Jharana Das Death: ଶୋଇବାକୁ ଯାଇ ଚିର ନିଦ୍ରାରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ
Advertisement

Jharana Das Death: ଶୋଇବାକୁ ଯାଇ ଚିର ନିଦ୍ରାରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ

Jharana Das Death: ଆଉ ନାହାଁନ୍ତି ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ । ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ । ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ସୌଜନ୍ୟ : ସୋସିଆଲ ମିଡିଆ

Jharana Das Death​: ଆଉ ନାହାଁନ୍ତି ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ ।  ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।  କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ । ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଶୋଇବାକୁ ଯାଇ ଆଉ ଉଠି ନ ଥିଲେ ଝରଣା ଦାସ । ତାଙ୍କ ବିୟୋଗ ଯୋଗୁଁ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବହୁ ଚର୍ଚ୍ଚିତ ସିନେମା ମଧ୍ୟରୁ ମଲାଜହ୍ନ, ଅଦିନ ମେଘ, ସମୟ ବଡ ବଳବାନ, ଅମଡା ବାଟ, ଶ୍ରୀଜଗନ୍ନାଥ, ନାରୀ, ହୀରାନୀଳା ଭଳି ଫିଲ୍ମରେ ଅଭିନୟ କରି ଚର୍ଚ୍ଚା ସାଉଁଠିଥିଲେ ।  

ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହାରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଝୁମୁ ବୋଲି ଡାକୁ ଥିଲେ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖି ଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚ କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।

୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି, ସେ ଲୋକପ୍ରିୟତା ହାସଲ କରିପାରିଥିଲେ। ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସେ ସେଠାରେ ଥିବା ବେଳେ ସେ "ଘର ଭଡ଼ା ଦିଆ ଯିବ" ଓ "ମଣିଷ" ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ । ସେ ନିଜର ଅଭିନୟର ଯାଦୁର ଓଡିଶାବାସୀଙ୍କ ହୃଦୟ ଜିତି ଥିଲେ। ସେ ନିଜର ଅଭିନୟ ପାଇଁ ଏକାଧିକ ପୁରସ୍କାର ମଧ୍ୟ ପାଇଥିଲେ। ୧୯୯୭ରେ ସେ ଜୟଦେବ ପୁରସ୍କାର, ୨୦୧୧ ମସିହାରେ ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୧ ମସିହାରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ୨୦୧୬ ମସିହାରେ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (ଜୀବନବ୍ୟାପି ଅବଦାନ) ରେ ସମ୍ମାନୀତ ହୋଇଥିଲେ। 

ସେପଟେ ଝରଣା ଦାସଙ୍କ ଦେହାନ୍ତ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟରେ ଲେଖିଛନ୍ତି ଯେ,ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ।  ଆକାଶବାଣୀଠୁ ଆରମ୍ଭ କରି ମଞ୍ଚ ତଥା ଚଳଚ୍ଚିତ୍ରରେ ତାଙ୍କ ପ୍ରଭାବଶାଳୀ ଅଭିନୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।