ସୁରିଲା ସୂର୍ଯ୍ୟ ଅସ୍ତମିତ; ପ୍ରଫୁଲ୍ଲ ଥିଲେ କୋଟିଏ ତାରାରେ ଗୋଟିଏ ଜହ୍ନ
Advertisement

ସୁରିଲା ସୂର୍ଯ୍ୟ ଅସ୍ତମିତ; ପ୍ରଫୁଲ୍ଲ ଥିଲେ କୋଟିଏ ତାରାରେ ଗୋଟିଏ ଜହ୍ନ

ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିଦ୍ୱନ୍ଦୀ କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ୮୩ ବର୍ଷ ବୟସରେ ରବିବାର ରାତି ପ୍ରାୟ ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ନେଇ ପୁତ୍ର ମହାଦୀପ କର ସୂଚନା ଦେଇଥିଲେ । 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ନିରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ରବିବାର  ରାତିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଛି । ସୋମବାର ରାଷ୍ଟ୍ରୀୟ ମର୍ଜ୍ୟାଦା ସହ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି। ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି କହିବା ସହ ତାଙ୍କର ପରିବାରକୁ ସମବେଦନା ଜଣାଇଛନ୍ତି।

ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିଦ୍ୱନ୍ଦୀ କଳାକାର ତଥା ସ୍ରଷ୍ଟା ପ୍ରଫୁଲ୍ଲ କର ନିଜର ଅନବଦ୍ୟ ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ୮୩ ବର୍ଷ ବୟସରେ ରବିବାର ରାତି ପ୍ରାୟ ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ନେଇ ପୁତ୍ର ମହାଦୀପ କର ସୂଚନା ଦେଇଥିଲେ । ଭୁବନେଶ୍ୱର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସଂଗୀତ ସାଧକ ପ୍ରଫୁଲ କରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ଭାରତ ସରକାର । ଯେଉଁଥିପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶାରେ ଓଡ଼ିଆ ସଙ୍ଗୀତର ବୀଜ ଅଙ୍କୁରୋପଣ କରିବାରେ ପ୍ରଫୁଲ୍ଲ କରଙ୍କ ରହିଛି ଅତୁଳନୀୟ ଅବଦାନ ।

୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ ସନ୍ତାନ ଥିଲେ । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ରହିଥିଲା ।  ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା । ପ୍ରଫୁଲ୍ଲ କର ଏକାଧାରରେ ଜଣେ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, କବି, କଥାକାର, ସ୍ତମ୍ୱକାର ଥିଲେ । ସେ ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତରେ ଯେମିତି ପ୍ରବୀଣ, ସିନେମା ଓ ଆଧୁନିକ ସଙ୍ଗୀତରେ ସେମିତି ଲୋକପ୍ରିୟ ଥିଲେ । ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ସଙ୍ଗୀତ ସାଧନାରେ ସେ ନିମଗ୍ନ ଥିଲେ ।

Also Read: Lakhimpur Kheri: ଛଅ ମାସ ପରେ ଦୋହରିଲା ଘଟଣା, ଦୁଇ ଭାଇଙ୍କୁ ଚାପିଦେଲେ ବିଜେପି ବିଧାୟକ!

୧୯୬୦ ମସିହାରେ ସ୍ୱର୍ଗତଃ କର ତାଙ୍କର ପେଷାଦାର ଜୀବନ ଆରମ୍ଭ କରିଥିଲେ । ଖୁବଶୀଘ୍ର ନିଜକୁ ଆକାଶବାଣୀର (ଗ୍ରେଡ-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଓଡିଶୀ ଓ ଶାସ୍ତ୍ରୀୟ ସଂଗୀତରେ ଧୂରୀଣ ଥିବା ପ୍ରଫୁଲ୍ଲ କର ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ଗୀତ ରଚନା ମଧ୍ୟ କରିଛନ୍ତି । ଆଦ୍ୟ କଳାକାର ଜୀବନରେ ସେ ଗାଇଥିବା ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ପ ଧନୁ..’ ଗୀତଟି  ତାଙ୍କୁ ଲୋକପ୍ରିୟ କରାଇଥିଲା । ସେହି ଦିନଠାରୁ ସେ କମଳ ଦେଶର ରାଜକୁମାର ରୂପେ ସଂଗୀତ ଦୁନିଆରେ ପରିଚିତ ହୋଇଯାଇଥିଲେ।

