ସରକାରୀ ଅର୍ଥକୁ ସ୍ବାହା! PMGSYର ପିଚୁ ଗିଳିଦେଲେ ଠିକାଦାର, ଯନ୍ତ୍ରୀ
Advertisement

ସରକାରୀ ଅର୍ଥକୁ ସ୍ବାହା! PMGSYର ପିଚୁ ଗିଳିଦେଲେ ଠିକାଦାର, ଯନ୍ତ୍ରୀ

ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଅଡବାର ଡୁମିଗୁଡା ଠାରୁ ଲଣ୍ଡାଗୁଡା ଗ୍ରାମକୁ ସଂଯୋଗ ପାଇଁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ନୀତିର ସଙ୍ଗୀନ ଅଭିଯୋଗ କରିଛନ୍ତି।

ଡିଜାଇନ୍ ଫଟୋ

ଗଜପତି: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ନିର୍ମାଣରେ ଚାଲିଛି କୁଢ କୁଢ ଦୁର୍ନୀତି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ରାସ୍ତା ନିର୍ମାଣ ନାମରେ ସରକାରୀ ଅର୍ଥକୁ ସ୍ବାହା କରିଦେଉଛନ୍ତି। ନିର୍ମାଣର କେଇ ମାସ ନ ପୁରୁଣୁ ପିଚୁ ଉଠି ରାସ୍ତା ଖାଲ ଖମା ହେଇପଡିଥିବା ବେଳେ ପ୍ରତିଦିନ ଦୁର୍ଘଟଣା ବଢିଚାଲିଛି। ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଅଡବାର ଡୁମିଗୁଡା ଠାରୁ ଲଣ୍ଡାଗୁଡା ଗ୍ରାମକୁ ସଂଯୋଗ ପାଇଁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ନୀତିର ସଙ୍ଗୀନ ଅଭିଯୋଗ କରିଛନ୍ତି। ରାସ୍ତା ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ଜନଆନ୍ଦୋଳନ ସହ ରାଜରାସ୍ତା ଅବରୋଧ ପାଇଁ ଜନସାଧାରଣ ଚେତାବନୀ ଦେଉଥିବା ବେଳେ ରାସ୍ତା କାମରେ ଅନିୟମିତାକୁ ସ୍ବୀକାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କରିଛନ୍ତି।

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଡୁମିଗୁଡା ପିଡବ୍ଲଡି ରାସ୍ତା ଠାରୁ ଡେଙ୍ଗାସଖାଲ ପଞ୍ଚାୟତର ଲଣ୍ଡାଗୁଡା ଗ୍ରାମକୁ ସଂଯୋଗ କରୁଥିବା  ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ହୋଇଥିବା ପକ୍କା ରାସ୍ତାର ଅବସ୍ଥା ନ କହିବା ଭଲ। ପାହାଡିଆ ଦୁର୍ଗମାଞ୍ଚଳରେ ଅଙ୍କା ବଙ୍କା ୧୩ କି.ମି ଲମ୍ବର ଏହି ରାସ୍ତା ନିର୍ମାଣ ପାଇଁ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ମୋଟ  ୫ କୋଟି ୮୩ ଲକ୍ଷ ୫୬ ହଜାର ୭୭୩ ଟଙ୍କା ବ୍ୟୟ  ବରାଦ ହୋଇଥିବା ବେଳେ କାର୍ଯ୍ୟଆରମ୍ଭ ତାରିଖ ୦୮/୦୯/୨୦୧୭ ଏବଂ କାର୍ଯ୍ୟ ଶେଷ ତାରିଖ ୦୭/୦୯/୨୦୧୮ରେ ହୋଇଥିବା ଫଳକରେ ଦର୍ଶାଯାଇଛି। ଏହା ସହ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତାରିଖ  ୦୮/୦୯/୨୦୧୮ ରୁ  ତାରିଖ ୦୭/୦୯/୨୦୨୩  ମସିହା ପର୍ଯ୍ୟନ୍ତ ୫ ବର୍ଷ ପାଇଁ ୫୭ ଲକ୍ଷ ୭ ହଜାର ଟଙ୍କା ବ୍ୟୟ ଆକଳନ କରାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି। 

