Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜିଠୁ ‘କଟକ ବାଲିଯାତ୍ରା’
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ମହାମେଳା ଐତିହାସିକ କଟକ ବାଲିଯାତ୍ରା। ବହୁବର୍ଷର ବ୍ୟବଧାନ ପରେ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଇତିମଧ୍ୟରେ ଚୂଡ଼ାନ୍ତ ହୋଇଛି। ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଆଉ ନୂଆ କଥା ଯୋଡ଼ା ହୋଇଛି। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେବେ।
ଆଜି ସୁନାବେଶ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ରତ୍ନସିଂହାସନରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ଏହା ସହିତ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରହିଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।
ରୂପାରେ ଛାଉଣି ହେବ ଶ୍ରୀମନ୍ଦିର ସଂହଦ୍ବାର ଓ ପତିତପାବନଙ୍କ ମନ୍ଦିର
ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ତଥା ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିରକୁ ସଂପୂର୍ଣ୍ଣ ଭାବେ ରୂପାରେ ଛାଉଁଣି କରାଯିବ । ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବାକୁ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଅଧିକ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୂପା ଛାଉଁଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର
ମଧ୍ୟାହ୍ନ ଭୋଜନ ପାଇଁ ପ୍ରତି ବିଦ୍ୟାର୍ଥୀ ପିଛା ୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର। ଏବେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୮୨ ପଇସା ଦୈନିକ ପଡ଼ି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାର୍ଥୀ ପିଛା ଦୈନକ ପଡ଼ି ମୂଲ୍ୟ ଉପରେ ୧ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୪୩ ଲକ୍ଷ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି।
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା
ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ଘୋଷଣା କରାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଫେବୃଆରୀ ୨୧ ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ। ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି । ଇଓ ଜରିଆରେ ପରିଚାଳନା ତ୍ରୁଟି ଜାଣିବାକୁ ବ୍ୟବସ୍ଥା ।
ଏଥର କମିବ ଚାଉଳ ଉତ୍ପାଦନ
ଗତବର୍ଷ ତୁଳନାରେ ଚଳିତ ବର୍ଷ ୫.୬୨ ଲକ୍ଷ କ୍ୱିଣ୍ଟାଲ କମ ଚାଉଳ ପାଇବ ଯୋଗାଣ ନିଗମ। ୨୦୨୨ ତୁଳନାରେ ୨୦୨୩ରେ କମ ଧାନ ସଂଗ୍ରହ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ମିଲ ମାଲିକମାନେ ୧୭ ପ୍ରତିଶତ ଚାଉଳ ଦେଇନାହାନ୍ତି। ଗତବର୍ଷ ଏହି ସମୟ ପର୍ଯ୍ୟନ୍ତ ୯୦ ପ୍ରତିଶତ ଚାଉଳ ଯୋଗାଣ ନିଗମ ଏବଂ ଏଫସିଆଇକୁ ପହଞ୍ଚି ସାରିଥଇଲା। ଏବର୍ଷ ଧାନ ସଂଗ୍ରହ ପାଇଁ ୧୩୭୨ ମିଲର୍ସଙ୍କୁ ଦାୟିତ୍ୱ ଦିଆଯାଇଛି।
ପାରାଦୀପରେ ଆରମ୍ଭ ହେଲା ବାଲିଯାତ୍ରା
ପାରାଦୀପର ସାଗର ବେଳାଭୂମି ତଥା ବିଜୁ ମୈଦାନଠାରେ ଆୟୋଜିତ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା ପାଇଁ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ଆସି ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମଠାରେ ପହଞ୍ଚିଥିଲେ। ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଷ୍ଟାଡିଅମ ଠାରୁ ବିଜୁ ମଇଦାନ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ବିଭିନ୍ନ ଷ୍ଟଲ୍ ଉଦଘାଟନ କରିବା ସହ ପରିଦର୍ଶନ କରିଥିଲେ। ପରେ ପରେ ଆୟୋଜିତ ବହୁ ପ୍ରତିକ୍ଷିତ ଐତିହାସିକ କଳିଙ୍ଗ ବାଲିଯାତ୍ରା ମହୋତ୍ସବ କୁ ପ୍ରଦୀପ ପ୍ରଜ୍ଜୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଦିଲ୍ଲୀରେ ବାୟୁର ମାନ ସାଂଘାତିକ, ଆଜିଠୁ ଜିଆର୍ଏପି-୩ କଟକଣା
ଦିଲ୍ଲୀ ପ୍ରଦୂଷଣ ଏବେ ଉତ୍କଟ ରୂପ ନେଇଛି। ବାୟୁ ମାନ ‘ସାଂଘାତିକ’ ସ୍ତରରେ ପହଞ୍ଚିଛି। ବାୟୁ ଗୁଣବତ୍ତାରେ ଉଦ୍ବେଗଜନକ ସ୍ଥିତିକୁ ଦେଖି ଆସନ୍ତାକାଲିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ (ସିଏକ୍ୟୁଏମ୍) ନିଷ୍ପତ୍ତି ନେଇଛି। ଜିଆର୍ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ। ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ସହିତ ଦିଲ୍ଲୀ-ଏନ୍ସିଆରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି।
ଶିମିଳିପାଳରେ ପହଞ୍ଚିଲା ‘ଗଙ୍ଗା’
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ମହାବଳ ବାଘୁଣୀ ‘ଯମୁନା’ ପରେ ଆସି ପହଞ୍ଚିଛି ‘ଗଙ୍ଗା’। ଗଙ୍ଗାକୁ ବି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଛି। ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ଆସିଥିବା ଗଙ୍ଗାକୁ ଯଶିପୁରପଟୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରସ୍ତୁତ ଥିବା ଏନ୍କ୍ଲୋଜରକୁ ନିଆଯାଇଛି। ସେଠାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ୫-୬ ଦିନ ଯାଏ ଏନ୍କ୍ଲୋଜର୍ ମଧ୍ୟରେ ରଖି ଗଙ୍ଗାର ଗତିବିଧି ନିରୀକ୍ଷଣ କରିବା ପରେ ମୁକ୍ତ ଜଙ୍ଗଲରେ ଛାଡ଼ିବା ନେଇ ଯୋଜନା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ (୨୦୨୦, ୨୦୨୧ ଓ ୨୦୨୨) ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର (ଜୀବନବ୍ୟାପି ସାଧନା ପୁରସ୍କାର) ପାଇଁ ଅନନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଛି। ୩୨ତମ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ପାଇଁ ଡଃ ବିଶ୍ବନାଥ ପଟ୍ଟନାୟକଙ୍କ ପ୍ରଯୋଜିତ ‘ସହିଦ୍ ରଘୁ ସର୍ଦ୍ଦାର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇବ।