)
ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ହେଉଛି ସମ୍ବଲପୁର। ଜିଲ୍ଲାରେ ଏବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଧିମେଇ ଯାଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ସହରାଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଭାବରେ ପଡିରହିଛି। ଏନେଇ ଜନ ଅସନ୍ତୋଷ ବୄଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟକୁ ତତ୍ପରତା ସହ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି।
ସମ୍ବଲପୁର ଜିଲ୍ଲାରେ ଏବେ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ଅନେକ ପ୍ରକଳ୍ପ। ବିଶେଷ କରି ସମ୍ବଲପୁର ସହର ସମେତ ଜିଲ୍ଲାର ୯ଟି ବ୍ଳକରେ ଅଧାପନ୍ତରିଆ ଅବସ୍ଥାରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଅଟକିଛି। କେଉଁଠି ଉନ୍ନୟନ କାର୍ଯ୍ୟ ଅଧାରୁ କାମ ବନ୍ଦ ଥିବା ବେଳେ ଆଉ କେଉଠି ଶେଷ ପର୍ଯ୍ୟାୟରେ କାର୍ଯ୍ୟ ବନ୍ଦ ହୋଇଯାଇଛି, ତ ଆଉ କେଉଁଠି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ମଧ୍ୟ ଲୋକାର୍ପିତ ହୋଇନାହିଁ। ବିଶେଷ କରି ମନରେଗା ଯୋଜନାରେ କାଯ୍ୟର ମନ୍ଥରତା ନେଇ ପ୍ରଶ୍ନ ଉଠିଛି।
ଗତ କୋଭିଡ ସମୟରେ ସରକାରଙ୍କ ମନରେଗା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କୁ କାମ ଦେବା ପାଇଁ ବହୁ ଯୋଜନାରେ କାଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଏହି ଯୋଜନାରେ ମଧ୍ୟ ହୋଇଥିବା ବିଭିନ୍ନ ଉନ୍ନୟନ କାଯ୍ୟ ଅଧାପନ୍ତରିଆ ଭାବରେ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଏହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ବୄଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ସହରରେ ବି କୋଟି କୋଟିର ପ୍ରକଳ୍ପ କାଯ୍ୟ ଯେ କେବେ ଶେଷ ହେବ ତାହା କାହାକୁ ଜଣାନାହିଁ।
ସମ୍ବଲପୁରର ଓଭର ବ୍ରିଜ, ଟାଉନ ହଲ, ମହାନଗର ନିଗମର ନୂତନ କୋଠା ଏଭଳି ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଏହା ସମେତ ଜିଲ୍ଲାର ସବୁ ବ୍ଳକରେ ବି ସମାନ ପରିସ୍ଥିତି। ତେଣେ ଜିଲ୍ଲାରେ ଅସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନା ଜିଲ୍ଲାର ଉନ୍ନୟନ କାଯ୍ୟ ନେଇ ବିଶେଷ ସମୀକ୍ଷା କରି ସବୁ ପ୍ରକଳ୍ପର କାଯ୍ୟ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାର ୯ ଗୋଟି ବ୍ଳକ ସମେତ ପୌରାଞ୍ଚଳରେ ହେଉଥିବା ସବୁ ସରକାରୀ ଯୋଜନାର ଉନ୍ନୟନ କାର୍ଯ୍ୟର ସଠିକ ସମୟରେ ସମାପ୍ତି କରିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଦିଲିପ କୁମାର ବଳ କହିଛନ୍ତି। ତେବେ ବହୁ ସମୟ ହେବ ଜିଲ୍ଲାରେ ଅସମ୍ପୂର୍ଣ୍ଣ ହୋଇଥିବା ସରକାରୀ ପ୍ରକଳ୍ପର ନିର୍ମାଣ କାଯ୍ୟର ସମାପ୍ତି ଜିଲ୍ଲା ପ୍ରଶାସନର ତତ୍ପରତା ପରେ କେବେ ସଂପୂର୍ଣ୍ଣ ହେଉଛି ତାହାକୁ ହିଁ ଜନ ସାଧାରଣ ଅପେକ୍ଷା କରିଛନ୍ତି।