Train Accident: ଯଦି ମାଲଗାଡ଼ି ବଦଳରେ କୌଣସି ପାସେଞ୍ଜେର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା, ତାହେଲେ ଏହି ଦୁର୍ଘଟଣା କାରଣରୁ ହେଉଥିବା କ୍ଷୟକ୍ଷତି ବାବଦରେ ଜଣାପଡିଥାନ୍ତା। ଆଗକୁ ଯେ ପାସେଞ୍ଜେର ଟ୍ରେନ କ୍ଷେତ୍ରରେ ଏଭଳି ଘଟଣା ଘଟିବ ନାହିଁ, ତାହା କେହି କହିପାରିବେ ନାହିଁ।
Trending Photos
Rail Accident: ରେଳ ଧାରଣା ଏବେ ସାଜିଛି ବିପଦ। କୋରାପୁଟ ଷ୍ଟେସନ ଦେଇ ଯାଇଥିବା ଜଗଦଲପୁର-ରାୟଗଡା ଏବଂ କୋରାପୁଟ-ବିଶାଖାପାଟଣା ରେଳମାର୍ଗରେ ବାରମ୍ବାର ଘଟୁଛି ଦୁର୍ଘଟଣା। ଏହି ରେଳମାର୍ଗ ଏବେ ବିପଦପୂର୍ଣ ରେଳପଥ ସାଜିଛି। ବିଗତ କିଛି ଦିନ ମଧ୍ୟରେ ଏହି ମାର୍ଗରେ ୪/୫ ରେଳ ଦୁର୍ଘଟଣା ଘଟିସାରିଲାଣି। ହେଲେ ସୌଭାଗ୍ୟକୁ ଏହି ଦୁର୍ଘଟଣାରେ ଅଧିକାଂଶ ମାଲଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ବାରମ୍ବାର ଟ୍ରେନ ଲାଇନଚ୍ୟୁତ ହେବା ସତ୍ତ୍ୱେ ରେଳ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣା ପଡୁନାହିଁ।
ଯଦି ମାଲଗାଡ଼ି ବଦଳରେ କୌଣସି ପାସେଞ୍ଜେର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା, ତାହେଲେ ଏହି ଦୁର୍ଘଟଣା କାରଣରୁ ହେଉଥିବା କ୍ଷୟକ୍ଷତି ବାବଦରେ ଜଣାପଡିଥାନ୍ତା। ଆଗକୁ ଯେ ପାସେଞ୍ଜେର ଟ୍ରେନ କ୍ଷେତ୍ରରେ ଏଭଳି ଘଟଣା ଘଟିବ ନାହିଁ, ତାହା କେହି କହିପାରିବେ ନାହିଁ। ବିଗତ ଦିନରେ କୋରାପୁଟ ବିଶାଖାପାଟଣା ରେଳ ମାର୍ଗରେ ଆନ୍ଧ୍ର ପ୍ରଦେଶର ଶିବଲିଙ୍ଗପୁର ଏବଂ ଗତ ୧୬ ତାରିଖରେ କୋରାପୁଟ ବ୍ଲକ ଶୁକୁ ନିକଟରେ ଏକ ଟ୍ରେନ ଲାଇନ ଚ୍ୟୁତ ହୋଇଥିବାବେଳେ ଗତ କାଲି ଜୟପୁର-କୋରାପୁଟ ମାର୍ଗର ମାଳିଗୁଡା ଟନେଲ ଠାରେ ଏକ ବିଦ୍ୟୁତ ତାର ଟାଣି ନେଇଥିବାରୁ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଦୀର୍ଘ ୪/୫ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ବର୍ତମାନ ଜଗଦଲପୁର ଠାରୁ ରାୟଗଡା ରେଳ ପଥର ଦୋହରୀକରଣ କାର୍ଯ୍ୟ ଚାଲୁ ରହିଛି। ଏପରିକି କିଛି ଦିନ ତଳେ ଦୋହରୀକରଣ ରେଳ ପଥ ଦେଇ ପ୍ରଥମେ ଡୁରୁଗୁଡା ନିକଟରେ ଏବଂ ପରେ ମାନବାର ନିକଟରେ ନୂତନ ରେଳପଥ ଉପରକୁ କିଛି ଦୂର ପାସେଞ୍ଜର ଟ୍ରେନ ହୀରାଖଣ୍ଡ ଭୁଲ ବଶତଃ ଚାଲି ଆସିଥିଲା। ଏ କ୍ଷେତ୍ରରେ ଯଦି ପାସେଞ୍ଜର ଟ୍ରେନ ଚାଲି ଆସେ ତାହେଲେ ଦୁର୍ଘଟଣା ସୁନିଶ୍ଚିତ। ଏ ଦିଗରେ ମଧ୍ୟ ରେଳ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ବାରମ୍ବାର ଏପରି ଲାଇନଚ୍ୟୁତ ଘଟଣା ଘଟିବାରେ ଲାଗିଛି। ରେଳ ବିଭାଗ କେବଳ କୋରାପୁଟ ଷ୍ଟେସନ ସପରିଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରି ନିଜର କର୍ତ୍ତବ୍ୟ ସାରି ଦେଇ ଚୁପ ହୋଇ ବସୁଛି। ହେଲେ ଏହା ସତ୍ତ୍ୱେ ମଧ୍ୟ ବାରମ୍ବାର ଦୁର୍ଘଟଣା ଘଟୁଛି। କୋରାପୁଟ ରେଳ ଷ୍ଟେସନ ଦେଇ ଯାଇଥିବା ଏହି ଦୁଇ ମାର୍ଗ ଏବେ ଯାତ୍ରୀଙ୍କ ପାଇଁ ଅଭିଶପ୍ତ ପାଲଟିଛି। ଦୁର୍ଘଟଣାକୁ ରୋକିବା ଦିଗରେ ରେଳ ବିଭାଗ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।