ବିଷକନ୍ୟା ! ଜଗତସିଂହପୁରର ଧୋକାଦିଆ ପ୍ରେମିକା
Advertisement

ବିଷକନ୍ୟା ! ଜଗତସିଂହପୁରର ଧୋକାଦିଆ ପ୍ରେମିକା

ପରକୀୟା ପ୍ରୀତିରୁ ଜୀବନ ଗଲା ।  ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଜଗତସିଂହପୁର ବାଲିକୁଦାରୁ ମିଳିଲା ପ୍ରେମିକର ଅର୍ଦ୍ଧଦଗ୍ଧ ମୃତଦେହ । 

ବିଷକନ୍ୟା ! ଜଗତସିଂହପୁରର ଧୋକାଦିଆ ପ୍ରେମିକା

ଜଗତସିଂହପୁର: ରକତେ ଲେଖିଛି ନାଁ । ପୁଣି ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । କିଛିଦିନ ତଳେ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା ମନରୁ ନ ଲିଭୁଣୁ ସେହି ଜିଲ୍ଲାରେ ଘଟିଛି ସମାନ ଏକ ଘଟଣା । ହେଲେ ଏଥର ହତ୍ୟାକାଣ୍ଡର ଶିକାର ପ୍ରେମିକା ନୁହେଁ, ପ୍ରେମିକ । ହତ୍ୟାକାଣ୍ଡର ତମାମ ପ୍ଲଟ୍ ଜଣେ ଅଜଣା ନେପଥ୍ୟ ନାୟିକାଙ୍କ ଚାରିଆଡ଼େ ଘୂରି ବୁଲୁଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସକୁ ମିଳିନି କିଛି ଠୋସ୍ ପ୍ରମାଣ । ପ୍ରେମିକଙ୍କ ଘର ନୟାଗଡ଼ ଜିଲ୍ଲାରେ । ହେଲେ ସେ ନୟାଗଡ଼ରୁ ଜଗତସିଂହପୁରକୁ ଗଲେ କେମିତି, ତାହା ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପୁଣି ଅହମ୍ମଦାବାଦରେ ଚାକିରୀ କରୁଥିବା ସେହି ଯୁବକଙ୍କର  ମଧୁ ନାମକ ଯୁବତୀ ସହ କେମିତି ହେଲା ଲିଙ୍କ୍ ? କାହିଁକି ମଧୁ ସହ ସେ ଉଠାଇଥିବା ସମସ୍ତ ଫଟୋରେ ତାଙ୍କ ମୁହଁ ଉପରେ ପଡ଼ିଥିଲା ରେଡ୍ କ୍ରସ୍ । ମାନେ ନାଲି ଛକି । ତାଙ୍କୁ ରାସ୍ତାରୁ ସାଫ୍ କରିବାକୁ ପ୍ରସ୍ତୁତ ହୋଇଥିଲା କି ମର୍ଡର ପ୍ଲଟ୍ ? କିଏ ଥିଲା ସେ ନେପଥ୍ୟ ନାୟିକା ? ଆଉ ମଧୁଛନ୍ଦାର ବିଷ କ'ଣ ସତରେ କୃଷ୍ଣଚନ୍ଦ୍ରଙ୍କୁ ଶୁଆଇ ଦେଇଥିଲା ମୃତ୍ୟୁର ନିଦ ? ସେହି ନେପଥ୍ୟର ମଧୁଛନ୍ଦାଙ୍କ ଯୋଗୁ  ଉଜୁଡ଼ି ଯାଇଛି ଗୋଟିଏ ପରିବାର । ପରକୀୟା ପ୍ରୀତି ଯୋଗୁ ଏବେ ଘରର ମୁରବୀକୁ ହରାଇ ରାହା ଖୋଜୁଛି ୩ ବର୍ଷର କୁନିଝିଅ । ଆଉ ପତ୍ନୀର ଲୁହରେ ଭିଜୁଛି ଅନିଶ୍ଚିତ ଭବିଷ୍ୟତ ।

