AYUSH doctors: ଗତ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଅନୁଯାୟୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଏଥିରେ ଆୟୁଷ ଡାକ୍ତରଙ୍କୁ ସାମିଲ କରାଯାଇନାହିଁ ।
Trending Photos
ଭୁବନେଶ୍ୱର: ୧୫ ବର୍ଷ ହେବ ରାଜ୍ୟ ସରକାର ଆୟୁଷ ଡାକ୍ତରଙ୍କ ଦୁଃଖ ବଢି ଚାଲିଛି । ରାଜ୍ୟରେ ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ବର୍ତ୍ତମାନ ୧୪୮୫ ଜଣ ଆୟୁଷ ଡାକ୍ତର ରହିଛନ୍ତି । କେବେ ହେବ ୧୪୮୫ ଜଣ ଆୟୁଷ ଡାକ୍ତରଙ୍କର ଚାକିରିରେ ସ୍ଥାୟୀକରଣ ତାହାକୁ ନେଇ ଡାକ୍ତରଙ୍କ ମନରେ ସଂଶୟ ରହିଛି । ଆୟୁଷ ଡାକ୍ତରମାନଙ୍କୁ ଚାକିରି ନିୟମିତକରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିକରି ଅଲ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଏକ ପ୍ରକାର ଥକି ସାରିଛନ୍ତି ।
ରାଜ୍ୟରେ ଆୟୁଷ ଡାକ୍ତରଙ୍କୁ ଅବହେଳା । ପ୍ରାକୃତିକ ବିପର୍ଯ୍ୟୟଠୁ ନେଇ ମହାମାରୀ କୋରୋନା ସବୁବେଳେ ଖୋଜା ପଡିଛନ୍ତି ଆୟୁଷ ଡାକ୍ତର । ହେଲେ ରାଜ୍ୟ ସରକାରଙ୍କର ତାଙ୍କ ପ୍ରତି ଦୃଷ୍ଟି ନାହିଁ । ଏଯାଏଁ ରାଜ୍ୟର ୧୪୮୫ ଜଣ ଆୟୁଷ ଡାକ୍ତରଙ୍କର ଚାକିରିରେ ସ୍ଥାୟୀକରଣ ହୋଇପାରିନାହିଁ । ବର୍ଷ ବର୍ଷ ଧରି ଦାବି, ଆନ୍ଦୋଳନ ପରେ ବି ସରକାରଙ୍କଠୁ କେବଳ ପ୍ରତିଶ୍ରୁତି ମିଳିଛି । ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା କରିଥିଲେ । ହେଲେ ଏଥରୁ ଆୟୁଷ ଡାକ୍ତର ବାଦ ପଡିଛନ୍ତି । ସରକାରଙ୍କର ଏପରି ମନୋଭାବ ପାଇଁ ରାଜ୍ୟରେ କାର୍ଯ୍ୟରତ ଜଣ ଆୟୁଷ ଡାକ୍ତର ନିରାଶ ହୋଇଛନ୍ତି । ଆୟୁଷ ଡାକ୍ତରମାନଙ୍କୁ ଚାକିରି ନିୟମିତକରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଲ ଓଡିଶା ଆୟୁଷ ଆସୋସିଏସନ ଦାବି କରିଛି ।
ଆଜି ଲୋୟର PMG ରେ ଏନେଇ ଧରାଣା ଦେଇଛନ୍ତି ଆୟୁଷ ଡାକ୍ତରମାନେ । ଗତ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଅନୁଯାୟୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଏଥିରେ ଆୟୁଷ ଡାକ୍ତରଙ୍କୁ ସାମିଲ କରାଯାଇନାହିଁ । କାହିଁକି ଆୟୁଷ ଡାକ୍ତରଙ୍କ ପାଇଁ ପାତର ଅନ୍ତର କରିଛନ୍ତି ସରକାର ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସରକାର ୨୦୧୩ ମସିହାରେ ନିର୍ଦ୍ଧାରିତ ଗ୍ରୁପ ବି ଚୁକ୍ତିଭିତ୍ତିକ ନିଯୁକ୍ତିରେ ଯଥେଷ୍ଟ ପୂର୍ବରୁ ୨୦୦୭ ମସିହାରୁ ସ୍ଵାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିଯୁକ୍ତି ପାଇଥିବା ୧୪୮୫ ଜଣ ଆୟୁଷ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇନାହିଁ ।
ଅରୁଣାଚଳ ପ୍ରଦେଶ, ମଣିପୁର, ରାଜସ୍ଥାନ, କର୍ଣ୍ଣାଟକ, ଛତିଶଗଡ଼, ପଞ୍ଜାବ ଇତ୍ୟାଦିରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କୁ ନିୟମିତକରଣ କରାଯାଇ ସାରିଛି । ଅନ୍ୟ ସମସ୍ତ ରାଜ୍ୟରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ ଓଡିଶାରେ ଏହାର ଫଳଶୂନ । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ଦାବି କରିଛି ଆୟୁଷ ଆସୋସିଏସନ। ଦୀର୍ଘ ୧୫ ବର୍ଷଧରି ସ୍ୱଳ୍ପ ବେତନରେ ଠିକା ନିଯୁକ୍ତି ପାଇଥିବା ଏହି ଡାକ୍ତରମାନେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଶନ ଓ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଯୋଜନାକୁ ସଫଳ ରୂପାୟନ କରି ଆସୁଛନ୍ତି । ଏହାଛଡା କୋଭିଡ ମହାମାରୀ ସମୟରେ ସମସ୍ତ ଆୟୁଷ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀଙ୍କର ଚିକିତ୍ସା, ପରୀକ୍ଷା ଓ ଟୀକାକରଣକୁ ସଫଳ ଭାବେ ସମ୍ପାଦନ କରିଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ।
ଜାତୀୟ ମିଶନରେ ନିଯୁକ୍ତି ପାଇଥିବା ସମସ୍ତ ଆୟୁଷ ଡାକ୍ତରଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛି ସଂଘ । ଯେଉଁ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିଥିଲେ ସେହିଭଳି ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଆଶା କରିଛନ୍ତି ଆୟୁଷ ଡାକ୍ତର ସଂଘ । ଯଦି ସ୍ଥାୟୀ ନିଯୁକ୍ତି ନହୁଏ ତେବେ ଏହି ନୀତିକୁ ବିରୋଧ କରାଯିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଓଡିଶା ଆୟୁଷ ଡାକ୍ତକ ସଂଘ ।