Advertisement
photoDetails0hindi

ଜାତୀୟ ଯୁବ ଦିବସ: ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୫ଟି ମହାନ ଉପଦେଶ ଯାହା ବଦଳାଇଦେବ ମଣିଷର ଜୀବନ!

ଆଜି ବେଦାନ୍ତର ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ବାର୍ଷିକୀ। ତାଙ୍କରି ଜନ୍ମ ଦିନକୁ ୧୯୮୫ ମସିହା ଠାରେ ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଗୌରବମୟ ଭାରତୀୟ ସଂସ୍କୁତି ସହ ଯୁବପିଢିଙ୍କ ପାଇଁ ସେ ପ୍ରେରଣାର ଉତ୍ସ।

1/15

ଯେତେବେଳେ ତୁମମାନଙ୍କ ମଧ୍ୟରେ ଏପରି ସବୁ ଖାଣ୍ଟି ମଣିଷ ଜନ୍ମିବେ, ଯେଉଁମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ, ସେତେବେଳେ ଭାରତ ସମସ୍ତ ଦିଗରେ ମହିମାନ୍ୱିତ ହେବ।

2/15

ଭାରତର ଜନସାଧାରଣ (Indian) ଙ୍କର ଉନ୍ନୟନ, ଏହି ଏକମାତ୍ର ବ୍ରତରେ ଯେଉଁମାନେ ମନପ୍ରାଣ ନିୟୋଗ କରିପାରିବେ, ଏପରି ଯୁବକ (Youth) ଙ୍କ ଭିତରେ ଯାଇ କାମ କର। ପତିତ, ନିପୀଡ଼ିତ, ସର୍ବହରାମାନଙ୍କ ପ୍ରତି ସମବେଦନାରେ ସାରା ଦେଶରେ ସିଂହବିକ୍ରମରେ ପ୍ରଚାର କରିବାକୁ ହେବ ସେମାନଙ୍କର ମୁକ୍ତିର ବାଣୀ, ସେବାର ବାଣୀ, ସାମାଜିକ ଉନ୍ନୟନ ଓ ସାମ୍ୟର ବାଣୀ।

3/15

ପରୋପକାର ଏକ ସାର୍ବଜନୀନ ମହାବ୍ରତ। ଜନସାଧାରଣ ଏବଂ ନାରୀଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ନ ହେଲେ କୌଣସି କିଛି ହେବାର ଉପାୟ ନାହିଁ। ଗରୀବ (Poor) ନିମ୍ନଜାତି ମଧ୍ୟରେ ବିଦ୍ୟା ଓ ଶକ୍ତିର ପ୍ରବେଶ ଯେବେଠାରୁ ହେବାକୁ ଲାଗିଲା, ସେବେଠାରୁ ଇଉରୋପ (Europe) ଉଠିବାକୁ ଲାଗିଲା।

4/15

ଖାଲି ପେଟରେ ଧର୍ମ ହୁଏ ନାହିଁ-ପ୍ରଭୁ କହିଥିଲେ। କ୍ଷୁଧାର୍ତ୍ତକୁ ଧର୍ମକଥା ଶୁଣାଇବା ନିହାତି ପାଗଳାମି। ଆଗେ କ୍ଷୁଧିତ ପାଇଁ ଅନ୍ନର ସଂସ୍ଥାନ କରିବାକୁ ପଡ଼ିବ।

5/15

ନାରୀ ପ୍ରତି ଯଥାର୍ଥ ସମ୍ମାନ ଦେଇ ସବୁ ଜାତି ବଡ଼ ହୋଇଛି। ତୁମ ଜାତିର ଯେ ଏତେ ଅଧୋଗତି, ତା’ର ପ୍ରଧାନ କାରଣ-ଶକ୍ତିର ଏହି ଜୀବନ୍ତ ମୂର୍ତ୍ତିଗୁଡ଼ିକୁ ତୁମେ ଯଥାର୍ଥ ମର୍ଯ୍ୟାଦା ଦେଇ ନାହଁ । ସେମାନେ କେଡ଼େ ଅସହାୟ, ପରମୁଖାପେକ୍ଷୀ।

