ବାବୁଙ୍କ ପାଇଁ ବଦନାମ ଶିକ୍ଷା ବିଭାଗ! ବୁଝୁଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ କଥା
Advertisement

ବାବୁଙ୍କ ପାଇଁ ବଦନାମ ଶିକ୍ଷା ବିଭାଗ! ବୁଝୁଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ କଥା

ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷାଅଧିକାରୀ ରସାନନ୍ଦ କରଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡ଼ି ରହିଛି। ସାଥି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଭୟ ଓ ବିଭିନ୍ନ ଆଳ ଦେଖାଇ ଶିକ୍ଷାଅଧିକାରୀ ଲୁଟୁଛନ୍ତି। ଆଉ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଚୁପ କରାଇଦେଉଛନ୍ତି।

ଡିଜାଇନ୍ ଫଟୋ

କନ୍ଧମାଳ: ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଲିଟିଛି ଦୁର୍ନୀତିର ଗନ୍ଥାଘର! ଏଠି କଥା କଥାରେ ଅଧିକାରୀ ମୋଟା ଅଙ୍କର ଟଙ୍କା ମାଗୁଛନ୍ତି। ଆଉ ଟଙ୍କା ଦେଲେ ପ୍ରତି ଘଡ଼ିକେ ପରିବର୍ତ୍ତନ ହେଉଛି ମୁଡ, ଆଉ ତା ସାଙ୍ଗକୁ ସବୁ ନିୟମ। ତେଣୁ ତ ଟଙ୍କା ପାଇଁ ଅଧିକାରୀମାନେ ପ୍ରତି ସମୟରେ ଏଠି ଅଙ୍କ କଷାକଷି କରୁଛନ୍ତି। ଆଉ ଛୋଟରୁ ବଡ଼ ସଭିଏଁ ଟଙ୍କାର ବୋଲକର ସାଜିଛନ୍ତି। ଏଭିଳି କିଛି ଦୃଶ୍ୟ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦେଖିବାକୁ ମିଳୁଛି।

ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷାଅଧିକାରୀ ରସାନନ୍ଦ କରଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡ଼ି ରହିଛି। ସାଥି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଭୟ ଓ ବିଭିନ୍ନ ଆଳ ଦେଖାଇ ଶିକ୍ଷାଅଧିକାରୀ ଲୁଟୁଛନ୍ତି। ଆଉ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଚୁପ କରାଇଦେଉଛନ୍ତି। ଏମିତି କି ସରକାରଙ୍କ ରହିଥିବା ବିଭିନ୍ନ ବ୍ୟବସ୍ଥାର ସୁବିଧା ସୁଯୋଗ ନେବା ପାଇ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ନିକଟରେ ୭୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୃହ ଋଣ ଅଗ୍ରୀମ ନେବା ସମୟରେ ଶିକ୍ଷାଧିକାରୀ ଜଣକ ପିଛା ୩୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ। ଆଉ ଏବେ ଶିକ୍ଷକ ଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ଜଣକ ପିଛା ୨୦ରୁ ୩୦ ହଜାର ଟଙ୍କା ମଗାଯାଉଛି। 

Also Read: କୋରୋନାର ଲମ୍ବଡ଼ିଆଁ: ଏଣିକି ସରକାରୀ ତଥ୍ୟରେ କମିଯିବ ସଂକ୍ରମିତଙ୍କ ସଂଖ୍ୟା

କେବଳ ଶିକ୍ଷକ ନୁହୱ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ଅନଲାଇନ ଯୋଗେ କାଢିବା ନାଁରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ଜଣକ ପିଛା ୩୦୦ରୁ ୫୦୦ ଟଙ୍କା ନେଉଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୟୁ-ଡାଇସ୍ ଆଇଡ଼ ନମ୍ବର, ସାଲାରୀ ସାର୍ଟିଫିକେଟ, ସେବା ପୁସ୍ତକ ଖୋଲା ଗଲେ ଅଥବା ଅପଡେଟ ପାଇଁ ଟଙ୍କା ମଗାଯାଉଛି। GEPF ଏବଂ EPFO ପାଇଁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ଏହା ସହ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୌଣସି ବିଦ୍ୟାଳୟରେ ନିଯୁକ୍ତି କରାନଯାଇ ସେମାନଙ୍କ ଠାରୁ ମାସିକ ବଟି ଆଦାୟ କରାଯାଇ ମାସିକ ଦରମା ପ୍ରଦାନ କରାଯାଉଛି।

ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟର ଦାୟିତ୍ୱବାନ ଅଧିକାରୀମାନଙ୍କୁ ପଚାରିଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିରବ ରହିବା ପାଇଁ ଲାଞ୍ଚ ଯଚାଯାଉଛି। ଏହା ସହ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ତଥ୍ୟ ପ୍ରଦାନ କରାଯାଉନଥିବା ବେଳେ ଲାଞ୍ଚ ନେଇ ନିରବ ରହିବାକୁ ଅଧିକାରୀ ମାନେ କହୁଛନ୍ତି। ତେବେ ଏନେଇ ଆମ ପ୍ରତିନିଧି ପ୍ରିୟବ୍ରତ ସାହୁ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷାଅଧିକାରୀ ରସାନନ୍ଦ କରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ରଖିନଥିଲେ। କେବଳ କହିଥିଲେ ଯେ, ସବୁଠି ଏଭଳି ଚାଲିଛି, ଆବଶ୍ୟକ ଅନୁଯାୟୀ ତୁମ କଥା ମଧ୍ୟ ବୁଝିବା ପାଇଁ ମୁଁ କହିଦେଇଛି। ଆଉ ଏଦିଗରେ ଆଗକୁ ବଢ଼ନ୍ତୁ ନାହିଁ ବୋଲି ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ତେଣୁ ଏଥିରୁ ଅନୁମାନ କରିପାରୁଛି ଯେ ଦୁର୍ନୀତିରେ ଲିପ୍ତ ରହି ସମ୍ପୂର୍ଣ୍ଣ ଦୁର୍ନୀତିକୁ ଶିକ୍ଷା ବିଭାଗ କେତେ ଘଣ୍ଟ ଘୋଡ଼ାଇ ଚାଲିଛି?