ନାଗାର୍ଜୁନ ବେଶ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା
Advertisement
Article Detail0/zeeodisha/odisha793032

ନାଗାର୍ଜୁନ ବେଶ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥି।ଏହି ପବିତ୍ର ଶୁକ୍ଳ ଏକାଦଶୀ ଠାରୁ ହିଁ ପଞ୍ଚୁକ ବ୍ରତର ଅୟମାରମ୍ଭ ହୋଇଛି। ମହାପ୍ରଭୁ ଆଜି ରତ୍ନସିଂହାସନରୁ ଠିଆକିଆ ବେଶ ଅର୍ଥାତ ଲକ୍ଷ୍ମୀନାରାୟଣ ବେଶରେ ମଇଲମ ହୋଇ ଦର୍ଶନ ଦେଉଛନ୍ତି। ଆଉ ଏହି ଚିତ୍ତାକର୍ଷକ ବେଶକୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ ଆଗରେ ହଜାର ହଜାର ଭକ୍ତଙ୍କ

ନାଗାର୍ଜୁନ ବେଶ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ସଞ୍ଜୟ ମହାପାତ୍ର, ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥି।ଏହି ପବିତ୍ର ଶୁକ୍ଳ ଏକାଦଶୀ ଠାରୁ ହିଁ ପଞ୍ଚୁକ ବ୍ରତର ଅୟମାରମ୍ଭ ହୋଇଛି। ମହାପ୍ରଭୁ ଆଜି ରତ୍ନସିଂହାସନରୁ ଠିଆକିଆ ବେଶ ଅର୍ଥାତ ଲକ୍ଷ୍ମୀନାରାୟଣ ବେଶରେ ମଇଲମ ହୋଇ ଦର୍ଶନ ଦେଉଛନ୍ତି। ଆଉ ଏହି ଚିତ୍ତାକର୍ଷକ ବେଶକୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ ଆଗରେ ହଜାର ହଜାର ଭକ୍ତଙ୍କ ଗହଳି ଜମିଛି। ଭୋର ସାଢେ ଚାରିଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନିତି ସମ୍ପନ୍ନ ହେବା ପରେ ଅନ୍ଯାନ୍ଯ ନିତି ବଢିଥିଲା । ଅବକାଶ ନିତି ପରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ସୃଙ୍ଗାର ହୋଇ ରତ୍ନ ସିଂହାସନରେ ଦର୍ଶନ ଦେଇଥିଲେ। ବେଶ ନିତି ନିର୍ଦ୍ଧାରିତ ସମୟରେ ହୋଇଥିଲା ମାତ୍ର କୋଭିଡ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଫଳରେ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଦର୍ଶନ କରିନପାରି ପତିତପାବନଙ୍କୁ ଦର୍ଶନ କରିଥିଲେ । ଏମିତିକି ମହାପ୍ରଭୁଙ୍କ ବେଶ ଦର୍ଶନ କରିନପାରିବା ଯୋଗୁଁ କୋହ ସମ୍ଭାଳି ପାରିନଥିଲେ ଅନେକ ଭକ୍ତ। ସେପଟେ କୋଭିଡ୍ ସଂକ୍ରମଣ ଆଶଙ୍କାରେ ବାହାର ଭକ୍ତମାନେ ନାଗାର୍ଜୁନ ବେଶ ଦିନ ପୁରୀ ନଆସି ଘରେ ରହି ପୁଜା କରିବାକୁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ।

ପଞ୍ଚୁକବ୍ରତ ଲାଗି ବେଶ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରର ଦ୍ୱାର ଫିଟିବା ପୁର୍ବରୁ ହିଁ ବଡଦାଣ୍ଡରେ ଜମିଥିଲା ଭକ୍ତଙ୍କ ଭିଡ। ଅପୂର୍ବ ଭକ୍ତ ସମାବେଶ ଦେଖିବାକୁ ମିଳିଥିଲା। ସବୁଠିଁ ଶୁଭୁଥିଲା ଘଣ୍ଟଘଣ୍ଟା ଶଙ୍ଖ ଓ ହୁଳହୁଳିର ଶବ୍ଦ। ଜୟ ଜଗନ୍ନାଥ ଶବ୍ଦରେ ପ୍ରକମ୍ପିତ ହେଉଥିଲା ବଡଦାଣ୍ଡ ଓ ଶ୍ରୀମନ୍ଦିର ପରିବେଶ। ଭୋର ଚାରିଟା ତିରିଶି ମିନିଟରେ ଦ୍ୱାର ଫିଟି ଥିଲା। ଠିକ୍ ପାଞ୍ଚଟା ପନ୍ଦର ମିନିଟରେ ମଙ୍ଗଳ ଆଳତୀ ସମୟରୁ ମନ୍ଦିର ବାହାରେ ଭକ୍ତଙ୍କ ଗହଳି ଲାଗିଥିଲା। ସମସ୍ତଙ୍କର ଇଚ୍ଛା ଥିଲା ରତ୍ନବେଦୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିବାକୁ। ବହୁ ଦୁରଦୁରାନ୍ତରୁ ଆସିଥିଲେ କାଳେ ଦର୍ଶନ ମିଳିବ। ମାତ୍ର କୋରୋନା ମହାମାରୀ ଯୋଗୁଁ ସେହି ସୁଯୋଗ ନପାଇ ନିରାଶ ହୋଇଛନ୍ତି ଭକ୍ତ। ସମସ୍ତେ ସିଂହଦ୍ଵାର ଆଗ ବ୍ଯାରିକେଡ ଦେଇ ଶୃଙ୍ଖଳିତ ଭାବେ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି। 

