Satabhaya High School: ଦୁର୍ବଳ ହେଲାଣି ବିଦ୍ୟାଳୟର ମେରୁଦଣ୍ଡ, ସ୍ଥିତି ସୁଧାରିବ କିଏ
Advertisement
Article Detail0/zeeodisha/odisha1414885

Satabhaya High School: ଦୁର୍ବଳ ହେଲାଣି ବିଦ୍ୟାଳୟର ମେରୁଦଣ୍ଡ, ସ୍ଥିତି ସୁଧାରିବ କିଏ

କିନ୍ତୁ ବିଦ୍ୟାଳୟର ମେରୁଦଣ୍ଡ କୁହାଯାଉଥିବା ଶିକ୍ଷକମାନଙ୍କୁ ଅଣଦେଖା କରିଦେଇଥିଲେ ସରକାର। ଦାବି ଉପରେ ଦାବି ହେଉଥିଲେ ମଧ୍ୟ ସରକାର ଅଣଦେଖା କରିଚାଲିଛନ୍ତି। 

ପ୍ରତିକାତ୍ମକ ଫଟୋ

Satabhaya High School: ପଟ୍ଟାମୁଣ୍ଡାଇ: ସାତଭାୟାବାସୀଙ୍କ ବହୁଦିନର ଦାବି ପରେ ସରକାର ସାତଭାୟାରେ ହାଇସ୍କୁଲ ନିର୍ମାଣ କରିଛନ୍ତି। ସଫଳ ହୋଇଥିଲା ଦାବି। ଚାଳ ଛପର ଘର ପକ୍କା ଘରର ରୂପ ନେଇଥିଲା। ଭିତ୍ତିଭୂମିରେ ଅପର୍ଯ୍ୟାପ୍ତ ପରିବର୍ତ୍ତନ ଆସିଥିଲା। ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମନରେ ଆଶାର କିରଣ ଉଇଁଥିଲା। ଗାଁ ନିକଟ ସ୍କୁଲରେ ପାଠ ପଢିବେ। କିନ୍ତୁ ଧିରେ ଧିରେ ବାସ୍ତବ ରୂପ ନେଉଥିବା ସ୍ୱପ୍ନ ଅଧାରେ ଅଟକିଯାଇଥିଲା। 

କିନ୍ତୁ ବିଦ୍ୟାଳୟର ମେରୁଦଣ୍ଡ କୁହାଯାଉଥିବା ଶିକ୍ଷକମାନଙ୍କୁ ଅଣଦେଖା କରିଦେଇଥିଲେ ସରକାର। ଦାବି ଉପରେ ଦାବି ହେଉଥିଲେ ମଧ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ଅଣଦେଖା କରି ଚାଲିଛନ୍ତି। ୧୦ ବର୍ଷ ଧରି ବିନା ଶିକ୍ଷକରେ ଚାଲିଛି ସାତଭାୟା ହାଇସ୍କୁଲ ।

ଏଭଳି ଅଭାବନୀୟ ଚିତ୍ର ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଗପାଟିଆ ଥଇଥାନ ସ୍ଥଳୀ ରେ ଥିବା ସାତଭାୟା ପଂଚୁବରାହୀ ଅପ୍ ଗ୍ରେଡେଡ୍‌ ସରକାରୀ ହାଇସ୍କୁଲର। ଗ୍ରାମବାସୀଙ୍କ କହିବା ଅନୁଯାୟୀ ସମୁଦ୍ରର କରାଳ ଗ୍ରାସରେ ସତ୍ତା ହରାଇବାକୁଥିବା ସାତଭାୟାରେ ୧୯୭୧ ମସିହାରେ ଏକ ମାଇନର ସ୍କୁଲଟିଏ ସ୍ଥାପନ ହୋଇଥିଲା। ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିବାକୁ ପିଲାମାନଙ୍କୁ ସୁଯୋଗ ମିଳୁଥିଲା। ସପ୍ତମ ଶ୍ରେଣୀ ପରେ କାଁଭାଁ ପିଲା ଯାହା ପରିବାରର ଆର୍ଥିକ ସ୍ଥିତ ସ୍ୱଚ୍ଛଳ ଥିଲା ସେମାନେ ତାଙ୍କ ପିଲାଙ୍କୁ ବାହାରେ ରଖି ପାଠ ପଢାଉଥିଲେ। ନହେଲେ ପାଠପଢା ପୋଥିରେ ସାଧାରଣତଃ ଡୋରି ବନ୍ଧା ହେଉଥିଲା ପିଲାମାନଙ୍କର।

