ମହାନଦୀର ଠିକ କୂଳ ରେ ଥାଇ ମଧ୍ୟ ତୃଷାର୍ତ ରହୁଛନ୍ତି ଝରାପଡା ଅଞ୍ଚଳବାସୀ।
Trending Photos
ସମ୍ବଲପୁର: ହୁ ହୁ ମୁଣ୍ଡ ଫଟା ଖରା।ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ଜୀବନ। ଚାରି ପାଞ୍ଚ କିଲୋମିଟର ଯିବା ଆସିବା କଲେ ଯାଇ ପିଇବାକୁ ମିଳେ ମୁନ୍ଦିଏ ପାଣି। ମହାନଦୀର ଠିକ କୂଳ ରେ ଥାଇ ମଧ୍ୟ ତୃଷାର୍ତ ରହୁଛନ୍ତି ଏହି ଅଞ୍ଚଳବାସୀ।
ମହାନଦୀ କୂଳରେ ବସା ବାନ୍ଧି ରହିଛନ୍ତି ୨୫ ଘରର ୨୦୦ ଲୋକ। ନଦୀ କୂଳରେ ରହି ମଧ୍ୟ ସେମାନେ ପାଉନାହାଁନ୍ତି ପାନୀୟ ଜଳ। ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ସମ୍ବଲପୁର ସହର ଉପକଣ୍ଠସ୍ଥ ଗୁଡ଼େଶ୍ୱର ମନ୍ଦିର ନିକଟରେ ଥିବା ଝରାପଡା ବାସିନ୍ଦା। ସେଠାରେ ପାନୀୟ ଜଳର କିଛି ସୁବିଧା ନାହିଁ। ମହାନଦୀ ଜଳ ଉପରେ ନିର୍ଭରଶୀଳ ଅଞ୍ଚଳବାସୀ। ଅନ୍ୟ ମାସରେ କାମ ଚଳିଯାଏ ମାତ୍ର ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ହୋଇଥିବାରୁ ମହାନଦୀ ପାଣି ଶୁଖି ଯାଇ ବହୁତ ଦୂରକୁ ଚାଲିଯାଇଛି।
ପ୍ରତ୍ୟେକ ଦିନ ସେମାନେ ପାଣି ପାଇଁ ନଦୀ ଭିତରକୁ ୪-୫ କିଲୋମିଟର ଯିବା ଆସିବା କରି ପିଇବା ପାଇଁ ପାଣି ଆଣିଥାନ୍ତି। ସେମାନେ ସେଇ ଅସ୍ବଚ୍ଛ ପାଣି ସେବନ କରି ନାନାଦି ରୋଗରେ ପୀଡିତ ହେଉଥିବାର ଅଭିଯୋଗ କରିଛନ୍ତି। ସ୍ୱଚ୍ଛ ପାନୀୟ ଜଳ ପାଇଁ ସେମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଣି ପାଇନଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ବସୁଧା ତଥା ଅମୃତ ଯୋଜନା କୁଆଡେ ବାଟବଣା ହୋଇଯାଇଛି ଯେମିତି। ସମ୍ବଲପୁର ସହର ମଧ୍ୟରେ ପାନୀୟ ଜଳର ଅଭାବ। ନୂଆ କରି ତିଆରି ହୋଇଥିବା ମହାନଗର ନିଗମର ଅନତି ଦୂରରେ ରହିଥିବା ଝରାପଡା ଅଞ୍ଚଳରେ ସତେ ଯେମିତି ପାନୀୟ ଜଳ ଅପହଞ୍ଚ। ବର୍ତ୍ତମାନ ଡହ ଡହ ଖରାରେ ପାନୀୟ ଜଳ ପାଇଁ ସ୍ଥାନୀୟ ଲୋକଙ୍କୁ ମହାନଦୀ ଗର୍ଭକୁ ଯିବା ଆସିବାକୁ ପଡିଥାଏ। ବେଳେ ବେଳେ ମହାନଦୀରୁ ଛୋଟ ଛୋଟ ଛୁଆଙ୍କୁ ମଧ୍ୟ କାଖେଇ ପାନୀୟ ଜଳ ଆଣିଥାନ୍ତି ମହିଳା।
ଏହି ଘଟଣା ବାବଦରେ ଜିଲ୍ଲା ପ୍ରଶାସନ ଯଦି କୌଣସି ପଦକ୍ଷେପ ନ ନିଏ ତାହେଲେ ଆନ୍ଦୋଳନ ମୁହାଁ ହେବେ ବୋଲି କହିଛନ୍ତି ଅଞ୍ଚଳବାସୀ। ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ତାହା କ'ଣ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ତାହାକୁ ନେଇ ଉଠୁଛି ପ୍ରଶ୍ନ।