ରୋଜଗାର ନୁହେଁ ମହିଳା ଉଦ୍ୟୋଗୀଙ୍କ ଲାଗି ଚିନ୍ତା ବଢାଇ ଦେଇଛି କଡକନାଥ।
Trending Photos
ପ୍ରେମାନନ୍ଦ ପୂଜାରୀ, ମୋହନା: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ମହିଳାଙ୍କୁ ସଶକ୍ତ ଓ ସ୍ୱାବଲଲମ୍ବୀ ଭାବେ ରୋଜଗାରକ୍ଷମ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ପ୍ରକୃତ ଯୋଜନାରେ ଲାଭ ଉଠେଇବା ବଦଳରେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ଏହି ଯୋଜାନାର ହିତାଧିକାରୀ । ଗଜପତିରେ ପ୍ରଥମ କରି ଓଟିଏଲପି ସଂସ୍ଥା ଜରିଆରେ ସରକାର ଆଦିବାସୀ ଗ୍ରାମର ମହିଳାଙ୍କୁ କଡକନାଥ କୁକୁଡା ପାଳନ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ । ହେଲେ ଦୀର୍ଘ ୪ ମାସ ଧରି କୁକୁଡା ପାଳନ ପରେ କୁକୁଡା ବିକ୍ରି ଉପଯୋଗୀ ହୋଇସାରିଥିବା ବେଳେ କଳା କୁକୁଡାକୁ କେହି କିଣୁନଥିବା ହେତୁ ଚିନ୍ତାରେ ମହିଳା ଗ୍ରୁପ ଉଦ୍ୟୋଗୀ । ସେପଟେ ଓଟିଏଲପି ସଂସ୍ଥା କୁକୁଡା ବିକ୍ରି ଜିଲ୍ଲା ବାହାର ଏଜେନ୍ସି ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି।
କଳା ମାଂସ, କଳା ହାଡ କାରଣରୁ ବିକ୍ରି ହେଇପାରୁନି କଡକନାଥ କୁକୁଡା । କୁକଡା ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶା ଏବେ ମଉଳିବାରେ ଲାଗିଛି । ଅର୍ଥ ଅଭାବରୁ କୁକୁଡାକୁ ଦାନା ଦେବା କଷ୍ଟକର ହେଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ଆଦିବାସୀ ଅଧ୍ୟୁଷିତ ଗ୍ରାମ ବାରିଆବନ୍ଧରେ । କମ ସମୟରେ ଅଧିକ ଅର୍ଥ ରୋଜଗାରକ୍ଷମ କରାଇବା ଲକ୍ଷରେ ଜିଲ୍ଲାରେ ପ୍ରଥମ କରି ପାଇଲଟ ପ୍ରକଳ୍ପ ଭାବେ କଡକନାଥ କୁକୁଡାକୁ ମଧ୍ୟପ୍ରଦେଶରୁ ଆଣି ମୋହନା ବ୍ଲକ ଓ ଆର.ଉଦୟଗିରି ବ୍ଲକର ୬ଟି ଆଦିବାସୀ ଗ୍ରାମର ମହିଳା ଗ୍ରୁପକୁ ପାଳନ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଥିଲା ଓଟିଏଲପି ସଂସ୍ଥା ।
