ଅଜିତ ପାୱାରଙ୍କ ଠାରୁ ସମର୍ଥନ ନେବା ଠିକ ନଥିଲା: ବିଜେପି ନେତା
Advertisement
Article Detail0/zeeodisha/odisha602005

ଅଜିତ ପାୱାରଙ୍କ ଠାରୁ ସମର୍ଥନ ନେବା ଠିକ ନଥିଲା: ବିଜେପି ନେତା

ଭୁଲ ବୁଝିଲାଣି ବିଜେପି !

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: 'ପାୱାର' ପୁତୁରାଙ୍କୁ ହାତେଇ ସ୍ଥାୟୀ ସରକାର ଦେବାକୁ ବିଜେପି ଯେଉଁ ଗଣିତ କଷିଥିଲା, ତାହା ଫେଲ ମାରିଛି । ସରକାର ଗଠନର ମାତ୍ର ୪ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ । ଆଉ ଏହାରି ଭିତରେ ଅଜିତ ପାୱାରଙ୍କ ସମର୍ଥନକୁ ଦଳ ଗ୍ରହଣ କରିବା ଏକ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ଏକନାଥ ଖଡସେ । 

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏକନାଥ କହିଛନ୍ତି, ଅଜିତ ପାୱାର ଜଳ ସେଚନ ଦୁର୍ନୀତି ମାମଲାରେ ଅଭିଯୁକ୍ତ । ତେଣୁ ତାଙ୍କ ସମର୍ଥନ ନେବା ବିଜେପି ପାଇଁ ଉଚିତ ନଥିଲା । ଯଦିଓ ଏହାକୁ ଏକନାଥ ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରିଛନ୍ତି, ତଥାପି ମଧ୍ୟ ତାଙ୍କର ଏହି ପ୍ରତିକ୍ରିୟା ଅନେକ ପ୍ରଶ୍ନକୁ ଟାଣି ଆଣିଚି । ବିଜେପି, ଅଜିତ ପାୱାରଙ୍କ ସମର୍ଥନ ନେବା ନିଷ୍ପତ୍ତି କାହାର ? କେନ୍ଦ୍ର ନେତୃତ୍ୱ ନା ରାଜ୍ୟ ନେତୃତ୍ୱ ? ଯେଉଁ ଅଜିତ ପାୱାରଙ୍କୁ ଜେଲରେ ପୁରାଇବୁ ବୋଲି ବିଜେପି ନେତା ବଡ ବଡ ବାଇଗଣ ବିକୁଥିଲେ, କେଉଁ ପରିସ୍ଥିତିରେ ତାଙ୍କୁ ହାତେଇ ସରକାର ଗଢିବାକୁ ମନା ବଳାଇଥିଲା ବିଜେପି ? 

ସେପଟେ ଉପମୁଖ୍ୟମନ୍ତ୍ରୀ ପଦରୁ କେବଳ ଇସ୍ତଫା ଦେଇନାହାଁନ୍ତି , ପୁଣି ବସାକୁ ମଧ୍ୟ ଫେରିଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରରେ ବିଜେପି ସରକାର ବହୁମତ ପ୍ରମାଣ ଦେବା ପୂର୍ବରୁ ସରେଣ୍ଡର କରିଛି । ଆଉ ଏହାପରେ ପୁରୁଣା ଠିକଣାକୁ ଫେରିଛନ୍ତି ଏନସିପି ନେତା ଅଜିତ ପାୱାର । ମୁଁ ଏନସିପିରେ ଥିଲି, ବର୍ତ୍ତମାନ ବି ଅଛି ଏବଂ ଆଗକୁ ମଧ୍ୟ ଏନସିପିରେ ରହିବି ବୋଲି କହିଛନ୍ତି 'ପାୱାର' ପୁତୁରା । ଠାକରେ ସରକାରରେ ମଧ୍ୟ ସେ ମନ୍ତ୍ରୀ ହେବେ ବୋଲି କୁହାଯାଉଛି । 

ଚାଚାଙ୍କ ବିନା ନିଜ ଅସ୍ତିତ୍ୱ କିଛି ନାହିଁ, ବୋଧେ ଏକଥା ବେଶ ଭଲ ଭାବରେ ବୁଝି ଯାଇଛନ୍ତି ଅଜିତ ପାୱାର । କହିଛନ୍ତି, ମୁଁ ଏନସିପିରେ ହିଁ ରହିବି । ଶୁକ୍ରବାର ରାତିରେ ସରକାର ଗଠନ ପାଇଁ ବିଜେପି ଶିବିରକୁ ଡିଆ ମାରିଥିଲେ ତତ୍କାଳୀନ ଏନସିପି ବିଧାୟକ ଦଳ ନେତା । ହେଲେ ଅଜିତଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ଏପଟେ ଅଜିତଙ୍କୁ ହାତେଇଲେ ବହୁ ଏନସିପି ବିଧାୟକଙ୍କ ସମର୍ଥନ ମିଳିଯିବ ବୋଲି ଭାବିଥିଲା ବିଜେପି । ମାତ୍ର ତାହା ନୋହିଲା । ଶେଷରେ ବହୁମତ ଦେବା ପୂର୍ବରୁ ସରେଣ୍ଡର କରିବାକୁ ପଡିଲା । 

ଅଧିକ ପଢନ୍ତୁ: ସଂସଦରେ 'ମହା' ସେଲିବ୍ରେସନ