ଜାଜ୍ୱଲ୍ୟମାନ ପ୍ରତିଭା ବଳରେ ସେ ୭୦ରୁ ଊର୍ଦ୍ଧ୍ୱ ଓଡିଆ ଓ ୪ଟି ବଙ୍ଗଳା ସିନେମାର ସଙ୍ଗିତ ସୃଷ୍ଟି କରିଛନ୍ତି । ଏଥିରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । କମଳ ଦେଶର ରାଜକୁମାର ଓଡିଆ ଭାଗବତ, ଛାନ୍ଦ, ଚମ୍ପୁ,ଦେଶାତ୍ମବୋଧକ ଓ ଭକ୍ତି ରସାତ୍ମକ ସଙ୍ଗୀତ ସମେତ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ପ୍ରଫୁଲ୍ଲ କର ଓଡ଼ିଆ ସଂଗୀତ ଜଗତର ଚିକିମିକି ଧ୍ରୁବତାରା ଥିଲେ । ସେ ଲଗାତର ୬ଥର ସମେତ ଓଡିଆ ସିନେମାର ଶ୍ରେଷ୍ଠ ସଙ୍ଗୀତକାର ଓ ଥରେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସଂଗୀତ କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ୨୦୦୪ରେ ରାଜ୍ୟ ସଂସ୍କୃତି ବିଭାଗର ସର୍ବ୍ବୋଚ୍ଚ ପୁରସ୍କାର ଜୟଦେବ ପୁରସ୍କାର ସମେତ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । କଳାକ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଜାବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ସେ ଏକାଧିକ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ । 

ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଥିବାବେଳେ ଏକ ଅପୁରଣୀୟ କ୍ଷତି ବୋଲି ଆମେ କହିପାରିବା । ବହୁ ଲୋକପ୍ରିୟ ଓ କାଳଜୟୀ ଓଡ଼ିଆ ଗୀତର ସ୍ରଷ୍ଟା ବର୍ଷୀୟାନ୍ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ। ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବି ସେ ପାଇଥିଲେ । ପ୍ରଫୁଲ୍ଲ କର ସଂଗୀତ ଜଗତରେ ପ୍ରବେଶ କରୁ କରୁ ଜଣେ ସୁଗାୟକ ଭାବେ ସଫଳତା ହାସଲ କରିଥିଲେ । କମଳ ଦେଶର ରାଜକୁମାର ମୁଁ, ମିଳନ୍ତା କି ମତେ ଉଡ଼ନ୍ତା ଥାଳିଆ, ମୁଁ ତ ନିରୀହ କେରାଣ୍ଡି ମାଛ, ହଇରେ ଫୁଲଗଛ, ନା ନା ମୋତେ ପ୍ରେମ କରନା, କାଳୀ କପାଳି ନରମୁଣ୍ଡ ମାଳି..  ଆଦି ଆଧୁନିକ ଗୀତ ଗାଇ ସେ ଓଡ଼ିଶାର ଯୁବପିଢ଼ି ଭିତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ଏହାପରେ ୧୯୭୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ସେ ପ୍ରବେଶ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି ଥିଲା- ମମତା। ଏହି ଚଳଚ୍ଚିତ୍ରର ଅଧିକାଂଶ ଗୀତ ଲୋକପ୍ରିୟ ହୋଇଥିଲା। ଏଥିରେ ତାଙ୍କ ସ୍ବରାରୋପିତ ‘ରେ ଆତ୍ମନ୍ ନିଦ୍ରା ପରିହରି…’ ଗୀତଟି ଓଡ଼ିଆ ସଂଗୀତର ଏକ କାଳଜୟୀ ଗୀତର ମାନ୍ୟତା ପାଇଥିଲା। 

