କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୋରୋନା ଜନିତ ଲକଡାଉନ ସମୟରେ ଧଳା ଜହର ବେପାର ଜୋର ଧରିଥିଲା। ବାଲେଶ୍ବର, ଜଳେଶ୍ବର ଓ ଭଦ୍ରକ ଅଞ୍ଚଳରୁ ମାଲ ଅଣାଯାଇ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଟାର୍ଗେଟରେ ଯୁବପିଢ଼ିଙ୍କୁ ରଖାଯାଇଛି।
Trending Photos
କେନ୍ଦ୍ରାପଡା: ଜିଲ୍ଲାରେ କାୟା ମେଲେଇଲାଣି ଧଳା ଜହର। ଯାହା ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଦୁଇ ଦିନରେ ପୋଲିସ ଅତର୍କିତ ଚଢାଉ କରି ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତବର୍ଷ ମଧ୍ୟ ଅନୁରୂପ ଭାବେ ଏକାଧିକ ଧଳା ଜହର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଥିଲା।
କେନ୍ଦ୍ରାପଡା (Kendrapara) ରେ ଧଳା ଜହର ମାଡି ଗଲାଣି। ବିଶେଷ କରି ପଟ୍ଟାମୁଣ୍ଡାଇ ସହର ବ୍ରାଉନ୍ ସୁଗାର (Brown sugar) ବେପାରର ହବ୍ ପାଲଟିଯାଇଛି। ଗୁରୁବାର କେନ୍ଦ୍ରାପଡା ଏସ୍ପିଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ହରପାର୍ବତୀ ମନ୍ଦିର ନିକଟରେ ଚଢାଉ କରି ୬ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଧରି କୋର୍ଟ (Court) ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- ପୋଖରୀଆପଡା ଗ୍ରାମର ଭୋଳାନାଥ ବେହେରା, ମୁସଲମାନ ବସ୍ତିର ସିକନ୍ଦର ଖାନ, ବେଲତଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ, ଅଇନିପଡାର ରତ୍ନାକର ଦାସ, ବେଲତଳର ସୌଭାଗ୍ୟ ରଂଜନ ଦାଶ ଓ ସଂଦୀପ କୁମାର ଦାସ। ଏମାନଙ୍କ ସହଯୋଗୀ କାକୁ ଖଣ୍ଡାଇ ଫେରାର ହୋଇଯାଇଛି।
Also Read: ବନ ବିଭାଗ ହେପାଜତରୁ ବଜ୍ରକାପ୍ତା ଫେରାର
ସୂଚନା ମୁତାବକ, ବ୍ରାଉନ ସୁଗାର କାରବାର ନେଇ ପଟ୍ଟାମୁଣ୍ଡାଇ ହରପାର୍ବତୀ ମନ୍ଦିର ନିକଟରେ ବ୍ୟବସାୟୀମାନେ ଏକାଠି ହୋଇଥିଲେ। ବିଶେଷ ସୂତ୍ରରୁ ସୂଚନା ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତଙ୍କ ନେତୃତ୍ୟରେ ଏକ ଟିମ ହରପର୍ବତୀ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ। ସେଠାରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଖସି ପଳାଇଥିଵା ବେଳେ ଅବଶିଷ୍ଟ ୬ ଜଣଙ୍କୁ ପୋଲିସ କାବୁ କରିବା ସହ ତାଙ୍କ ନିକଟରୁ ୫.୧୨୦ ଗ୍ରାମ ବ୍ରାଉନ ସୁଗାର, ନଗଦ ୨୩ ହଜାର ଟଙ୍କା, ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଅଧିକ ହୋଇଥିବାରୁ ଏହିଭଳି କାର୍ଯ୍ୟକ୍ରମକୁ ତୋରାନ୍ୱିତ କରାଯିବ ବୋଲି ପଟ୍ଟାମୁଣ୍ଡାଇ ପୋଲିସ (Patamundai) ପକ୍ଷରୁ ସୂଚନା ଦିଆଯାଇଛି।
ପଟ୍ଟାମୁଣ୍ଡାଇ ଥାନା କେସ ନଂ202/2022 ମାମଲା ରୁଜୁହୋଇ 21(b)/29 NDPS ଦଫାରେ ଗିରଫ କରାଯାଇ ଅଭଯୁମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଅପରପକ୍ଷରେ ଫେରାରଥିବା କାକୁକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେହିପରି ଭାବେ ଗତ ୨୭ ତାରିଖ ଦିନ କେନ୍ଦ୍ରାପଡା ଗୋପ ଟିଭି ସେଣ୍ଟର ପଛପଟେ ଏକାଠି ବସି ବ୍ରାଉନ୍ ସୁଗାର ବେପାର ଚାଲିଥିବା ବେଳେ କେନ୍ଦ୍ରାପଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ୫ ଜଣଙ୍କୁ ଧରିବା ସହ ତାଙ୍କ ନିକଟରୁ ୫.୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ସେମାନଙ୍କ ନିକଟରୁ ନଗଦ ୭୭୦୦ଟଙ୍କା ଏବଂ ମୋବାଇଲ ଫୋନ ସହ ବାଇକ୍ ଜବତ କରାଯାଇଛି।
Also Read: ସରକାରୀ ସ୍କୁଲ ଉପରେ ବୁଲଡୋଜର ଚଢିବା ଘଟଣା: ପ୍ରଶାସନର ଅନ୍ଧାରୀ ଶାସନକୁ ବିରୋଧ, NH -59 ବନ୍ଦ
କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୋରୋନା ଜନିତ ଲକଡାଉନ ସମୟରେ ଧଳା ଜହର ବେପାର ଜୋର ଧରିଥିଲା। ବାଲେଶ୍ବର, ଜଳେଶ୍ବର ଓ ଭଦ୍ରକ ଅଞ୍ଚଳରୁ ମାଲ ଅଣାଯାଇ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଟାର୍ଗେଟରେ ଯୁବପିଢ଼ିଙ୍କୁ ରଖାଯାଇଛି। ଗତବର୍ଷ ଅବକାରୀ ବିଭାଗ ପ୍ରଥମେ କେନ୍ଦ୍ରାପଡା ଗରାପୁର ଅଞ୍ଚଳରୁ ଜଣେ ଯୁବକ ଏବଂ ପଟ୍ଟାମୁଣ୍ଡାଇରୁ ଜଣେ ମହିଳାଙ୍କୁ ବ୍ରାଉନ ସୁଗାର ବେପାର କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଗକୁ ଏହି ପରି ପୋଲିସର ଅତର୍କିତ ଚଢାଉ ଜାରି ରହିବା ସହ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଧଳା ଜହର ବେପାର ବନ୍ଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।