ସେଥିମଧ୍ୟରୁ ବାରିଆବନ୍ଦ ଗ୍ରାମର ଇମାନୁଏଲ ମହିଳା ମଣ୍ଡଳ ଗ୍ରୁପକୁ ଆଜକୁ ୪ ମାସ ତଳେ ୩୨୦ଟି କଡକନାଥ କୁକୁଡା ଚିଆଁ ସହ ଦାନା ଦିଆଯାଇଥିଲା । ହେଲେ ଉକ୍ତ ବିରଳ ପ୍ରଜାତିର କୁକୁଡା ବିକ୍ରି ଉପଯୋଗୀ ହୋଇସାରିଥିବା ବେଳେ ଗ୍ରାମାଞ୍ଚଳର ଲୋକେ କେହି କିଣିବାକୁ ପସନ୍ଧ କରୁନାହାଁନ୍ତି । ଯାହା ଫଳରେ ବିଭିନ୍ନ ସ୍ଥାନରୁ ରୁଣ କରି କୁକୁଡା ପାଳନ କରିଥିବା ମହିଳା ଏବେ ଚିନ୍ତା ପ୍ରକାଶ କରିଛନ୍ତି । କଡକନାଥ କୁକୁଡା ସାଧାରଣ କୁକୁଡା ଠାରୁ ସମାନ୍ୟ ଭିନ୍ନ ହୋଇଥିବା ବେଳେ ଦେଖିବାକୁ ଯେମିତି କଳା, ଏହାର ହାଡ ଓ ମାଂସ ମଧ୍ୟ କଳା ହୋଇଥାଏ । ସାଧାରଣ ଦେଶୀ କୁକୁଡା ଭଳି ଏହି କୁକୁଡାର ପାଳନ କରାଯାଉଥିବା ହେତୁ ଏହାର ବ୍ୟବସାୟ ଭିତ୍ତିକ ଚାଷର ଖର୍ଚ୍ଚ ମଧ୍ୟ ଯଥେଷ୍ଟ କମ୍।
ବିଶେଷକରି ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଯକ୍ଷ୍ମା, ହୃଦରୋଗ ନ୍ୟୁରୋଷ୍ଟେନିଆ ଏବଂ ନେଫ୍ରେଟାଇଟିସ୍ ଭଳି କଠିନ ରୋଗବ୍ୟାଧି ପାଇଁ ଏହାର ମାଂସ ଏବଂ ଅଣ୍ଡାରେ ଔଷଧୀୟ ଗୁଣ ରହିଥିବା ହେତୁ ଏହି କୁକୁଡାର ଚାହିଦା ବଜାରରେ ସାଧାରଣ ଦେଶୀ କୁକୁଡା ଅପେକ୍ଷା ଅଧିକ ରହିଥାଏ । ହେଲେ ଆଦିବାସୀ ଦୁର୍ଗମା଼ଞ୍ଚଳରେ ଏହି କୁକୁଡାର ବିଶେଷତ୍ୱ ଜାଣିନଥିବା ହେତୁ ଏହି କୁକୁଡା କିଣିବା ଅପେକ୍ଷା ବ୍ରଏଲର କୁକୁଡାକୁ ପସନ୍ଦ କରୁଛନ୍ତି ଲୋକେ । ଗ୍ରୁପ ମହିଳାଙ୍କ ସମସ୍ତ କଡକନାଥ କୁକୁଡାକୁ ବିକ୍ରି କରିବା ପାଇଁ ବିଭିନ୍ନ ଏଜେନ୍ସି ସହ ଅଲୋଚନା କରାଯାଇଥିବା ବେଳେ ଖୁବ ଶୀଘ୍ର ବିକ୍ରି ହେବା ନେଇ ପ୍ରତିଶ୍ରୃତି ଦେଇଛନ୍ତି ଓଟିଏଲପି ସଂସ୍ଥା ଜିଲ୍ଲା ପ୍ରକଳ୍ପ ପରିଚାଳକ ।
ବିରଳ ପ୍ରଜାତିର କଡକନାଥ କୁକୁଡା ପାଳନ କରି ଆର୍ଥିକ ରୋଜଗାରକ୍ଷମ ହେବା ଲକ୍ଷ୍ୟ ରଖିଥିଲେ ମହିଳା । ହେଲେ କୁକୁଡା ବିକ୍ରିର ସଠିକ ବଜାର ପାଇନଥିବାରୁ ସଫଳ ଉଦ୍ୟୋଗୀ ହୋଇଥିଲେ ବି ଲାଭବାନ ହେବା ଆଶା ଆଶାରେ ହିଁ ରହିଯାଇଛି।