Also Read: ସରକାରଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ମୃତକଙ୍କ ଭତ୍ତା ଟଙ୍କା ଲୁଟୁଛନ୍ତି ସରପଞ୍ଚ ଓ ଅଧିକାରୀ

ରାସ୍ତାଟି ୨୦୧୯ ମସିହା ସୁଦ୍ଧା ସମାପ୍ତ ହୋଇନପାରିନଥିଲା। ପ୍ରାୟ ଛଅ ମାସ ତଳେ କାର୍ଯ୍ୟ ଶେଷ ହୋଇଥିଲା ହେଲେ ନିର୍ମାଣର ଛଅ ମାସ ନପୁରୁଣୁ ଅବସ୍ଥା ଶୋଚନୀୟ ହୋଇଯାଇଛି। ନିମ୍ନମାନର କାମ ଯୋଗୁଁ ରାସ୍ତାର ଅଧିକାଂଶ ସ୍ଥାନରେ ପେଚ ପକାଯାଇଥିଲେ ମଧ୍ୟ ପିଚୁ ଉଠିଗଲାଣି, କେଉଁଠି ଗୋଡ଼ ମାରିଦେଲେ ପିଚୁ ଉଠି ଯାଉଛି ତ ଆଉ କେଉଁଠି ହାତରେ ଆଂଜୁଳି କରି ଟେକିଦେଲେ ପିଚୁ ଉଠିଯାଉଛି। ଆଉ ଖାଲଖମାରେ ପରିପୂର୍ଣ୍ଣ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଚାଲିଛି। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମିଲିଭଗଦରେ ଏଭଳି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ହଡ଼ପ କରିଛନ୍ତି ବୋଲି ଅଭିଯୋଗ କରିବା ସହ ରାସ୍ତାର ପୁନଃ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

fallback

ଅଡବା ପଞ୍ଚାୟତ ସମେତ ଡେଙ୍ଗାସଖାଲ, ଅନ୍ତରବା, ବିରିକୋଟ ପଞ୍ଚାୟତର ନାରାୟଣପୁର, ହାବୁକାପଙ୍କା, ମହାଗୁଡା, ଡାକାସାହି, ରାଇଜୁକା, ଗ୍ରାମ ଭଳି ଆଖପାଖ ପ୍ରାୟ ୪୦ ଖଣ୍ଡ ଗ୍ରାମବାସୀ ଦୈନନ୍ଦିନ ଯାତୟାତ ପାଇଁ ନିର୍ଭର କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଦିନପ୍ରିତିଦିନ ଜନଅସନ୍ତୋଷ ବୃ୍ଦ୍ଧି ପାଇବାରେ ଲାଗିଛି। ତୁରନ୍ତ ଏହି ରାସ୍ତାର ପୁନଃ ନିର୍ମାଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ରାସ୍ତା କାମରେ ଅନିୟମିତା ହୋଇଥିବା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସ୍ବୀକାର କରିଛନ୍ତି। ରାସ୍ତାରେ ପିଚୁ କାମ ଚାଲିଥିବା ବେଳେ ବର୍ଷା ଯୋଗୁଁ ନିମ୍ନମାନର କାମ ହୋଇଥିଲା, ଖୁବଶୀଘ୍ର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି  ।

Also Read: T20 World Cup 2021: ଦେଶବାସୀଙ୍କୁ Team Indiaର ଦୀପାବଳି ଉପହାର, ୬୬ ରନରେ ଆଫଗାନକୁ କଲା ପରାସ୍ତ

ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳରେ ସରକାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ପାଣି ଭଳି ଖର୍ଚ୍ଚ କରିଆସୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନବୃତ୍ତିରୁ ସରକାର କା ମାଲ ଦରିଆ ମେ ଡାଲ ଭଳି ଉନ୍ନୟନ ମୂଳକ କାମ ଚାଲିଛି। ତେବେ ରାସ୍ତା କାମରେ ଦୁନ୍ନୀତି ହେଉଥିବା ଜଳ ଜଳ ଦୃଶ୍ୟମାନ ହେଉଥିବା ବେଳେ ପୁନଃ ମରାମତି କେବେ ହେଉଛି ଏବଂ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା।