ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...

ଡାଡି ନମ୍ବର-୧

 ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: କଥାରେ ଅଛି ବାପ୍ ଆଠ ନମ୍ୱରୀ, ବେଟା ଦଶ ନମ୍ୱରୀ । କିନ୍ତୁ ଏଠି ତାର ସମ୍ପୂର୍ଣ୍ଣ ଓଲଟା । ଏଠି ପୁଅ ଆଠ ନମ୍ୱରୀ, ଆଉ ବାପା ଦଶ ନମ୍ୱରୀ । ପୁଅ ବାହା ପାଇଁ ସବୁ ଆୟୋଜନ ହେଲା, ବେଦୀ ସଜା ହେଲା । ବାହାଘର ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ମଧ୍ୟ ହେଲା । କିନ୍ତୁ ଯିଏ ବାହା ହେବା କଥା ସିଏ ନହୋଇ ବେଦିରେ ବସିଲେ ଆଉ ଜଣେ । ମହାରାଷ୍ଟ୍ର ମହା କ୍ଲାଇମାକ୍ସକୁ ନେଇ ଏମିତି କିଛି ତର୍କ ବିତର୍କ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପୁଅକୁ ବେଦୀରେ ବସାଇବାକୁ ସବୁ ପ୍ରସ୍ତୁତି ସରିବା ପରେ ବାପା ହିଁ ଶେଷରେ ବେଦୀରେ ବସିଥିବା ଚର୍ଚ୍ଚା ହେଉଛି । ଗୁରୁବାର ଦିନଠାରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଠାକରେ ରାଜ୍ । ଠାକରେ ପରିବାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତଙ୍କ ନଜର ପଡ଼ିଥିଲା ଦୁଇଟି ଦୃଶ୍ୟ ଉପରେ । ପ୍ରଥମ ଦୃଶ୍ୟରେ ଉଦ୍ଧବଙ୍କ ଶପଥ ଗ୍ରହଣ ସମୟରେ ୭୯ ଘଣ୍ଟାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସ୍ମିତହାସ୍ୟ ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ଏକ ଦୃଶ୍ୟରେ ବାପ-ପୁଅ କୋଳାକୋଳି ହେଉଥିବା ଦୃଶ୍ୟ ଦେଶବାସୀଙ୍କୁ ଏକ ନିଆରା ଅନୁଭବ ଦେଇଥିଲା ।

Uddhav Thackeray

ତେବେ 'ମହା' ନାଟକକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିଏ ଦେଖିଥିବ, ସେ ହିଁ ବୁଝିପାରିବ ଏହାର ଅସଲ ଉଦ୍ଦେଶ୍ୟ । ନାଟକ ଆରମ୍ଭ ହୁଏ ଉଦ୍ଧବଙ୍କ ପୁତ୍ରମୋହରୁ । ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖି ନଥିବା ଉଦ୍ଧବ ଶେଷରେ ରାଜ୍ୟର ଶାସନ ଭାର ସମ୍ଭାଳିବାକୁ ମଙ୍ଗ ଧରିଛନ୍ତି । ଏକଥା ଖୋଦ୍ ଉଦ୍ଧବ ନିଜେ ସ୍ୱୀକାର କରିଛନ୍ତି । .ମହାରାଷ୍ଟ୍ର ଫଳ ଆସିବା ପରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବାର ବହୁ ପୂର୍ବରୁ ହିଁ 'ମହା' ନାଟକର ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇ ସାରିଥିଲା । ଯେଉଁ ଠାକରେ ପରିବାର ପ୍ରତ୍ୟେକ୍ଷ ନିର୍ବାଚନରେ କେବେ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିଲା, ସେହି ପରିବାରରୁ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଠାକରେ ଯୁବରାଜ ଆଦିତ୍ୟ । ଏହି ସମୟରୁ ହିଁ ରାଜନୈତିକ ବିଶ୍ଲେଷକ ପୂର୍ବାନମାନ କରିସାରିଥିଲେ ଯେ, ଶିବସେନା ହିଁ ମହାରାଷ୍ଟ୍ର ଜନତାଙ୍କ ନିର୍ଣ୍ଣାୟକ ସାଜିବ ଏବଂ ମଙ୍ଗ ଧରିବ ।

ଗତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁମତ ହାସଲ କରିବା ପରେ ହିଁ ଚର୍ଚ୍ଚାର ଶିରୋନାମା ପାଲଟେ ମହାଡ୍ରାମା । ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରନ୍ତି ଶିବ ସୈନିକ । ଆଉ ପୁତ୍ର ମୋହରୁ ଉଦ୍ଧବ ବି ବାଦ୍ ପଡନ୍ତି ନାହିଁ । ସେଥିପାଇଁ ବିଜେପି ସହ ଅଢ଼େଇ ବର୍ଷିଆ ଫର୍ମୁଲା ନେଇ ଡିଲ୍ ଆରମ୍ଭ ହୁଏ । .ମାତ୍ର, କ୍ଷମତାର ଅପବ୍ୟବହାର କରିବାରେ ମାହିର୍ ବିଜେପି ସେଇ ସର୍ତ୍ତରେ ରାଜି ହୁଏ ନାହିଁ । ଚାଣକ୍ୟ ଅମିତ ଶାହଙ୍କ ଅତ୍ୟୁତ୍ସାହିତ ହିଁ ବିଜେପି ପାଇଁ ପାଲଟିଯାଏ ବୁମେରାଂ । ତେଣୁ, ଶିବସେନାର ସର୍ତ୍ତରେ ରାଜି ନ ହେବାରୁ ଗେରୁଆ ଦଳ ସହ ତିରିଶ ବର୍ଷର ସମ୍ପର୍କକୁ ଛିନ୍ନ କରେ ଶିବସେନା । ଏହାପରେ ବିକଳ୍ପ ସରକାର ଗଠନ ନେଇ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହୁଏ ବ୍ଲୁ-ପ୍ରିଣ୍ଟ । ଆଉ ଏଥିପାଇଁ ପିତା ହିସାବରେ ସବୁ ପ୍ରକାର ଉଦ୍ୟମ କରନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ପୁତ୍ରମୋହ ଆଗରେ ଯେ ସ୍ୱାଭିମାନ, ହିନ୍ଦୁତ୍ୱବାଦୀ ଇତ୍ୟାଦି ସବୁ ଗୌଣ ମନେ ହୁଏ, ତାହା ପ୍ରମାଣିତ କରନ୍ତି ଉଦ୍ଧବ । .ସେଥିପାଇଁ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିବାକୁ ଆରମ୍ଭ ହୁଏ ରଣ କୌଶଳ । କିନ୍ତୁ, ଶିବସେନାର ଏହି ଚାଲ୍ କୁ ଭଲ ଭାବରେ ବୁଝି ପାରିଥିଲେ ଭାରତୀୟ ରାଜନୀତିର ଅନ୍ୟତମ ଧୂରୀଣ ନେତା ଶରଦ ପାୱାର । ତେଣୁ ଶିବସେନା ଆଗରେ ବିକଳ୍ପ ସରକାର ଗଠନ ପାଇଁ ଏମିତି ଏକ ସର୍ତ୍ତ ରଖିଥିଲେ, ଯାହା ଉଦ୍ଧବଙ୍କୁ ଅଡୁଆରେ ପକାଇ ଦେଇଥିଲା । ଆଦିତ୍ୟ ନୁହେଁ, ବରଂ ଦଳର ଜଣେ ଅଭିଜ୍ଞ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଉଭୟ କଂଗ୍ରେସ ଓ ଏନସିପି ଶିବସେନା ଆଗରେ ଦାବି କରିଥିଲେ, ଯାହା ଉଦ୍ଧବଙ୍କ ପାଇଁ ଥିଲା ଏକ ବଡ଼ ପରୀକ୍ଷା ।

Uddhav Thackeray

ଯେଉଁ ପୁଅକୁ ସିଂହାସନରେ ବସାଇବା ପାଇଁ ଏତେସବୁ ଉଦ୍ୟମ କଲେ, ଏବେ ତାହା ଫସର ଫାଟିବାକୁ ଯାଉଥିଲା । ଦଳର ଅନ୍ୟ ଜଣେ ନେତାଙ୍କ ହାତରେ ମୁଖ୍ୟମନ୍ତ୍ରୀ ପଦ ଟେକିଦେବେ ବା କେମିତି ? ଆଦିତ୍ୟଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଦେଖାଇବାକୁ ହେଲେ ନିଜେ ହିଁ ସିଂହାସନରେ
ବସିବାକୁ ପଡିବ, ଏକଥା ହୃଦୟଙ୍ଗମ କରି ପାରିଥିଲେ ଉଦ୍ଧବ । ଆଉ ଶେଷରେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ମଧ୍ୟ ହୋଇଯାଇଥିଲେ । ଦିନେ ବାଲାସେହେବ ଠାକରେଙ୍କ ଆଗରେ ପ୍ରତ୍ୟକ୍ଷ ନିର୍ବାଚନରେ ନ ରହିବାକୁ ଶପଥ ନେଇଥିବା ଉଦ୍ଧବ କିନ୍ତୁ ରାଜନୈତିକ ସ୍ୱାର୍ଥ ଏବଂ ପଦବୀର ଲାଳସାରେ ଛନ୍ଦି ହୋଇ ପଡ଼ିଥିଲେ । .

ଦିନେ ଠାକରେ ପରିବାର ଥିଲା କିଙ୍ଗ୍ ମେକର୍ । କିନ୍ତୁ ଆଜି ନିଜେ ସିଂହାସନରେ ବସି କିଙ୍ଗ୍ ହୋଇଛି ମହାରାଷ୍ଟ୍ରର ଏହି ମରାଠା ପରିବାର । ମହାଭାରତରେ ଯେମିତି ପୁତ୍ର ମୋହରେ ପଡ଼ି ଅନ୍ଧ ଧ୍ରୁତରାଷ୍ଟ୍ର ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିଥିଲେ, ଠିକ୍ ସେହିପରି ଉଦ୍ଧବ ଠାକରେ ମଧ୍ୟ ନିଜ ପୁଅ ପାଇଁ ଏବେ ମହା ନାଟକର ମଞ୍ଚ ଉପରେ ଡାଡି ନମ୍ୱର-୧ ହେବାକୁ ଚେଷ୍ଟା କରିଛନ୍ତି । ଆଉ ଏହା ସଙ୍ଗେସଙ୍ଗେ ଦେଶବାସୀଙ୍କୁ ମଧ୍ୟ ଏକ ନୂଆ ସନ୍ଦେଶ ଦେଇଛନ୍ତି ।

ଆହୁରି ପଢନ୍ତୁ; ମହାରାଷ୍ଟ୍ର ଯାଉଛନ୍ତି ତ ଏହି ୧୦ଟି ସୁନ୍ଦରସ୍ଥାନ ବୁଲିବାରୁ ଜମା ଭୁଲନ୍ତୁ ନାହିଁ