Odisha News: ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରଶାସନ
Advertisement
Article Detail0/zeeodisha/odisha1653524

Odisha News: ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରଶାସନ

Odisha News: ଗହିରମଥାରେ ସରିଛି ବିରଳ ଅଲିଭି ରିଡେଲ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ।  ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର ଅଧିକ କଇଁଛ ଅଣ୍ଡାଦାନ କରିଥିବା ଜଣାପଡ଼ିଛି । ଯାହା ପ୍ରକୃତି ଓ ପରିବେଶ ପାଇଁ ବେଶ ଶୁଭଙ୍କର ଅଟେ ।

ସୌ(ସୋସିଆଲ ମିଡିଆ)

Odisha News: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ (Gahirmatha Marine sanctuary) ଶେଷ ହୋଇଛି ବିରଳ ଅଲିଭି ରିଡେଲ କଇଁଛଙ୍କ (Olive ridley) ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭି ରିଡେଲ କଇଁଛ ମାନେ ଗହିରମଥାର ବାବୁବାଲି ଓ ନାଶି – ୨ରେ ସମୂହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର ଅଧିକ କଇଁଛ ଅଣ୍ଡାଦାନ କରିଥିବା ଜଣାପଡ଼ିଛି । ଯାହା ପ୍ରକୃତି ଓ ପରିବେଶ ପାଇଁ ବେଶ ଶୁଭଙ୍କର ଅଟେ ।

ଓଡି଼ଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ଅଲିଭି ରିଡେଲ (Olive ridley) କଇଁଛଙ୍କ ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ତେବେ ଗହିରମଥା ସମୁଦ୍ର ଉପକୂଳର ପରିବେଶ ବେଶ ଅନୁକୂଳ ହୋଇଥିବାରୁ କଇଁଛ ମାନଙ୍କର ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ୫ ଲକ୍ଷ ୧୨ ହଜାର ବିରଳ ଅଲିଭି ରିଡେଲ କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୧ ହଜାର ଅଧିକ ଅଟେ । ତେବେ ଏନେଇ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।ଏହି ବିରଳ କଇଁଛ ମାନଙ୍କ ଆଗମନକୁ ନଜରରେ ରଖି ୧୯୯୭ ମସିହାରେ କେନ୍ଦ୍ର ସରକାର ଗହିରମଥାକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିଲେ । ପ୍ରତିବର୍ଷ ନଭେମ୍ବର ୧ରୁ ଆରମ୍ଭ କରି ପ୍ରାୟ ୭ ମାସ ପର୍ଯ୍ୟନ୍ତ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ । ଏହି ସମୟରେ ବଂଶ ବିସ୍ଥାର କରିବା ଲାଗି ହଜାର ହଜାର ସଂଖ୍ୟାରେ ଅଲିଭି ରିଡେଲ କଇଁଛ ମାନେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପ୍ରଶାନ୍ତ ମହାସାଗରରୁ ସାମୁଦ୍ରିକ ନଟିକାଲ ମାଇଲି ପଥ ଅତିକ୍ରମ କରି ଗହିରମଥା ଉପକୂଳକୁ ଆସିଥାଆନ୍ତି ।

ଗହିରମଥାର ବାବୁବାଲି ଓ ନାଶି – ୨ରେ କଇଁଛ ମାନେ ସୂର୍ଯ୍ୟଅସ୍ତ ପରେ ବେଳାଭୂମିରେ ୧.୫ରୁ ୨ ଫୁଟର ଗାତ ଖୋଳି ପ୍ରତ୍ୟେକ କଇଁଛ ୮୦ରୁ ୧୦୦ ଟି ଅଣ୍ଡା ଦେଇଥାନ୍ତି । ପରେ ସୂର୍ଯ୍ୟ ଉଦୟ ପୂର୍ବରୁ କଇଁଛ ମାନେ ସୁମୁଦ୍ର ମଧ୍ୟକୁ ଚାଲି ଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନେ ମଧ୍ଯ ଗଭୀର ସମୁଦ୍ରକୁ ଚାଲି ଯାଇଥାଆନ୍ତି । ଅଲିଭି ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ (Forest Department), କୋଷ୍ଟଗାର୍ଡ଼ , ମେରାଇନି ପୋଲିସ୍‌ଙ୍କୁ ନିୟୋଜିତ କରାଯାଉଛି । ଏଥିଲାଗି ସରକାର କୋଟି କୋଟି ଟଙ୍କା ମଧ୍ଯ ଖର୍ଚ୍ଚ କରୁଛନ୍ତି । କିନ୍ତୁ କଡା଼ ସୁରକ୍ଷା ବଳୟ ପରେ ବି ଏହାକୁ ଭେଦ କରି ମାଛ ମାଫିଆମାନେ ଅବାଧରେ ସମୂଦ୍ରକୂଳରେ ପ୍ରବେଶ କରି ମାଛ ମାରୁଛନ୍ତି ଦେଖିବାକୁ ମିଳୁଛି । ଯାହାଦ୍ବାରା ଟ୍ରଲର ମାଡ଼ରେ ହଜାର ହଜାର ବିରଳ କଇଁଛ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହା ବି ପଢନ୍ତୁ-Trending News: ଓଡ଼ିଶାରେ ଅନ୍ଧବିଶ୍ବାସ! ପୁଅ ଓ ଝିଅକୁ କୁକୁର ସାଙ୍ଗରେ ବାହାଘର କଲେ ପରିବାର ଲୋକେ

ତେଣୁ ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମକୁ କଡାକଡି଼ ଭାବେ କଟକଣା ପାଳନ କରିବା ନେଇ ଆବଶ୍ୟକତା ରହିଛି । ନଚେତ୍ ଗହିରମଥାକୁ ସୁରକ୍ଷିତ ମନେ କରି ଅଣ୍ଡାଦାନ କରିବା ପାଇଁ ଆସୁଥିବା କଇଁଛ ମୁହଁ ଫେରାଇ ନେବେ ।ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବା ସୂଚନା ମିଳିଛି । ତେବେ ଅଣ୍ଡାରୁ ଛୁଆ ଫୁଟି ସୁରକ୍ଷିତ ଭାବେ କିପରି ସମୁଦ୍ରକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାର କଥା ।