Trending Photos
ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ସହରରେ ନିର୍ମାଣ ହେଉଛି ଦ୍ଵିତୀୟ ହୀରାକୁଦ ଡ୍ୟାମ। ଆଉ କିଛିଦିନ ପରେ ସମ୍ପୂର୍ଣ ଭାବରେ ଜନସାଧାରଣଙ୍କ ପାଇଁ ଲୋକାର୍ପଣ ହେବ ହୀରାକୁଦ ଡ୍ୟାମ। କଥାଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ସତ। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଯେଭଳି ଭାବରେ ଗୁରୁତ୍ୱ ଦେଉଛନ୍ତି ଏ ହେଉଛି ତାର ଏକ ଉଦାହରଣ।ଭରତରେ ହୀରାକୁଦ ବନ୍ଧର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି।ପର୍ଯ୍ୟଟକ ଏହି ଡ୍ୟାମ ଏବଂ ପରିପାର୍ଶ୍ବିକ ଅଞ୍ଚଳର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି।ତାହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟକୁ ହୀରାକୁଦ ଢାଞ୍ଚାରେ ନିର୍ମାଣ କରୁଛି ।
ସମ୍ବଲପୁରରୁ ବୁର୍ଲା ଓ ହୀରାକୁଦ ସହରକୁ ସଂଯୋଗ କରୁଥିବା ଦୁର୍ଗାପାଲି ରୋଡ଼ ପାଖରେ ନିର୍ମାଣ ହେଉଥିବା ସମ୍ବଲପୁର ମହାନଗର ନିଗମର ନୂତନ କାର୍ଯ୍ୟାଳୟ। ଯାହାକି ପୁରାପୁରି ହୀରାକୁଦ ଡ୍ୟାମର ନକ୍ସାରେ ନିର୍ମିତ ହୋଇଛି। ସମ୍ବଲପୁର ସହରର ଏକ ସୁବିଖ୍ୟାତ କୀର୍ତିକୁ ନେଇ ନିର୍ମିତ ହେଉଥିବା ଏହି କାର୍ଯ୍ୟାଳୟକୁ ଯେ କେହିବି ଦେଖିଲେ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଏକ କୀର୍ତିର ଗଠନରେ ଏହି କାର୍ଯ୍ୟାଳୟ ନିର୍ମିତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ବେଶ ପ୍ରଶଂସା କରାଯାଇଛି।
କେବଳ ସମ୍ବଲପୁର ବା ଓଡିଶା ନୁହେଁ, ହୀରାକୁଦ ଡ୍ୟାମ ବିଶ୍ୱ ବିଖ୍ୟାତ। ସୁଦୀର୍ଘ ମାଟିବନ୍ଧରେ ନିର୍ମିତ ଏହି ହୀରାକୁଦ ଡ୍ୟାମ ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଅନେକ ଲୋକ ଏହି କୀର୍ତିରାଜିକୁ ଦେଖିବାକୁ ବଞ୍ଚିତ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମର ଏହି ନବ ନିର୍ମିତ କୋଠାକୁ ଯେ କେହିବି ଦେଖିଲେ ସେ ହୀରାକୁଦ ଡ୍ୟାମ ଦେଖିବା ସଦୃଶ ଅନୁଭବ କରିବ ବୋଲି ସମ୍ବଲପୁର ମହାନଗର ନିଗମ କମିଶନର ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର କୁ ଯେଭଳି ଭାବରେ ଗୁରୁତ୍ୱ ଦେଉଛନ୍ତି ନିଶ୍ଚିତ ଭାବରେ ଏଭଳି ପଦକ୍ଷେପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ।