Mother's Day 2021: 'ଏକ ଦୃଶ୍ୟର ଅନୁଭୂତିରୁ ପଦେ'
Advertisement
Article Detail0/zeeodisha/odisha897529

Mother's Day 2021: 'ଏକ ଦୃଶ୍ୟର ଅନୁଭୂତିରୁ ପଦେ'

କେତେବେଳେ ତା ଆଖିରୁ ସୁଖର ଲୁହ ତ କେତେବେଳେ ଦୁଃଖର ଲୁହ ଝରି ଆସିଥାଏ। ସତରେ ମା'ର କର୍ତ୍ତବ୍ୟ ସମ୍ପାଦନ କରିବା ଯେ କେତେ କଷ୍ଟ ତାହା ସମସ୍ତେ ଜାଣନ୍ତି ମାତ୍ର ଆଖିରେ ଦେଖିଲା ପରେ ତାହା କେତେ ବାସ୍ତବିକ ମୁଁ ହୃଦୟଙ୍ଗମ କଲି।

ଡିଜାଇନ ଫଟୋ

ସୂର୍ଯ୍ୟନାରାୟଣ ରାଉତରାୟ: ମା'! କେଡେ ସୁନ୍ଦର ମଧୁର ଶବ୍ଦ ଯାହାକୁ ବର୍ଣ୍ଣନା କରାଯାଇ ପାରିବ ନାହିଁ। ମା' ଶବ୍ଦଟି ଅତି ଦୁର୍ଲଭ। ଯେତେବେଳେ କି ଶିଶୁଟି ଜନ୍ମ ହୋଇଥାଏ, ତା'ର ପ୍ରଥମ ଡାକ ମା' ହୋଇଥାଏ। ଦଶମାସ ଦଶଦିନର ଯନ୍ତ୍ରଣା ଓ କୋଟି କୋଟି ଦେବତାଙ୍କୁ ଡାକି ସେ ଶିଶୁଟିକୁ ପୃଥିବୀକୁ ଆଣିଥାଏ। କିନ୍ତୁ ସେହି ଗୋଟିଏ ଦିନ ( ଶିଶୁର ଜନ୍ମ ସମୟର କୁଆଁ କୁଆଁ ) ରଡି ଶୁଣି ସେ ହସିଥାଏ ମାତ୍ର ତା ପରଠୁ ଶିଶୁଟି ବଡ଼ ହେବା ପର୍ଯ୍ୟନ୍ତ ପ୍ରତ୍ୟେକଟି ସମୟ ସତେ ଯେପରି ତା ପାଇଁ ଏକ ପରୀକ୍ଷା ହୋଇଥାଏ। କେତେବେଳେ ତା ଆଖିରୁ ସୁଖର ଲୁହ ତ କେତେବେଳେ ଦୁଃଖର ଲୁହ ଝରି ଆସିଥାଏ। ସତରେ ମା'ର କର୍ତ୍ତବ୍ୟ ସମ୍ପାଦନ କରିବା ଯେ କେତେ କଷ୍ଟ ତାହା ସମସ୍ତେ ଜାଣନ୍ତି ମାତ୍ର ଆଖିରେ ଦେଖିଲା ପରେ ତାହା କେତେ ବାସ୍ତବିକ ମୁଁ ହୃଦୟଙ୍ଗମ କଲି। 

ସେହିଦିନ ହୋଇଥାଏ ମଙ୍ଗଳବାର। କିଛି ବ୍ୟକ୍ତିଗତ କାର୍ଯ୍ୟରେ ଜଗତସିଂହପୁର ଯାଇଥିଲି। ଫେରୁଥିବା ସମୟରେ ଭାବିଲି କି ଗାଡିରେ ତେଲ ପକେଇ ଘରକୁ ଯିବି। ସେଥିପାଇଁ ମୁଁ ଆଳିପିଙ୍ଗଳ ପେଟ୍ରୋଲ ପମ୍ପ ଅଭିମୁଖେ ଗଲି। ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଲାଗୁଥାଏ। ରାସ୍ତାଘାଟ ଏତେ ବି ଜନଗହଳି ନଥିଲା। ତେଲ ପକେଇ ସାରିବା ପରେ ଜେଲ୍ ପଛପଟେ ରାସ୍ତାରେ ଯିବା ସମୟରେ ଦେଖିଲି କି ଜଣେ ମହିଳା ରାସ୍ତାକଡରେ ଠିଆ ହୋଇଛନ୍ତି। ଭାବିଲି କି ସେ ବୋଧେ କାହାକୁ ଅପେକ୍ଷା କରିଛନ୍ତି। 

Also Read: ଆଜିର ରାଶିଫଳ: ବୃଷ, କନ୍ୟା, କର୍କଟ ଓ ମକର ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ

ଯେତେବେଳେ ମହିଳାଙ୍କ ପାଖାପାଖି ହେଲି ଦେଖିଲି କି, ସେ ଜେଲର ଉପର ଘରକୁ ଚାହିଁ କାନ୍ଦୁଛନ୍ତି। ତଥାପି ମୁଁ କିଛି ବୁଝି ପାରିଲି ନାହିଁ। ସେଥିପାଇଁ ଆଗରେ ଗାଡି ରଖି ଘଟଣାଟି ଜାଣିବାକୁ ଇଚ୍ଛା ପ୍ରକଟ କଲି। ଦେଖିକି ଜାଣିଲି କି ରାସ୍ତାକଡ଼ରେ ଠିଆ ହୋଇଥିବା ମହିଳା ଜଣକ ଜେଲ୍ ଘର ଭିତରୁ ଝରକା ପାଖରେ ତାଙ୍କ ପୁଅକୁ ଦେଖି କାନ୍ଦୁଛନ୍ତି। ହୁଏତ କିଛି ଭୁଲ କାର୍ଯ୍ୟ ପାଇଁ ଆଜି ତାଙ୍କ ପୁଅ ଜେଲରେ। ପୁଅଟି ଯେତେ ଖରାପ ହେଲେ ମଧ୍ୟ ସେ ମା ଆଖିରେ ତା'ର ସବୁବେଳେ ସୁନା ପୁଅ ସାଜିକି ରହିଥାଏ।

ସେଥିପାଇଁ ତ ବିଭିନ୍ନ କଥାଶୁଣି ସେ ଆଜି ଏକୁଟିଆ ପୁଅକୁ ଦେଖିବାକୁ ଚାଲି ଆସିଛି। ଲୁହ ଭରା ଆଖିରେ ସେ ଆଜି ଦୁନିଆ କଥା ପଚାରିଯାଉଛି ପୁଅକୁ, ମାତ୍ର ସେ ମା'ର ସେହି ଲୁହକୁ ପରବର୍ତ୍ତୀ ସମୟରେ ପୁଅଟି କିପରି ବୁଝିବ ତାହା କେବଳ ସମୟ ହିଁ କହିପାରିବ। ଦୃଶ୍ୟଟି ଦେଖି ଆଉ ସେଠାରେ ଠିଆ ହୋଇ ପାରିଲି ନାହିଁ, ପଳେଇ ଆସିଥିଲି। ଭାବୁଥାଏ କି " ଅବୁଝା ପୁଅଟା " ସୁଧୁରିଯାଆନ୍ତା ଭଲା...