ତେବେ ୨୦୧୨ ଅଗଷ୍ଟରେ ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ସ୍କୁଲଟି ଅପଗ୍ରେଡ଼ କରାଯାଇ ହାଇସ୍କୁଲର ପରିଚୟ ଦିଆଯାଇଥିଲା। ଫଳରେ ୧୦ମ ପର୍ଯ୍ୟନ୍ତ ସାତଭାୟା ପଞ୍ଚାୟତର ପିଲାମାନେ ପାଠ ପଢିବାର ସୁଯୋଗ ଗତ ୮ ବର୍ଷ ହେବ ପାଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସ୍କୁଲରେ ଶିକ୍ଷକ ନିଯୁକ୍ତ କରିନାହାନ୍ତି। ଫଳରେ ମାଇନର ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛନ୍ତି। ଛାତ୍ରଛାତ୍ରୀମାନେ ଉନ୍ନତ ମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। କେବଳ ତାହା ନୁହେଁ ଗାଁର ଉଚ୍ଚ ଶିକ୍ଷିତ ନିଜ ବଡଭାଇ ଭଉଣୀମାନେ କେତେ ବେଳେ ପାଠ ପଢାଉଛନ୍ତି ତ କେତେବେଳେ ଛାତ୍ରଛାତ୍ରୀ ମାନେ ନିଜ ନିଜ ମଧ୍ୟରେ ପାଠ ପଢୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାତଭାୟା ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନ ହେବା ବିଡମ୍ବନାର ବିଷୟ। ଯଦିଓ ପ୍ରଶାସନ ୧୦ମ ପର୍ଯ୍ୟନ୍ତ ପାଠ ପଢିବାର ସୁଯୋଗ ଦେଲେ ଏବଂ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଜଣେ ହେଲେ ହାଇସ୍କୁଲସ୍ତରର ଶିକ୍ଷକକୁ ନିଯୁକ୍ତି ଗତ ୮ ବର୍ଷ ମଧ୍ୟରେ ଦେଇ ନାହାନ୍ତି ଶିକ୍ଷା ବିଭାଗ। ଏହି ସ୍କୁଲଟି ଏବେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କ ଦ୍ୱାରା ଚାଲିଛି। ଏହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ହାଇସ୍କୁଲ ପିଲାଙ୍କୁ ପାଠପଢାଇବା ପାଇଁ ପ୍ରଥମେ ପ୍ରସ୍ତୁତ ହୋଇଥାନ୍ତି ଓ ତାପରେ ହାଇ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠପଢାଇଥାନ୍ତି । ବହୁ ସମୟରେ ଛାତ୍ରଛାତ୍ରୀମାନେ ନିଜେ ନିଜର ପାଠପଢା ସମ୍ବାଳିଥାନ୍ତି କିମ୍ବା ସ୍କୁଲରେ ଭଲ ପାଠପଢୁଥିବା ଛାତ୍ରଛାତ୍ରୀମାନେ ଅନ୍ୟ ସାଙ୍ଗମାନଙ୍କୁ ପାଠପଢିବା ଓ ଡାଉଟ୍ କ୍ଲିୟର ପାଇଁ ସାହାଯ୍ୟ କରିଥାନ୍ତି ।