ଘଟଣା ଘଟିଛି ଜଗତସଂହପୁର ଜିଲ୍ଲା ବାଲିକୁଦା ଥାନା ଦାଆ ଗାଁ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲ ଛାତ ଉପରୁ ମିଳିଛି ଅଧାଜଳା ବ୍ୟକ୍ତିଙ୍କ ଶରୀର । ନିଜକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବି ମୃତ୍ୟୁ ଆଗରେ ହାର ମାନିଥିଲେ ସିଏ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ ଡାକ୍ତର । ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲା ବାଲିକୁଦା ଥାନା ପୋଲିସ । ସରଜମିନ ତଦନ୍ତ କରିବାକୁ ବିଦ୍ୟାଳୟ ଛାତକୁ ମଧ୍ୟ ଯାଇଥିଲା । ଯେଉଁଠାରୁ ମିଳିଥିଲା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ।
ତେବେ କେମିତି ଘଟିଥିଲା ଏ ଅଘଟଣ ? ଚାଲନ୍ତୁ ଜାଣିବା । ଗତ ଅକ୍ଟୋବର ୫ ତାରିଖ ଶନିବାର ବିଳମ୍ବିତ ରାତିରେ ଗ୍ରାମବାସୀମାନେ  ନିକଟସ୍ଥ ମନ୍ଦିରରେ ପୂଜା କରୁଥିଲେ । ଆଉ ସେତିକିବେଳେ ଶୁଭିଥିଲା ବଞ୍ଚାଅ, ବଞ୍ଚାଅ । ବୋଲି କାହାର ଆର୍ତ୍ତ ଚିତ୍କାର । ପାଟି ଶୁଣି  ଗ୍ରାମବାସୀମାନେ ସ୍କୁଲ ନିକଟରେ ପହଞ୍ଚି ଦେଖନ୍ତି ତ ଜଣେ ବ୍ୟକ୍ତି ସ୍କୁଲ ଛାତ ଉପରେ ଜିଅନ୍ତା ଜଳି ଯାଉଛି । ଗ୍ରାମବାସୀମାନେ ତୁରନ୍ତ ତାଙ୍କ ଦେହରୁ ନିଆଁ ଲିଭାଇଥିଲେ । ଏହାପରେ  ଆମ୍ବୁଲାନ୍ସ ଡକାଇ ସଂପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ବୋଧହୁଏ ତାଙ୍କର ଆୟୁ ସରି ସରି ଆସୁଥିଲା । ବାଟରେ ସେହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଏହାରି ମଧ୍ୟରେ ଗ୍ରାମବାସୀମାନେ  ବାଲିକୁଦା ପୋଲିସକୁ ଖବର ଦେଇଥିଲେ ।  ହସ୍ପିଟାଲ ଯିବା ବାଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିଚୟ ପଚାରିବାରୁ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି କହିଥିଲେ । ହେଲେ ତାଙ୍କ ନାଁ ପଚାରିବା ବେଳକୁ ସେ କିଛି କହି ପାରି ନ ଥିଲେ । ନାଁ କହିବା ପୂର୍ବରୁ ତାଙ୍କ ପାଟି ବନ୍ଦ ହୋଇ ଯାଇଥିଲା । ଆଉ ଦେହରୁ ଉଡ଼ି ଯାଇଥିଲା ପ୍ରାଣବାୟୁ ।
ତେବେ ପୋଲିସ ଏତିକି ତଥ୍ୟ ଆଧାରରେ ଆରମ୍ଭ କରିଥିଲା ତଦନ୍ତ । ଆଉ ତଦନ୍ତରୁ ମିଳିଲା ଲଭ୍, ସେକ୍ସ ଓ ଧୋକାର ଖିଅ । ଘଟଣାର ପ୍ରେକ୍ଷାପଟ୍ଟକୁ ଆସିଲେ ଜଣେ ନାରୀ । ସିଏ ପୁଣି ବିବାହିତା । ମୃତକଙ୍କ ପରିଚୟ ବି ମିଳିଲା ପୋଲିସକୁ । ମିଳିଲା ବି ପରିବାର ସଦସ୍ୟଙ୍କ ଠିକଣା । ହେଲେ ପରିବାର ସଦସ୍ୟ ଯାହା କହିଲେ, ତାହା ଥିଲା ବାସ୍ତବିକ ତାଜୁବ କଲାଭଳି ।
ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଧା ନୁହେଁ, ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା କାଞ୍ଚନପୁର କୋକରାଇ ଅଞ୍ଚଳର ବାସିନ୍ଦା । ନାଁ ତାଙ୍କର କୃଷ୍ଣଚନ୍ଦ୍ର ଚମ୍ପତିରାୟ । ତେବେ ପଚାରିବାରୁ ସେ ନୟାଗଡ଼ ପରିବର୍ତ୍ତେ କାହିଁକି ଖୋର୍ଦ୍ଧା ବୋଲି କହିଥିଲେ ତାହା ଏକ ପ୍ରଶ୍ନବାଚୀ । ତାଙ୍କ ପରିବାର ଲୋକ ଖବର ପାଇଁ ଆସି ଜଗତସିଂହପୁର ଥାନାରେ ମୃତଦେହ ଚିହ୍ନଟ କରିଥିଲେ । ଗତ ୫ ବର୍ଷ ତଳେ ବିବାହ କରିଥିଲେ କୃଷ୍ଣଚନ୍ଦ୍ର । ତାଙ୍କର ଏକ ୩ ବର୍ଷର ଝିଅ ମଧ୍ୟ ଅଛି । ତେବେ କୃଷ୍ଣଚନ୍ଦ୍ର ଓଡ଼ିଶାରେ ରହୁ ନ ଥିଲେ । ସେ ଅହମ୍ମଦାବାଦରେ ଏକ ସପିଂ ମଲରେ କାମ କରୁଥିଲେ । ତେବେ  ଗତ ପ୍ରାୟ ୧୦ ଦିନ ତଳେ ବାପାଙ୍କ ପିଣ୍ଡ ଦେବାପାଇଁ ଗାଁ'କୁ ଆସିଥିଲେ । ପିଣ୍ଡଦାନ ସରିବା ପରେ ଅହମ୍ମଦାବାଦ ଫେରିଯାଉଛି କହି ଘରୁ ବାହାରି ଥିଲେ । ହେଲେ ସେ ଅହମ୍ମଦାବାଦ ନ ଯାଇ ଜଗତସିଂହପୁର  କାହିଁକି ଯାଇଥିଲେ ? ଯଦି ବା ଯାଇଥିଲେ, ସେହି ସ୍କୁଲର ଛାତ ଉପରକୁ କିପରି ପହଞ୍ଚିଲେ ? ଛାତ ଉପରେ ତାଙ୍କ ଦେହରେ କେମିତି ଲାଗିଲା ନିଆଁ ? ସେ କ'ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ ? ନା ତାଙ୍କୁ କେହି ହତ୍ୟା କରିବାକୁ ଦେହରେ ଲଗାଇ ଦେଇଥିଲା ନିଆଁ ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ  ପୋଲିସଠାରୁ ଉତ୍ତର ଖୋଜୁଛି ।

ଘରୁ ଅହମ୍ମଦାବାଦସ୍ଥିତ ନିଜ କର୍ମସ୍ଥଳୀକୁ ଯାଉଛି ବୋଲି କହି ବାହାରି ଯାଇଥିଲେ । ହେଲେ ନା ସେ ଅହମ୍ମଦାବାଦ ଗଲେ, ନା ଜୀବନ୍ତ ଅବସ୍ଥାରେ ଫେରିଲେ । ତାଙ୍କ ବଦଳରେ ଫେରିଲା ତାଙ୍କର ମୃତଦେହ । ଏହାକୁ ନେଇ ତାଙ୍କ ପତ୍ନୀଙ୍କ ଅଭିଯୋଗ ଘଟଣାର ତଦନ୍ତକୁ ଏକ ନୂଆ ମୋଡ଼ ଦେଇଥିଲା । ପତି କୃଷ୍ଣଚନ୍ଦ୍ର କୁଆଡ଼େ ପଡ଼ିଥିଲେ ପ୍ରେମରେ । ନିଜର ଜଣେ ବାଲ୍ୟବନ୍ଧୁ କହୁଥିବା ସେ ଅଜଣା ଯୁବତୀଙ୍କ ପାଖକୁ ଗତ କିଛିଦିନ ହେବ, କରୁଥିଲେ ଘନ ଘନ କଲ୍ । ଆଉ ତାଙ୍କ ମୋବାଇଲରେ ସାଇତି ରଖିଥିଲେ ଏମିତି କିଛି ଫଟୋ, ଯାହା ଏ ରହସ୍ୟମୟ ଘଟଣା ଉପରୁ ପରଦା ଉଠାଇବାରେ ପୋଲିସକୁ ହେବ ଯଥେଷ୍ଟ ସହାୟକ । ତେବେ ସତରେ କ'ଣ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପଛରେ ରହିଛି ସେହି ରହସ୍ୟମୟୀ ମଧୁଛନ୍ଦାଙ୍କ ହାତ ?

କୃଷ୍ଣଚନ୍ଦ୍ର  ନିଜ ଉଦ୍ଦେଶ୍ୟ ସମ୍ପର୍କରେ କାହାକୁ କିଛି ନ କହି  ୪ ଦିନ ତଳେ ଘରୁ ବାହାରି ଆସିଥିଲେ । ସମସ୍ତେ ଭାବିଥିଲେ ସେ ଅହମ୍ମଦାବାଦ ଯାଉଛନ୍ତି ବୋଲି । ମାତ୍ର ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ହେଉଛି, କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ଫୋନରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା ।  ପତ୍ନୀ ପଚାରିଥିଲେ କିଏ ସେ ଝିଅ ? ତାଙ୍କ ସହ ତୁମର ସମ୍ପର୍କ କ'ଣ ? ଉତ୍ତରରେ କୃଷ୍ଣଚନ୍ଦ୍ର କହିଥିଲେ, ସେ ତାଙ୍କର ଜଣେ ଭଲ ସାଙ୍ଗ । ତା'ଠାରୁ ଅଧିକ କିଛି ନୁହେଁ । ହେଲେ ପତ୍ନୀଙ୍କ ମନରେ ସୃଷ୍ଟି ହୋଇଥିଲା ସନ୍ଦେହ । ସେ କୃଷ୍ଣଚନ୍ଦ୍ରଙ୍କ ଅଜାଣତରେ ତାଙ୍କ ମୋବାଇଲରୁ ମଧୁ ନାମକ ସେ ଯୁବତୀଙ୍କ ଫୋନ ନମ୍ବର ଟିପି ନେଇଥିଲେ । ଏହାପରେ ତାଙ୍କୁ ଫୋନ କରି କୃଷ୍ଣଚନ୍ଦ୍ରଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ତାଗିଦ କରିଥିଲେ । ତାଙ୍କର ଏକ ୩ ବର୍ଷର ଶିଶୁକନ୍ୟା ଥିବା କଥା ମଧ୍ୟ ତାଙ୍କୁ କହିଥିଲେ ।  ସେହି ମଧୁ ନାମକ ଯୁବତୀ ହିଁ ତାଙ୍କ ସ୍ୱାମୀଙ୍କୁ ଡକାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ । ପୋଲିସକୁ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମଧୁ ନାମକ ଉକ୍ତ ଯୁବତୀଙ୍କ ସହ ତାଙ୍କ ସ୍ୱାମୀର ଯେଉଁ ଫଟୋସବୁ ଦେଇଛନ୍ତି, ସେଥିରେ କୃଷ୍ଣଚନ୍ଦ୍ର ଉକ୍ତ ଯୁବତୀଙ୍କୁ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁସବୁ ଫଟୋ ମିଳିଛି, ସେସବୁ ତମାମ ଫଟୋରେ କୃଷ୍ଣଚନ୍ଦ୍ରଙ୍କ ଫଟୋ ଉପରେ ନାଲିକାଳିରେ ଛକି ମରା ହୋଇଛି । ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ପୋଲିସ । ତେବେ ତାଙ୍କୁ ଯେ ହତ୍ୟା କରାଯାଇଛି, ଏକଥା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । କାରଣ ନାଲି ଛକି ପକାଇ ଅପରାଧୀ ହୁଏତ ତାଙ୍କୁ ରାସ୍ତାରୁ ସାଫ୍ କରିଦେବାର ସଙ୍କେତ ଦେଇଛି । ତେବେ ଏ ଛକି କିଏ ମାରିଲା ଓ କାହିଁକି ମାରିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ମଧୁ ନାମକ ସମ୍ପକ୍ତ ଯୁବତୀ ହିଁ ତାଙ୍କୁ ଡକାଇ ହତ୍ୟା କରିଥିବା  ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ବାଲିକୁଦା ପୋଲିସ ଓ ଜଗତସିଂହପୁର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସମ୍ପୃକ୍ତ ମଧୁ ନାମକ ଯୁବତୀଙ୍କ ମୋବାଇଲ ନମ୍ବର ଆଧାରରେ ତାଙ୍କୁ ଫୋନ୍ କରି ତାଙ୍କ ଠିକଣା ପାଇଥିଲା ପୋଲିସ । ଆଉ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କୁ ଯୋଗାଯୋଗ ମଧ୍ୟ କରିଥିଲା । ହେଲେ ଏଥିରେ ତାଙ୍କର ସମ୍ପୃକ୍ତି ନ ଥିବା ସେ କହିଥିବା ବେଳେ, ପୋଲିସ ତାଙ୍କ ବାପାଙ୍କୁ ବାଲିକୁଦା ଥାନାକୁ ଆଣି ପଚରା ଉଚରା କରୁଛି । ବର୍ତ୍ତମାନ ମଧ୍ୟ ପୋଲିସ ତାଙ୍କୁ କଷ୍ଟୋଡିରେ ରଖି ଜେରା କରୁଛି । ତେବେ ହୁଏତ ଜେରା ପରେ ପୋଲିସ ତଦନ୍ତରେ ଅଗ୍ରଗତି ସମ୍ପର୍କରେ କିଛି ସୂଚନା ମିଳିବ । ଏବେ ଦଶହରା ପାଇଁ ସ୍କୁଲ ଛୁଟି ଥିବାବେଳେ  କୃଷ୍ଣଚନ୍ଦ୍ର  ସ୍କୁଲ ଛାତ ଉପରକୁ କିପରି ଆସିଲେ ତାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରିକି ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ବାବଦରେ ମଧ୍ୟ ପୋଲିସ ଅନ୍ଧାରରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୋଲିସକୁ ମିଳି ଯାଇଛି ମଧୁ ନାମକ ଉକ୍ତ ସନ୍ଦିଗ୍ଧ ଯୁବତୀଙ୍କ ଫୋନ୍ ନମ୍ବର ।ଏହାରି ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବ ଓ ଖୁବ୍ ଶୀଘ୍ର ଏ ହତ୍ୟା ଘଟଣା ଉପରୁ ପରଦା ହଟିବ  ବୋଲି କହିଛନ୍ତି ବିଭାଗୀୟ ପୋଲିସ ଅଧିକାରୀ ।

ଖୁବ୍ ନିକଟରେ ବିଲୁଆଖାଇ ନଦୀପଠାରୁ ଅଖା ଭିତରୁ ନର୍ସ ନିହାରିକା ପାତ୍ରଙ୍କ ମୃତଦେହ  ମିଳିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା ।  ଏତିକିବେଳେ ପୁଣି ଲଭ, ସେକ୍ସ ଓ ଧୋକାକୁ ନେଇ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆଶା,ପୋଲିସ ଖୁବଶୀଘ୍ର ଏ ମୃତ୍ୟୁ ରହସ୍ୟର ଖୁଲାସା କରିବ ।