ସେପଟେ ମହାପ୍ରଭୁଙ୍କର ଅବକାଶ ନୀତି ବଢିବା ପରେ ଆରମ୍ଭ ହୋଇଥିଲା ବେଶ। ମହାପ୍ରଭୁ ଚିତ୍ତାକର୍ଷକ ଠିଆକିଆ ବେଶ ଅର୍ଥାତ ଲକ୍ଷ୍ମୀ ନାରାୟଣ ବେଶରେ ଶୃଙ୍ଗାର ହୋଇଥିଲେ। ବେଶରେ ମହାପ୍ରଭୁ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଥିଲେ। ମହାପ୍ରଭୁ ଶଙ୍ଖଚକ୍ର ପରିଧାନ କରିଥିବା ବେଳେ ବଡଠାକୁର ହଳମୂଷଳ ପରିଧାନ କରିଥିଲେ। ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣର କିରିଟି ଉପରେ ଶୋଭାମଣ୍ଡନ କରିଥିଲା କିଆ ଖୋସଣି। ସେପଟେ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ ନିଷେଧାଦେଶ ରହିଥିବାରୁ ପତିତପାବନଙ୍କ ଦର୍ଶନ ପାଇଁ କରାଯାଇଥିଲା ଶୃଙ୍ଖଳିତ ବ୍ଯବସ୍ଥା। ସିଂହଦ୍ୱାର ନିକଟରେ ପୁର୍ବରୁ ରହିଥିବା ବେରିକେଡକୁ ଚଉଡା କରାଯାଇଛି। ରାଜ ନହର ଠାରୁ ବେରିକେଡରେ ଯାଇ ଭକ୍ତମାନେ ଦର୍ଶନ କରିଛନ୍ତି। ମହିଳା ଓ ବରିଷ୍ଠ ନାଗରିକଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ଧାଡି ରହିଥିବା ବେଳେ ବରିଷ୍ଠ ନାଗରିକଙ୍କ ଦର୍ଶନ ଉପରେ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି।

ସେପଟେ ନିତିକ୍ରାନ୍ତି ଶୃଙ୍ଖଳିତ ଭାବେ ଚାଲିଛି। ବାହାର ବ୍ୟବସ୍ଥା ପ୍ରଶାସନ କରୁଛି। ସେପଟେ ପଞ୍ଚୁକ ଛଅ ଦିନପାଇଁ ଦୁଇଟି ପର୍ଯ୍ଯାୟ ପୋଲିସ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। ଦ୍ୱାଦଶୀ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବାରୁ ନଭେମ୍ବର ୨୭ତାରିଖରେ ଶ୍ରୀମନ୍ଦିରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବ। ସେବାୟତଙ୍କ ବ୍ଯତିତ ଅନ୍ୟ କୌଣସି ଅନଧିକୃତ ବ୍ଯକ୍ତିଙ୍କୁ ମନ୍ଦିରକୁ ଛଡାଯିବ ନାହିଁ। ମରଚିକୋଟ ଛକ ,ଲବଣୀଖିଆ ଛକ ଓ ଜହ୍ନିଖାଇ ଛକ ଠାରୁ ଶ୍ରୀମନ୍ଦିର ପାଖକୁ ଯିବା ପାଇଁ କେବଳ ପାଦଚଲା ଲୋକଙ୍କୁ ଛଡାଯିବ। ଭକ୍ତଙ୍କ ଗହଳୀ ଯୋଗୁଁ ମହାପ୍ରସାଦ ବ୍ଯବସ୍ଥା ଜଗନ୍ନାଥ ବଲ୍ଲଭରେ କରାଯିବ। କୋଭିଡ୍ ସଂକ୍ରମଣ ଆଶଙ୍କାରେ ବାହାର ଭକ୍ତମାନେ ସେଦିନ ପୁରୀ ନଆସି ଘରେ ପୁଜା କରିବାକୁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ। ସେପଟେ ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପରାମର୍ଶ ଅନୁସାରେ ସୁରକ୍ଷା ବ୍ଯବସ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଆଇଜି।