Srikhetra: ପରିକ୍ରମା ପ୍ରକଳ୍ପ ପରେ ପାଚେରୀ ନିର୍ମାଣକୁ ତେଜିଲା ବିବାଦ, ସ୍ପଷ୍ଟୀକରଣ ରଖିବାକୁ ଉଠିଲା ଦାବି
Advertisement
Article Detail0/zeeodisha/odisha1406697

Srikhetra: ପରିକ୍ରମା ପ୍ରକଳ୍ପ ପରେ ପାଚେରୀ ନିର୍ମାଣକୁ ତେଜିଲା ବିବାଦ, ସ୍ପଷ୍ଟୀକରଣ ରଖିବାକୁ ଉଠିଲା ଦାବି

ShreeMandira Parikrama Project: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କଂକ୍ରିଟର ଆଉ ଏକ ସୁଦୀର୍ଘ ପାଚେରୀ ନିର୍ମାଣ କରିବାକୁ ନେଇ ତେଜିଛି ବିବାଦ। 

Srikhetra: ପରିକ୍ରମା ପ୍ରକଳ୍ପ ପରେ ପାଚେରୀ ନିର୍ମାଣକୁ ତେଜିଲା ବିବାଦ, ସ୍ପଷ୍ଟୀକରଣ ରଖିବାକୁ ଉଠିଲା ଦାବି

Srikhetra Parikrama Corridor: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କଂକ୍ରିଟର ଆଉ ଏକ ସୁଦୀର୍ଘ ପାଚେରୀ ଠିଆ କରାଯାଉଛି। ମେଘନାଦ ପାଚେରି ଭଳି ଭବିଷ୍ୟତରେ ଏହାକୁ ସୁରକ୍ଷା ପ୍ରାଚୀର ଭାବେ ବ୍ୟବହାର କରାଯିବ ବୋଲି ଆଲୋଚନା ହେଉଛି।  ହେଲେ ଏହି ପାଚେରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁମତି ବର୍ହିଭୂତ ହୋଇଥିବାରୁ ଗବେଷକ ତଥା ଭକ୍ତ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସେପଟେ ଦ୍ୱିତୀୟ ପାଚେରୀ ନିର୍ମାଣକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ।

କେଉଁ ଅନୁମତି ବଳରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିର୍ମାଣ ହେଉଛି ଆଉ ଏକ ସୁଦୀର୍ଘ ପାଚେରୀ। ଦ୍ୱିତୀୟ ମେଘନାଦ ପାଚେରୀ ନିର୍ମାଣ ନେଇ ଏନଏମଏ ଦେଇଛି କି ଅନୁମତି? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନକ୍ସାରେ ରହିଛି କି ଦ୍ୱିତୀୟ ମେଘନାଦ ପାଚେରୀ? ଏନଏମଏ ଏବଂ ଏଏସଆଇ ବୈଠକରେ ଏହି ପାଚେରୀ ସମ୍ପର୍କରେ ଆଲୋଚନା ହୋଇନାହିଁ। କିଭଳି ବେଆଇନ ଭାବେ ଏହି ପାଚେରୀ ଠିଆ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଓ ସେବାୟତ। ଏମିତିକି ମେଘନାଦ ପାଚେରୀ ଠାରୁ ୫୫ ମିଟରରୁ ୭୫ମିଟର ମଧ୍ୟରେ ପାଚେରୀ ନିର୍ମାଣକୁ ବେଆଇନ ଦର୍ଶାଇ ଗତ ୨୦ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୂଚନାଧିକାର କର୍ମୀ। କାହାର ଅନୁମତି ନଥାଇ ପ୍ରଶାସନ କିପରି ବିଶାଳ ପାଚେରୀ ନିର୍ମାଣ କରୁଛି। ପ୍ରଥମେ ଅନୁମତି ଆଣି ପାଚେରୀ କାମ କରନ୍ତୁ। ଯଦି ଏହା ବେଆଇନ ଦର୍ଶାଇ କୋର୍ଟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବ ତାହେଲେ ଏହି ଖର୍ଚ୍ଚ କିଏ ଭରଣା କରିବ ବୋଲି ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି ସୂଚନାଧିକାର କର୍ମୀ।

ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ତିଆରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ‌ମୁଣ୍ଡ ଟେକିଛି। ଏହା ପରେ ଏନଏମଏ କେଉଁ ପ୍ରକଳ୍ପ ନିଷିଦ୍ଧାଞ୍ଚଳ ଭିତରେ ନିର୍ମାଣ ହେବ ଏବଂ କେଉଁ ପ୍ରକଳ୍ପ ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ ହେବ ତାହା ସ୍ପଷ୍ଟ କରିସାରିଛି। ‌ଅନେକ ପ୍ରକଳ୍ପ ପାଇଁ ପୁନର୍ବାର ଆବେଦନ କରିବାକୁ କୁହାଯାଇଛି। ପ୍ରକଳ୍ପ ସମ୍ପର୍କରେ ଯାହା କିଛି ସ୍ପଷ୍ଟ କରାଯାଇଛି ଅଥବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଏମଏକୁ ଚିଠି ଲେଖି ଅନୁମତି ମଗାଯାଇଛି। ହେଲେ ସେଥିରେ ପାଚେରୀ କଥା ଉଲ୍ଲେଖ ନାହିଁ। ଏହି ପାଚେରି କେଉଁ ଅନୁମତି ବଳରେ ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ ଓ ଗବେଷକ।

ପାଚେରିର ନିର୍ମାଣ ଶୈଳୀ ଦେଖିଲେ, ପାଚେରିର ମଝିରେ ଏକାଧିକ ଖୁଣ୍ଟି (Pillar) ଠିଆ କରାଯାଉଛି। ଏହି ଖୁଣ୍ଟିରେ ୧୬ଟି ଲେଖାଏଁ ରଡ୍‌ (Rod) ଦିଆଯାଇଛି। କାନ୍ଥର ଓସାର ପ୍ରାୟ ଦେଢ଼ଫୁଟ ରହିଛି। ୩ ଫୁଟରୁ ୪ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏଁ ଖୁଣ୍ଟି ଉଠିଛି। ପଶ୍ଚିମ ଦ୍ବାରରେ ପାଚେରି ନିର୍ମାଣ ଅଧାଅଧି ସରି ଯାଇଥିବା ବେଳେ, ଉତ୍ତରଦ୍ବାରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାଚେରୀ ସମ୍ପର୍କରେ ଓବିସିସିର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ କାମ ଚାଲିଛି ତାହା ଭକ୍ତଙ୍କ ସୁବିଧା ପାଇଁ କରାଯାଉଛି। ଗାଡ଼ି ମଟର ତଥା ଭକ୍ତଙ୍କ ଯିବା ଆସିବା କରିବାରେ ଯେଭଳି ବାଧା ସୃଷ୍ଟି ନ ହେବ ଏବଂ କୌଣସି ଅଘଟଣ ନ ଘଟିବ, ସେହି ଦୃଷ୍ଟିରୁ ଏହି ପାଚେରୀ ତିଆରି ହେଉଛି। ଏହା ୫୫ ମିଟର ପରିଧିରେ ରହିବ। ପାଚେରୀର ଉଚ୍ଚତା ମାତ୍ର ଦେଢ଼ ମିଟର ଅର୍ଥାତ୍‌ ୫ ଫୁଟ ରହିବ। ହେଲେ ବିଭିନ୍ନ ସାହିରୁ ପ୍ରବେଶ ପାଇଁ ବିଭିନ୍ନ ସ୍ଥାନରେ ଜେବ୍ରା କ୍ରସିଂ ରହିବ। ଏହି ବାଟ ଦେଇ ଯେଉଁମାନେ ଭିତରକୁ ଯିବାକୁ ଚାହିଁବେ ଯାଇପାରିବେ ବୋଲି ସେ କହିଛନ୍ତି। 

ସେପଟେ ବିକାଶ କାର୍ଯ୍ଯକୁ ସେବାୟତ ମହଲରେ ସ୍ୱାଗତ କରାଯାଇଛି। ଯାହା ହେଉଛି ଭକ୍ତଙ୍କ ସୁବିଧା ପାଇଁ ହେଉଛି ଆଉ ଯାହା ହେଉଛି ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେଉଛି। ହେଲେ ଶ୍ରୀମନ୍ଦିର ପାଖାପାଖି ଯେଉଁ ଲୋକ ରହୁଛନ୍ତି ସେମାନଙ୍କ ଚଳପ୍ରଚଳ କରିବାରେ ଯେଭଳି ଅସୁବିଧା ନହେବ ତାହାା ଉପରେ ଦୃଷ୍ଟି ଦେବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ତଥା ଅନୁପ୍ରବେଶ ଦୃଷ୍ଟିରୁ ଏହି ପାଚେରୀ ତିଆରି ହେଉଛି। ଯାହା ଦ୍ବାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ବିନା ବାଧାରେ ଏହା ଭିତରେ ବିଚରଣ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାର ସ୍ପଷ୍ଟୀକରଣ ରଖିବା ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।