6/15

ଶିକ୍ଷାୟତନ (Education) ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ। ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ। ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ।

7/15

ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ। ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ। ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ।

8/15

ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ। ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି। ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ।

9/15

ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ। ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ। ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ।

10/15

ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ। ଆମକୁ ତାହା ବଦଳରେ ସବଳ ମସ୍ତିଷ୍କ ହେବାକୁ ହେବ। ଧର୍ମ ପରେ ଆସିବ। ସଙ୍କୋଚନ ହିଁ ମୃତ୍ୟୁ, ଆଉ ସର୍ବପ୍ରକାର ସଂପ୍ରସାରଣ ହିଁ ଜୀବନ। ଯଦି ତୁମେ ବଞ୍ଚିବାକୁ ଚାହଁ, ତେବେ ତୁମକୁ ସଂକୀର୍ଣ୍ଣ ଗଣ୍ଡି ଛାଡ଼ିବାକୁ ହେବ।

11/15

ସ୍ତ୍ରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ। ଏକ ପକ୍ଷରେ ପକ୍ଷୀର ଉଡ଼୍‌ଡ଼ୟନ ସମ୍ଭବ ନୁହେଁ। ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ। ସେଥିପାଇଁ କେବଳ ମାତୃଭାବର ପ୍ରଚାର। ପ୍ରାଚୀନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି।

12/15

ଆଜିକାଲି ଅନେକ ହିଁ ମନେ କରନ୍ତି ଯେ ଅତୀତ ଆଡ଼କୁ ନିବଦ୍ଧଦୃଷ୍ଟି ବ୍ୟକ୍ତିଗଣ ମାରାତ୍ମକ ଭୁଲ କରୁଛନ୍ତି; ସେମାନଙ୍କର ଧାରଣା, ପୁରାବୃତ୍ତ ପ୍ରତି ଏହି ନିବିଡ଼ ମମତା ହିଁ ଭାରତର ଯାବତୀୟ ଦୁର୍ଗତିର ମୂଳ କାରଣ। ମୋର କିନ୍ତୁ ମନେ ହୁଏ ଏହାର ବିପରୀତ ଧାରଣା ହିଁ ସତ୍ୟ।

13/15

ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ। ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ।

14/15

ଏହି ସେହି ଭାରତ, ଯାହା ବହୁ ଶତାବ୍ଦୀର ଘାତ-ପ୍ରତିଘାତ, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ଅଭିନବ ସାମାଜିକ ପ୍ରଥା ଓ ଆଚାରର ଆବିର୍ଭାବ ସତ୍ତ୍ୱେ ଏପର୍ଯ୍ୟନ୍ତ ବଞ୍ଚି ରହିଛି। ବାସ୍ତବିକ ଭାରତର ଜୀବନ ଅମର, ପ୍ରାଣଶକ୍ତି ଅଫୁରନ୍ତ। ତାହା ଭୂପୃଷ୍ଠର ଯେ କୌଣସି ପର୍ବତ ଅପେକ୍ଷା ବି ଅଟଳ, ବସ୍ତୁତଃ ଭାରତର ଜୀବନ ଆତ୍ମା ପରି ଅନାଦି, ଅନନ୍ତ ଓ ଅନିର୍ବାଣ।

15/15

ଯୁଗ ଯୁଗ ଧରି ଜାତୀୟ ଜୀବନ ଯେଉଁ ଲକ୍ଷ୍ୟ ଦିଗକୁ ପ୍ରବାହିତ ହୋଇଛି, ତାହାକୁ ପରିତ୍ୟାଗ କଲେ ଜାତିର ଧ୍ୱଂସ ଅବଶ୍ୟମ୍ଭାବୀ। ରାଜନୈତିକ ବା ସାମାଜିକ ଉନ୍ନତିର ପ୍ରୟୋଜନ ନାହିଁ-ଏ କଥା ମୁଁ କହୁ ନାହିଁ; ଖାଲି ତୁମକୁ ମନେ ରଖିବାକୁ କୁହେ ଯେ ଏହି ଦେଶରେ ଏହିସବୁ ଲକ୍ଷ୍ୟ ଗୌଣ, ଧର୍ମ ହିଁ ମୁଖ୍ୟ।