ଗତ ଫେବ୍ରୁଆରୀ ୬ ତାରିଖ ଦିନ ପଳାଶପୁର ଗାଁରେ ବାହାଘର ସୁଟିଂ କରିବାକୁ ଆସିଥିଲେ ମୃତ କ୍ୟାମେରାମ୍ୟାନ୍ ମାନସ।
Trending Photos
ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆସିଛି ଆଉ ଏକ ଟ୍ୱିଷ୍ଟ। ଏହି ଅପରାଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଲିଙ୍କ୍ ବିଜେଡିର ବଡ଼ ବଡ଼ ନେତା ତଥା ମନ୍ତ୍ରୀଙ୍କ ସହ ଥିବା କୁହାଯାଉଛି। ଯଦିଓ ଏନେଇ ସେଭଳି କିଛି ବଳିଷ୍ଠ ପ୍ରମାଣ ନାହିଁ ହେଲେ ଶାସକ ଦଳର କେତେଜଣ ମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ନିଶ୍ଚିତ ସେମାନଙ୍କ ସହ ତାଙ୍କର ଘନିଷ୍ଠତାକୁ ସୂଚାଉଛି। ଅବଶ୍ୟ ମନ୍ତ୍ରୀଙ୍କୁ ସହ ଯେ କେହି ମଧ୍ୟ ଭେଟିପାରେ। ତାଙ୍କ ସହ ଫଟୋ ଉଠାଇପାରେ। ନିଆଁ ନଥିଲେ ଧୂଆଁ ଉଠିବାକୁ କେହି ବିଶ୍ୱାସ କରିବେ ନାହିଁ। ସେପଟେ କମିଶନରେଟ୍ ପୋଲିସ ଘଟଣାର ଏକ ଶେଷ ବିନ୍ଦୁରେ ପହଞ୍ଚିବାକୁ ପ୍ରାଣପଣେ ଚେଷ୍ଟା କରୁଛି। ସେଥିପାଇଁ ଏହି ଘଟଣାରେ ସମ୍ପୃକ୍ତ ଛୋଟରୁ ଛୋଟ ପ୍ରମାଣକୁ ମଧ୍ୟ ଗୁରୁତର ସହ ବିଚାର କରୁଛି ପୋଲିସ।
ଏହି ଘଟଣାରେ ସମ୍ପୃକ୍ତ ଦୟାଲ ବୃଦ୍ଧାଶ୍ରମ ରାସ୍ତାରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ। ଯଦି କୌଣସି ଦୋକାନ କିମ୍ବା କାହା ଘର ସିସିଟିଭି ଫୁଟେଜରେ ମାନସଙ୍କ ଚିତ୍ର କଏଦ ହୋଇ ଯାଇଥିବ, ସେଥିପ୍ରତି ଅନୁସନ୍ଧାନ କରୁଛି ପୋଲିସ। ସେପଟେ ମାନସଙ୍କୁ କିଡନାପ କରିଥିବା ଦେଖିଥିବା ନେଇ ମିଳି ଯାଇଛନ୍ତି ପ୍ରତ୍ୟକ୍ଷଦର୍ଶୀ। ମାନସଙ୍କୁ ସମ୍ପୂର୍ଣ୍ଣା ଟିଭି ମାଲିକାଣୀ ଶର୍ମିଷ୍ଠା ରାଉତ କୁଆଡ଼େ ଚାପୁଡ଼ା ମାରିଥିବା ଦେଖିଥିଲେ 'ସ୍ବାଧୀକାର ନ୍ୟୁଜ୍' ପୋର୍ଟାଲର ପ୍ରତିନିଧି। ଗତ ଫେବ୍ରୁଆରୀ ୬ ତାରିଖ ଦିନ ପଳାଶପୁର ଗାଁରେ ବାହାଘର ସୁଟିଂ କରିବାକୁ ଆସିଥିଲେ ମୃତ କ୍ୟାମେରାମ୍ୟାନ୍ ମାନସ।
ସମ୍ପୂର୍ଣ୍ଣା ଟିଭି ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ସମେତ ୪ଜଣ ଏକ ପ୍ରେସ ଗାଡ଼ିରେ ପଳାଶପୁରରେ ପହଞ୍ଚିଥିଲେ। ସ୍ବାଧୀକାର ପ୍ରତିନିଧିଙ୍କୁ ପଚାରିଥିଲେ ପଳାଶପୁର ଗାଁ କେଉଁଠି ଆଉ ବାହାଘର କେଉଁଠି ହେଉଛି। 'ସ୍ବାଧୀକାର ନ୍ୟୁଜ୍'ର ପ୍ରତିନିଧି ଶରତ ଚନ୍ଦ୍ର ପଣ୍ଡା ସେହି ଗାଁକୁ ବାଟ ବତାଇ ଦେଇଥିଲେ। ସେହି ବାହାଘରରେ ମାନସଙ୍କ ସହିତ ଏକ ୱେବ ପୋର୍ଟାଲ 'କାବିଲ୍' ପ୍ରତିନିଧି ଦେବାଶିଷ ଜେନା ମଧ୍ୟ ବାହାଘର ସୁଟିଂ କରୁଥିଲେ। ପରଦିନ ସକାଳେ ଫେରିବା ବାଟରେ ପଳାଶପୁର ନିକଟରେ ଶର୍ମିଷ୍ଠାଙ୍କ ସହିତ ଅନ୍ୟ ୪ଜଣ ମାନସଙ୍କୁ ଉଠାଇ ଆଣିଥିଲେ। ପରେ ଭୁବନେଶ୍ୱରରେ ହତ୍ୟା କରି ନୟାଗଡରେ ପୋତିଥିଲେ।
ପୋଲିସ୍ ଏ ଘଟଣାରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାଙ୍କ ସମେତ ଜଣେ ମହିଳା ଏବଂ ଜଣେ ଯୁବକ ଫେରାର ଅଛନ୍ତି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ସ୍କ୍ବାଡ୍ ଗଠନ କରି କମିଶନରେଟ୍ ପୋଲିସ ସହାୟତାରେ ବିଭିନ୍ନ ଜାଗାରେ ଚଢ଼ାଉ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ପାରିନାହିଁ। ଏ ଘଟଣାରେ ନିତି ନୂଆ ନୂଆ ରହସ୍ୟର ଉନ୍ମୋଚନ ହେଉଥିବାରୁ ଆସନ୍ତାକାଲି ଆଉ କିଛି ତାଜା ତଥ୍ୟ ମିଳିବାର ଆଶା ରହିଛି।