Puri: ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଆସିଲା ବଡ଼ ଖୁସି ଖବର! ଏଠାରେ ଜାଣନ୍ତୁ
Advertisement
Article Detail0/zeeodisha/odisha1444263

Puri: ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଆସିଲା ବଡ଼ ଖୁସି ଖବର! ଏଠାରେ ଜାଣନ୍ତୁ

Sri Mandir Sevayats: ଆଦର୍ଶ ଗୁରୁକୂଳରେ ଅଧ୍ୟୟନ ଦ୍ବାରା ସେବାୟତ ପରିବାରର ବିଦ୍ୟାର୍ଥୀ ଉନ୍ନତମାନର ଶିକ୍ଷା ପାଇବା ସହ ନୈତିକ, ମୂଲ୍ୟବୋଧ ଭିତ୍ତିକ ଓ ଧାର୍ମିକ ଚେତନାର ଶିକ୍ଷା ପାଇ ଜଣେ ଭଲ ମଣିଷ ହେବାର ଆଶା କରାଯାଉଛି । ୨୦୨୪-୨୫ ଶିକ୍ଷାଦାନ ବର୍ଷରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ସହ ଶିକ୍ଷାଦାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।

ସୌ: ସୋସିଆଲ ମିଡିଆ

Gurukula Eductaion: ଶ୍ରୀମନ୍ଦିର (Sri Mandir) ସେବାୟତ ପିଲାଙ୍କ ପାଇଁ ଏକ ଖୁସି ଖବର ସମ୍ନାକୁ ଆସିଛି । ବହୁ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ (Gurukula) ଖୁବଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି । ଭିତ୍ତିପ୍ରସ୍ତର ପଡିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ପରିମିତ ଜମି ଉପରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ । ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ (Divyasingh Dev) ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଛି । ଆଗାମୀ ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ୨୦୨୪ ସୁଦ୍ଧା ଗୁରୁକୂଳ ସମ୍ପୂର୍ଣ ହେବା ସହ ଶିକ୍ଷାଦାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ ଓ ବିର୍ଲା ଫାଉଣ୍ଡେସନ କର୍ତ୍ତୃପକ୍ଷ ।

ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠା ହେବ ଆଦର୍ଶ ଗୁରୁକୂଳ । ଏନେଇ ଦୀର୍ଘ ବର୍ଷ ତଳୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ଯୋଜନା ଏବେ ସଫଳ ହେବାକୁ ଯାଉଛି । ଓବିସିସିର ପ୍ରତ୍ଯକ୍ଷ ସହଯୋଗରେ ବିର୍ଲା ଫାଉଣ୍ଡେସନ ଶ୍ରୀମନ୍ଦିର ସେବାୟତଙ୍କ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁକୁଳ ନିର୍ମାଣ କରିବ । ଏଥିରେ ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । ଗୁରୁକୂଳ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି ।

ଏଥିସହ ରାଜ୍ୟ ସରକାର ଅବଢା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୯.୩୮ ଏକର ଜମି ଲିଜରେ ଯୋଗାଇ ଦିଆଯିବା ପରେ ବିର୍ଲା କମ୍ପାନୀ ସହ ବୁଝାମଣା ପତ୍ର ବା ଏମଓୟୁ ସ୍ବାକ୍ଷର ହେବ । ଆଜି ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ପ୍ରାୟ ୨୦ ଏକର ଜମିର ଆବଶ୍ୟକତା ରହିଥିବା କହିଛନ୍ତି । ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ବିର୍ଲା ଫାଉଣ୍ଡେସନ ସହ ବିସ୍ତୃତ ଆଲୋଚନା କରାଯାଇଛି । ଖୁବଶୀଘ୍ର ଏମଓୟୁ ସ୍ୱାକ୍ଷର ହେବ ବୋଲି ବିର୍ଲା ଫାଉଣ୍ଡେସନ ଉପଦେଷ୍ଟା ସୂଚନା ଦେଇଛନ୍ତି ।

ଆଦର୍ଶ ଗୁରୁକୂଳ ନେଇ ଦୀର୍ଘ ଦିନରୁ ଦାବି ହେବା ସହ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାରମ୍ବାର ଆଲୋଚନା କରାଯାଇଛି । ୧୪ ଏକର ପରିମିତ ଜମିରେ ରହିଥିବା ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଛନ୍ତି । ଆଦର୍ଶ ଗୁରୁକୂଳରେ ସେବାୟତ ପରିବାରର ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରିବା ଦ୍ବାରା ଉପଯୁକ୍ତ ଶିକ୍ଷା ପାଇବା ସହ ଉଚ୍ଚତର ଶିକ୍ଷା ପାଇଁ ମନୋନିବେଶ କରିପାରିବେ । ୫୦ ପ୍ରତିଶତ ସିଟ୍ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ । ପ୍ରାଚୀନ, ବୈଦିକ, ଧାର୍ମିକ ଓ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ସିବିଏସସି ଶିକ୍ଷା ବ୍ୟତୀତ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ । କେବଳ ଲିଟେରେଟ ନୁହେଁ ଜଗନ୍ନାଥ ସଂସ୍କୃତି ସହିତ ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଡୁକେସନ ଆଦି ଶିକ୍ଷା ପାଇବେ । ଏଥିପାଇଁ ବିର୍ଲା ଏଜୁକେସନ ସୋସାଇଟି ସଂପୁର୍ଣ୍ଣ ସହଯୋଗ କରିବ । ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

ଆଦର୍ଶ ଗୁରୁକୂଳରେ ଅଧ୍ୟୟନ ଦ୍ବାରା ସେବାୟତ ପରିବାରର ବିଦ୍ୟାର୍ଥୀ ଉନ୍ନତମାନର ଶିକ୍ଷା ପାଇବା ସହ ନୈତିକ, ମୂଲ୍ୟବୋଧ ଭିତ୍ତିକ ଓ ଧାର୍ମିକ ଚେତନାର ଶିକ୍ଷା ପାଇ ଜଣେ ଭଲ ମଣିଷ ହେବାର ଆଶା କରାଯାଉଛି । ୨୦୨୪-୨୫ ଶିକ୍ଷାଦାନ ବର୍ଷରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ସହ ଶିକ୍ଷାଦାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଗୁରୁକୂଳ ପ୍ରତିଷ୍ଠା ହେଲେ ସେବାୟତ ପରିବାର ଶିକ୍ଷାର୍ଥୀ ଜଗନ୍ନାଥ ସଂସ୍କୃତି ଉପରେ ଅଧିକ ବିକଶିତ ହୋଇପାରିବେ ବୋଲି ଆଶା ରହିଛି ।