ହତ୍ୟାକାଣ୍ଡ ମାମଲା; ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

୨୦୧୯ରେ ନିଖୋଜ ଶିଶୁ ୫୫୦୩ ଶିଶୁଙ୍କ ମଧ୍ୟରୁ  ମାତ୍ର ୧୪୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏବେ ବି ୪୦୧୩ ଶିଶୁ ନିଖୋଜ ତାଲିକାରେ ରହି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୫୧ ଜଣ ୭ ବର୍ଷରୁ ଊର୍ଦ୍ଧ୍ୱ ଓ ୨୩୫୨ ଜଣ କୋମଳମତି ଶିଶୁ ନିଖୋଜ ନେଇ ମାମଲା ରୁଜୁ ହୋଇଛି। ହେଲେ ବିଡମ୍ବନାର ବିଷୟ ରାଜ୍ୟ ପୋଲିସ ହେଉକି କ୍ରାଇମବ୍ରାଞ୍ଚ (crime branch) ଅବା ଶିଶୁ ସୁରକ୍ଷା ଆୟୋଗ ସମସ୍ତେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ବିଫଳ। ସେପଟେ ରାଜ୍ୟରେ ଶିଶୁ ନିଖୋଜ ମାମଲା ବୃଦ୍ଧି ପାଉଥିବା ନେଇ ଶିଶୁ ସୁରକ୍ଷା ଆୟୋଗ ମୁଖ୍ୟ ସନ୍ଧ୍ୟାବତୀ ପ୍ରଧାନ ସ୍ବୀକାର କରିଛନ୍ତି। 

ପରୀ ହେଉକ ପିହୁ। ରାଜ୍ୟର ଶୁଶୁଙ୍କୁ ସୁରକ୍ଷା (child protection) ଦେବାରେ ସରକାର ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ୨୦୧୫ରୁ ୨୦୧୯ ମଧ୍ୟରେ ମୁସ୍କାନ, ସ୍ମାଇଲ, ପରୀ ଭଳି ଅନୋକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ରାଜ୍ୟରେ ଯେମିତି ଶିଶୁ ନିଖୋଜ ସଂଖ୍ୟା ବଢି ଚାଲିବା କଥା ସେମିତି ବଢି ଚାଲିଛି। ସେପଟେ ରାଜ୍ୟରେ ଶିଶୁ ସୁରକ୍ଷା ଆୟୋଗଙ୍କ କାର୍ଯ୍ୟ ନେଇ ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Also Read: ପୁରୀ ହାଜତ ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ମୃତ୍ୟର ରହସ୍ୟ

ସରକାରଙ୍କ ଦୋଷ ଦୁର୍ବଳତାକୁ ଘୋଡାଇବା ସହ କିଛି ନେତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ଶିଶୁ କମିଶନ ନିଜ ଗାଦିରେ ବସିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଶିଶୁଙ୍କୁ ନ୍ୟାୟ ଦେବା, ନିଖୋଜ ଶିଶୁ ମାମଲା କମିବା ଓ ଶିଶୁ ସୁରକ୍ଷା ଆୟୋଗ ସଠିକ ଭାବେ କାର୍ଯ୍ୟ କରିବା ଦାବିରେ ଉଭୟ ଦଳ ଶିଶୁ ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ଏବେ ବି ଶିଶୁ ନିଖୋଜ ସଂଖ୍ୟା କେମିତି କମିବ? କିଏ ଓ କାହିଁକି ଶିଶୁଙ୍କୁ ଅପହରଣ କରୁଛି? ବାସ୍ତବରେ କାହିଁକି ପୋଲିସ ଖୋଜି ପାଉନି, ସେ ସବୁ ରହସ୍ୟ ଘେରରେ ରହିଛି।