Also Read: ଶ୍ରୀମନ୍ଦିରରେ ଜଗାକୁ ଦେଖୁ ଦେଖୁ ଚାଲିଗଲା ଜୀବନ

ଏହାପରେ ପ୍ରଫୁଲ୍ଲ କରଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ। ସେ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ସତୀ ଅନସୂୟା, ରାମାୟଣ, ମାନସୀ, ପୂଜା, ଗୌରୀ, ତପସ୍ୟା, ବତୀଘର,  ସମୟ ବଡ଼ ବଳବାନ୍, ହିସାବ ନିକାଶ ଓ ଭୁଲି ହୁଏନା ଆଦି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ରରେ ନିଶ୍ଚିତ ଭାବେ ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଗୀତ ରହୁଥିଲା।ସହସ୍ରାଧିକ ଗୀତର ସ୍ରଷ୍ଟା ପ୍ରଫୁଲ୍ଲଙ୍କ  ଲୋକପ୍ରିୟ ଚଳଚ୍ଚିତ୍ର ଗୀତଗୁଡ଼ିକ ମଧ୍ୟରୁ ରେ ଆତ୍ମନ୍ (ମମତା), ମୋ ପ୍ରିୟାଠାରୁ କିଏ (ସିନ୍ଦୂର ବିନ୍ଦୁ), ଆହେ ଦୟାମୟ (ବଳିଦାନ), ସୀମାହୀନ ଦରିଆ (ବତୀଘର), ଢ଼ାଳିଦିଅ ସାରା ଧରଣୀରେ ଆଜି (ତପସ୍ୟା), ବହିଯାଏ ରେ ଗଙ୍ଗା (ବଳିଦାନ), କି ସୁନ୍ଦର ଆହା (ଗୌରୀ), ନେଇ ଯା’ରେ ମେଘ ମତେ (ବଳିଦାନ), ରାମ ଯିବେ ବନବାସ (ରାମାୟଣ), ମାଝିରେ.. (ଶେଷ ଶ୍ରାବଣ), କୋଟିଏ ତାରାରେ ମିଳେ ଗୋଟିଏ ଜହ୍ନ (ଭୁଲି ହୁଏନା) ଆଦି ବେଶ ଲୋକପ୍ରିୟ ହୋଇଥିଲା। ଏଥିସହ ସ୍ ବହୁ ଲୋକପ୍ରିୟ ଜଗନ୍ନାଥ ଭଜନର ସ୍ରଷ୍ଟା। ତାଙ୍କ ନିର୍ଦ୍ଦେଶିତ ଭଜନ କ୍ୟାସେଟ୍ ‘ପ୍ରଭୁକୃପା’ ସାରା ଓଡ଼ିଶାରେ ଚହଳ ପକାଇଥିଲା। ସେଥିରେ ଅନୁରାଧା ପୌଡ଼ୱାଲ୍ ଗାଇଥିବା କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା ଓ ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି… ଆଜି ମଧ୍ୟ ଲୋକଙ୍କ ମୁହଁରେ ଗୁଣୁଗୁଣାଉଛି।

ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଲ, ଊଷା ମଙ୍ଗେସକର, କବିତା କୃଷ୍ଣୀମୂର୍ତ୍ତି, ସୁରେସ ୱାଡେକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣି ଜୟରାମ, ଏସ.ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ.ପି. ବାଳସୁବ୍ରମଣୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ତରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ସଙ୍ଗୀତ ବ୍ୟତୀତ ପ୍ରଫୁଲ୍ଲ କର ବିଭିନ୍ନ ଓଡ଼ିଆ ଦୈନିକୀରେ ବେଶ୍ କିଛି ବର୍ଷ ଧରି ସ୍ତମ୍ଭ ରଚନା କରିଥିଲେ । ଏଥିସହ ସେ ସକ୍ରିୟ ରାଜନୀତିରେ ମଧ୍ୟ ଯୋଗଦାନ କରିଥିଲେ । ସେ କଂଗ୍ରେସ ଦଳରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ଭାବେ ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । କିନ୍ତୁ ତାଙ୍କର ରାଜନୈତିକ ଯାତ୍ରା ସଫଳ ହୋଇନଥିଲା।