)
ପ୍ରେମାନନ୍ଦ ପୂଜାରୀ, ଗଜପତି: ଶେଷରେ ନିଲମ୍ବିତ ହେଲେ ଦୁର୍ନୀତିଖୋର ମୋହନା ବିଡ଼ିଓ ବଂଶୀଧର ଖୋସଲା। ଚଞ୍ଚକତା କରି ଜବତ ହୋଇଥିବା କାଜୁକୁ କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୁପଯୋଗ ଅଭିଯୋଗରେ ତାଙ୍କୁ ପଞ୍ଚାୟତିରାଜ ବିଭାଗ ନିଲମ୍ବନ କରିଛି। ପତ୍ର ସଂଖ୍ୟା ୪୩୯୭/୩.୩.୨୦୨୧ ରେ ବିଭାଗ ନିଲମ୍ବନ ଆଦେଶ ଦେଇଛି।
କାଜୁ (Cashew) ବିକ୍ରି ମାମଲାରେ ମୋଟ ୬ ଜଣଙ୍କ ନାମରେ ଅଡବା ଥାନାରେ ମାମଲା ରୁଜୁ ହୋଇଛି।ଏସଆଇ ଲୋକ ଜଗଦଲାଙ୍କୁ ଗଜପତି ଏସପି ତପନ ପଟ୍ଟନାୟକ ପୂର୍ବରୁ ନିଲମ୍ବନ କରିଛନ୍ତି। ଆଉ ସେତେବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମୋହନା ବିଡ଼ିଓ (Mohana BDO) ବଂଶୀଧର ଖୋସଲାଙ୍କୁ ଏବେ ପଞ୍ଚାୟତିରାଜ ବିଭାଗ (Panchayatiraj Dept) ନିଲମ୍ବନ କରିଛି।
ଗଜପତି ଅଡ଼ବା ଥାନା (Adaba PS) ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ 44 କେଜି ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ (Ganja) ସହ ଟ୍ରକରେ ଥିବା ୧୭ ଟନ ୮୧୪ କେଜି କାଜୁ ମଧ୍ୟ ଜବତ କରାଯାଇଥିଲା। ଏହା ସହିତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଗିରଫ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କାଜୁ ଓ ଗଞ୍ଜେଇକୁ ଓଜନ ହୋଇଥିଲା। ତେବେ ରିପୋର୍ଟରେ ଅନେକ ଭୁଲ ତଥ୍ୟ ଦିଆଯାଇଥିଲା।
ଚୋପା ଛଡା କାଜୁ ଜବତ (Cashew Seized) ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସଲା ଉଲ୍ଲେଖ କରିଥିଲେ। ଆଉ ତାହାକୁ ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ଏହି ବିକ୍ରି ବେଳେ ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ ପତି ଉପସ୍ଥିତ ଥିଲେ ବୋଲି କୋର୍ଟକୁ ତଦନ୍ତକାରୀ ଅଧିକାରୀ ତଥା ଅଡବା ଥାନା ଏସଆଇ ଆଲୋକ ଜଗଦଲା ତଥ୍ୟ ପ୍ରଦାନ କରିଥିଲେ।
ସନ୍ଦେହ ହେବାରୁ ଏହି ତଥ୍ୟକୁ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପି (Gajapati SP) ଙ୍କୁ କୋର୍ଟ (Gajapati Court) ନିର୍ଦ୍ଧେଶ ଦେଇଥିଲେ। ଏସପି ତପନ କୁମାର ପଟ୍ଟନାୟକ, ଅତିରିକ୍ତ ଏସପି ସିତାରାମ ସତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମନାକୁ ଆସିଥିଲା। ୧୭ ଟନ ୮୧୪ କେଜି ଚୋପା ଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା।
ଜବତ ହୋଇଥିବା କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କା ହେବା କଥା। କିନ୍ତୁ ଚଂଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି। ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଅଡବା ଥାନା ଅଧିକାରୀ ତପନ ପତି, ବିଡ଼ିଓ ବଂଶୀଧର ଖୋସଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସଆଇ ଆଲୋକ ରଞ୍ଜନ ଜଗଦଲା, ଆନ୍ଧ୍ର ପ୍ରଦେଶ ପଲାସାର କାଜୁ ବ୍ୟବସାୟୀ କେ. ରବି କୁମାର ଓ ପଲାସାର ଟ୍ରକ ମାଲିକ ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ SDPO ଦିଲିପ କୁମାର ନାୟକ ଏତଲା ଦେଇଥିଲେ।